ARTICLE AD BOX
ଗୁଆହାଟୀ: ଆସାମରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ଯୋଗୁଁ ମୃତ୍ୟୁ ସଂଖ୍ୟା ୭୫ରେ ପହଞ୍ଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ଶିବସାଗର ଜିଲ୍ଲାରେ ଆଉ ୭ ଜଣଙ୍କର ମୃତ୍ୟୁ ହେବା ପରେ ଏହି ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସ୍ଡିଏମଏ) ର ରିପୋର୍ଟ ଅନୁଯାୟୀ, ଶିବସାଗର, ଚରାଇଦେଓ, ଗୋଲାଘାଟ, ଯୋରହାଟ, ନଗାଓଁ, ଶୋଣିତପୁର ଏବଂ କାମରୂପ ଭଳି ୭ଟି ଜିଲ୍ଲାର ପ୍ରାୟ ୬୨୨ଟି ଗ୍ରାମ ଏବେ ମଧ୍ୟ ଜଳମଗ୍ନ ହୋଇ ରହିଛି। ବନ୍ୟା ଯୋଗୁଁ ପ୍ରାୟ ୪୫,୩୪୨ ହେକ୍ଟର ଚାଷଜମି ନଷ୍ଟ ହୋଇଯାଇଥିବା ବେଳେ ବାସହରା ହୋଇପଡ଼ିଥିବା ୩୨,୪୭୭ ଜଣ ବିପନ୍ନଙ୍କୁ ୧୧୫ଟି ସରକାରୀ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ଦିଆଯାଇଛି।
ଆହୁରି ପଢନ୍ତୁ:₹2,496 Crore to APICOL ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ବୈଠକ-୨୦୨୬: କୃଷି ଉଦ୍ୟୋଗ ପାଇଁ ଏପିକଲ୍କୁ ୨୪୯୬କୋଟି ଟଙ୍କା
ଏହି ସଙ୍କଟ ସମୟରେ ବିପନ୍ନଙ୍କୁ ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ବୃହତ୍ ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ, ପ୍ରତ୍ୟେକ ମୃତକଙ୍କ ପରିବାର ଏବଂ ୩୦ ଦିନରୁ ଅଧିକ ସମୟ ଧରି ନିଖୋଜ ଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ସହ ଅତିରିକ୍ତ ୫ ଲକ୍ଷ ଟଙ୍କା ଅର୍ଥାତ୍ ମୋଟ ୯ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହାସହିତ ବନ୍ୟା ପ୍ରଭାବିତ ପ୍ରାୟ ୧ ଲକ୍ଷ ପରିବାରକୁ ତୁରନ୍ତ ଘରୋଇ ସାମଗ୍ରୀ କିଣିବା ପାଇଁ ୧୫,୦୦୦ ଟଙ୍କା ଲେଖାଏଁ ସହାୟତା ମିଳିବ।
ଆହୁରି ପଢନ୍ତୁ:Health: ନୂତନ ଜୀବନ ପାଇଲେ ୪୯ ବର୍ଷୀୟା ମହିଳା ପୁଲିସ ଅଧିକାରୀ
ଅଗଷ୍ଟ ୧ ତାରିଖରୁ ବନ୍ୟା ପ୍ରଭାବିତ ଅଞ୍ଚଳର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୧,୦୦୦ ଟଙ୍କା, ସ୍ନାତକ (ୟୁଜି) ଛାତ୍ରଛାତ୍ରୀଙ୍କୁ ୩,୦୦୦ ଟଙ୍କା ଏବଂ ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀଙ୍କୁ ୫,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ସହ ମାଗଣା ପାଠ୍ୟପୁସ୍ତକ ଓ ପୋଷାକ ଯୋଗାଇ ଦିଆଯିବ। ବନ୍ୟାରେ ନଷ୍ଟ ହୋଇଯାଇଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ମାର୍କସିଟ୍ ଏବଂ ସାର୍ଟିଫିକେଟ୍ ମଧ୍ୟ ସରକାରଙ୍କ ପକ୍ଷରୁ ବିନା ମୂଲ୍ୟରେ ପୁନଃ ଜାରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

5 days ago
5


