Bhadrak: ଉବୁଟୁବୁ ଭଦ୍ରକ: ୩.୩୯ ଲକ୍ଷ ଲୋକ ପ୍ରଭାବିତ, ୭୨ ପଞ୍ଚାୟତର ୩୨୨ ଗାଁ’ରେ ପଶିଲା ପାଣି

4 days ago 4
ARTICLE AD BOX

ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ରାତିରେ ବନ୍ୟାଜଳ ମାଡ଼ିଆସିବା ଫଳରେ ବୈତରଣୀ, ସାଳନ୍ଦୀ, ଗମେଇ, କାଂଶବାଂଶ, ରେବ-କପାଳି ଓ ଗେଙ୍ଗୁଟି‌ ଉଛୁଳିଛି। ବର୍ତ୍ତମାନ ଉଭୟ ବୈତରଣୀ ଓ ସାଳନ୍ଦୀର ଜଳସ୍ତର ବିପଦ ସଙ୍କେତଠାରୁ ଢେର୍‌ ଉପରେ ରହିଛି। ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ୧୭.୮୩ ମିଟର ଡେଇଁ ୨୦.୪୩ ମିଟରରେ ଏବଂ ରାଜଘାଟଠାରେ ସାଳନ୍ଦୀ ବିପଦ ସଙ୍କେତ ୧୭ ମିଟର ଡେଇଁ ୧୮.୭୦ ମିଟରରେ ପ୍ରବାହିତ ହେଉଛି। ବନ୍ୟାରେ ଭଦ୍ରକ ଜିଲ୍ଲାର ପ୍ରାୟ ୫୫ ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ୭୨ଟି ପଞ୍ଚାୟତର ୩୨୨ଟି ଗାଁ’ର ୩ ଲକ୍ଷ ୩୯ ହଜାର ୭୭୦ ଲୋକ ପ୍ରଭାବିତ ହୋଇଛନ୍ତି। ଭଦ୍ରକ ପୌରପାଳିକା ଓ ଧୂଷୁରୀ ଏନ୍‌ଏସିର ୧୩ଟି ୱାର୍ଡରେ ମଧ୍ୟ ବନ୍ୟାପାଣି ପ୍ରବେଶ କରିଛି।
ସୂଚନା ଅନୁସାରେ, ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ଓ ତିହିଡ଼ି ବ୍ଲକ୍‌ର କିଛି ଅଞ୍ଚଳ ବୈତରଣୀ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ସାଳନ୍ଦୀ ନଦୀରେ ବନ୍ୟା ଯୋଗୁଁ ବନ୍ତ, ଭଦ୍ରକ ବ୍ଲକ୍‌, ଭଦ୍ରକ ସହର ଓ ତିହିଡ଼ି ବ୍ଲକ୍‌ ସହ ଚାନ୍ଦବାଲି ବ୍ଲକ୍‌ର କିଛି ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପଟେ ଗମେଇ ଓ କାଂଶବାଂଶ ବନ୍ୟା ଯୋଗୁଁ ବାସୁଦେବପୁର ବ୍ଲକ୍‌, ରେବ-କପାଳି ଓ ଗେଙ୍ଗୁଟିରେ ବନ୍ୟା ଯୋଗୁଁ ବନ୍ତ ଓ ଧାମନଗର ବ୍ଲକ୍‌ର କିଛି ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଧାମନଗର ବ୍ଲକ୍‌ର ୧୭ଟି ପଞ୍ଚାୟତ ଏବଂ ଭଣ୍ଡାରିପୋଖରୀ ବ୍ଲକ୍‌ର ୫ଟି ପଞ୍ଚାୟତର ଲୋକେ ପାଣିଘେରରେ ରହିଛନ୍ତି। ଭଦ୍ରକ ବ୍ଲକ୍‌ର ବାଉଦପୁର, ଗେଲପୁର ସହ ଭଦ୍ରକ ପୌରପାଳିକାର ୨୬, ୨୭, ୨୮, ୨୯ ନମ୍ବର ୱାର୍ଡରେ ବନ୍ୟାପାଣି ପଶିଛି। ୭ ନମ୍ବର ୱାର୍ଡର ଗବସାହି ଓ ଜେନାସାହି ଭାସୁଛି। ଧୂଷୁରୀ ଏନ୍‌ଏସିରେ ଅନେକ ଲୋକଙ୍କ ଘରେ ପାଣି ପଶିଛି। ଧାମନଗର ବ୍ଲକ୍‌ର ଷେଣ୍ଢପୁର ସେତୁ ବୁଡ଼ିବା ଫଳରେ ଧାମନଗର-ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଭଦ୍ରକର ବାଉଦପୁର-ସାଳନ୍ଦୀ ସେତୁ ମଧ୍ୟ ବୁଡ଼ିଯାଇଛି। 

