ARTICLE AD BOX
ଅମୃତସର:ପଞ୍ଜାବର ଅମୃତସର ଜିଲ୍ଲାରେ କର୍ତ୍ତବ୍ୟରତ ସବ୍-ଇନ୍ସପେକ୍ଟର (ଏଏସଆଇ) ହରଜିତ୍ ସିଂହଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଶୁକ୍ରବାର ଭୋର ପ୍ରାୟ ୨:୩୦ ସମୟରେ ଗେଟ୍ ହାକିମା ଅଞ୍ଚଳରେ ଡ୍ୟୁଟିରେ ଥିବା ବେଳେ ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କ ଉପରକୁ ଅନ୍ଧାଧୁନିଆ ଗୁଳିଚାଳନା କରିଥିଲେ। ୫୦ ବର୍ଷୀୟ ଏଏସଆଇ ହରଜିତଙ୍କ ଶରୀରରେ ତିନୋଟି ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଅମନଦୀପ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଗୁଳିକାଣ୍ଡ ପଛର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ପୁଲିସ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ବ୍ୟାପକ ତଦନ୍ତ ଆରମ୍ଭ କରିଛି।
ଆନୁଷ୍ଠାନିକ ବିଦାୟ ଦିଆଯିବ
ଏହି ଦୁଃଖଦ ଘଟଣା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ସହିଦଙ୍କ ଅସୀମ ସାହସିକତା ଓ ନିଷ୍ଠାର ଉଚ୍ଚ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ସହିଦ ଏଏସଆଇଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହାସହିତ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ଅତିରିକ୍ତ ୧ କୋଟି ଟଙ୍କାର ବୀମା ରାଶି ସହାୟତା ଭାବେ ପ୍ରଦାନ କରାଯିବ। ଅପରପକ୍ଷରେ, ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଗୌରବ ଯାଦବ ଅମୃତସର ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସହିଦ ହରଜିତ୍ ସିଂହଙ୍କୁ ପୂର୍ଣ୍ଣ ପୁଲିସ ସମ୍ମାନ ସହ ଆନୁଷ୍ଠାନିକ ବିଦାୟ ଦିଆଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି। ପୁଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବା ସହ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚୁରା କରାଯାଉଛି। କର୍ତ୍ତବ୍ୟରତ ପୁଲିସ ଅଫିସରଙ୍କୁ ଏପରି ହତ୍ୟା କରାଯିବା ଘଟଣାକୁ ଗମ୍ଭୀରତାର ସହ ନେଇ ପୁଲିସ ପ୍ରଶାସନ ଅପରାଧୀଙ୍କୁ ଶୀଘ୍ର ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି।
Fighter Jet: ଚଳିତ ବର୍ଷ ଶେଷ ସୁଦ୍ଧା ବାୟୁସେନାକୁ ମିଳିବ ''ଏଲସିଏ ମାର୍କ-୧ଏ'' ଲଢ଼ୁଆ ବିମାନ

21 minutes ago
1


