ARTICLE AD BOX
ନୂଆଦିଲ୍ଲୀ: ୨୦୧୬ ମସିହା ସେପ୍ଟେମ୍ବର ୧୮। ସକାଳ ହେବା ପୂର୍ବରୁ ଜମ୍ମୁ-କଶ୍ମୀରର ଉରିରେ ଥିବା ଭାରତୀୟ ସେନା ଶିବିରରେ ହଠାତ୍ ଶୁଭିଥିଲା ଗୁଳି ଓ ବିସ୍ଫୋରଣର ଶବ୍ଦ। ସେହି ସକାଳର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟବିଦାରକ। ଆକ୍ରମଣକାରୀମାନେ ଗ୍ରେନେଡ୍ ମାଡ଼ କରିବା ସହ ଗୁଳି ଚଳାଇଥିଲେ। ଶିବିରରେ ନିଆଁ ଲାଗିଯିବାରୁ ଅନେକ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ। ସେନାର ପ୍ରତିଆକ୍ରମଣରେ ଚାରିଜଣ ଆତଙ୍କବାଦୀ ନିହତ ହୋଇଥିଲେ, କିନ୍ତୁ ତା' ପୂର୍ବରୁ ଦେଶ ହରାଇଥିଲା ତା'ର ବୀର ସନ୍ତାନମାନଙ୍କୁ।
୧୯ ଯବାନଙ୍କ ବଳିଦାନକୁ ମନେ ପକାଉଛି ଦେଶ
ଉରି ଆକ୍ରମଣ କେବଳ ଏକ ସେନା ଶିବିର ଉପରେ ହୋଇଥିବା ଆକ୍ରମଣ ନଥିଲା; ଏହା ଅନେକ ପରିବାରର ଜୀବନକୁ ଚିରଦିନ ପାଇଁ ବଦଳାଇ ଦେଇଥିଲା।ଚାରିଜଣ ଆତଙ୍କବାଦୀ ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ପ୍ରଥମେ ୧୭ ଜଣ ଯବାନ ସହିଦ ହୋଇଥିବାବେଳେ ପରବର୍ତ୍ତୀ ଦିନଗୁଡ଼ିକରେ ଆହତ ଯବାନଙ୍କ ମଧ୍ୟରୁ ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ଫଳରେ ସହିଦଙ୍କ ସଂଖ୍ୟା ୧୯ରେ ପହଞ୍ଚିଥିଲା। ଯେଉଁ ଘରଗୁଡ଼ିକରେ ସେଦିନ ପର୍ଯ୍ୟନ୍ତ ଫେରିବା ବାଟକୁ ଚାହିଁ ବସିଥିଲେ ପରିବାର, ସେଠାକୁ ଫେରିଥିଲା ଦୁଃଖଦ ଖବର। ମା' ହରାଇଥିଲେ ପୁଅକୁ, ପତ୍ନୀ ହରାଇଥିଲେ ଜୀବନସାଥୀଙ୍କୁ ଏବଂ ଛୋଟ ପିଲାଙ୍କ ମୁଣ୍ଡରୁ ଉଠିଯାଇଥିଲା ବାପାଙ୍କ ସ୍ନେହର ଛାତ। ସେହି ଶୂନ୍ୟତାର ଯନ୍ତ୍ରଣା ଆଜି ବି ଅନେକ ପରିବାର ବୋହିଚାଲିଛନ୍ତି।
ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା ଏବଂ ସେନା ପକ୍ଷରୁ ବିଭିନ୍ନ ପ୍ରୋଟୋକଲ୍ ଓ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିବା ସରକାରୀ ରେକର୍ଡରେ ଉଲ୍ଲେଖ ରହିଛି। ଏହାର କିଛି ଦିନ ପରେ, ୨୮-୨୯ ସେପ୍ଟେମ୍ବର ରାତିରେ ଭାରତୀୟ ସେନା ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିବା ଭାରତ ସରକାର ଘୋଷଣା କରିଥିଲେ। ଦଶ ବର୍ଷ ବିତିଗଲାଣି। ସମୟ ଆଗକୁ ବଢ଼ିଛି, ପିଢ଼ି ବଦଳିଛି, କିନ୍ତୁ ୧୯ ଜଣ ଯବାନଙ୍କ ବଳିଦାନର ସ୍ମୃତି ମିଳାଇ ଯାଇନାହିଁ। ପ୍ରତିବର୍ଷ ସେପ୍ଟେମ୍ବର ୧୮ ଆସିଲେ ଦେଶ ସେହି ବୀର ଯବାନମାନଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରେ। ସେମାନେ ଆଜି ଆମ ମଧ୍ୟରେ ନାହାନ୍ତି, କିନ୍ତୁ ଦେଶ ପାଇଁ ଦେଇଥିବା ସେମାନଙ୍କ ତ୍ୟାଗ ଓ ବଳିଦାନ ଭାରତର ସ୍ମୃତିରେ ସବୁବେଳେ ଅମର ହୋଇ ରହିବ।

13 minutes ago
1