Book Released: ହଜିଯାଉଥିବା ଶବ୍ଦର କବିତା ପୁସ୍ତକ ଉନ୍ମୋଚିତ

୭୨ ପଞ୍ଚାୟତର ୩୨୨ ଗାଁ’ରେ ପଶିଲା ପାଣି
ବୁଡ଼ିଲା ଷେଣ୍ଢପୁର ଓ ବାଉଦପୁର-ସାଳନ୍ଦୀ ସେତୁ

ଆଜି ସନ୍ଧ୍ୟା ସୁଦ୍ଧା ୫୪ ହଜାର ୧୮୪ ଜଣଙ୍କୁ ଉଦ୍ଧାର କରି ଶତାଧିକ ସ୍କୁଲ୍‌, ଅଙ୍ଗନବାଡ଼ି ଓ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ୧୯୫ଟି ମାଗଣା ରୋଷେଇ କେନ୍ଦ୍ର ଖୋଲାଯାଇ ଉଦ୍ଧାର ଲୋକଙ୍କୁ ଖାଦ୍ୟ ପ୍ରଦାନ କରାଯାଉଛି। ସେହିପରି ପ୍ରଭାବିତଙ୍କୁ ୧୬୬.୩୩ କ୍ୱିଣ୍ଟାଲ୍‌ ଚୁଡ଼ା, ୧୭.୭୮ କ୍ୱିଣ୍ଟାଲ୍‌ ଗୁଡ଼ ଓ ଚିନି ବଣ୍ଟନ କରାଯାଇଛି। ଜିଲ୍ଲାପାଳ ଡ. ଦିଲ୍ଲୀପ କୁମାର ରାଉତରାୟ କହିଛନ୍ତି, ‘ସମସ୍ତଙ୍କ ପାଖରେ କିପରି ଶୁଖିଲା ଓ ରନ୍ଧାଖାଦ୍ୟ ପହଞ୍ଚିବ, ସେନେଇ ବ୍ୟବସ୍ଥା ହେଉଛି। ୧୪ଟି ମେଡିକାଲ୍‌ ଟିମ୍ ଓ ୫ଟି ପ୍ରାଣୀ ଚିକିତ୍ସା ଦଳ ଔଷଧ ସହ ସଜାଗ ରହିଛନ୍ତି। ବିହିତ ପଦକ୍ଷେପ ପାଇଁ ବିଭାଗୀୟ ଅଧିକାରୀମାନଙ୍କ ସହ ବରାବର ଆଲୋଚନା ଚାଲିଛି। ବିଭିନ୍ନ ସ୍ଥାନରେ ୭ଟି ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ସହ ସ୍ଥାନୀୟ ପୁଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ୧୧ଟି ବୋଟ୍‌ର ସାହାଯ୍ୟ ନିଆଯାଇଛି।’

Oil: ଇ୨୦ ପାଇଁ ବିଏସ୍‌-୩ ଗାଡ଼ିର ରବର୍‌ ପାର୍ଟସ୍‌ ବଦଳାଇବାକୁ ପଡ଼ିପାରେ: ଗଡ଼କରୀ

ଜିଲ୍ଲାପାଳଙ୍କ ସହ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ଡିଆଇଜି ପିନାକ ମିଶ୍ର, ଭଦ୍ରକ ଏସ୍‌ପି ମନୋଜ ରାଉତ, ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ବନ୍ୟାଞ୍ଚଳ ବୁଲି ସ୍ଥିତି ତଦାରଖ କରୁଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଗତ ୨୮ ଓ ୨୯ ତାରିଖ ଜିଲ୍ଲାର ସମସ୍ତ ସ୍କୁଲ୍‌, କଲେଜ ବନ୍ଦ ଥିବା ବେଳେ ବନ୍ୟା ସ୍ଥିତିକୁ ଆଖିଆଗରେ ରଖି ଭଦ୍ରକ ଜିଲ୍ଲାପାଳ ଆସନ୍ତାକାଲି ସମସ୍ତ ସ୍କୁଲ୍‌, କଲେଜ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରୁରିକାଳୀନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଶିକ୍ଷକଶିକ୍ଷୟିତ୍ରୀ ଓ ଅଣଶିକ୍ଷା କର୍ମଚାରୀମାନଙ୍କୁ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.