ଓଡ଼ିଶାର କାର୍ବନ ସଙ୍କଟ ଓ ସମାଧାନ ଚିନ୍ତା

1 hour ago 1
ARTICLE AD BOX

ସତ୍ୟ ଏସ. ତ୍ରିପାଠୀ

୧୯୯୦ ଦଶକରେ ସମଗ୍ର ପୃଥିବୀର ଜିଡିପି ଥିଲା ମାତ୍ର ପାଖାପାଖି ୨୩ ଟ୍ରିଲିଅନ ଡଲାର। ଆଜି ତାହା ପ୍ରାୟ ୧୧୫ ଟ୍ରିଲିଅନ ଡଲାରକୁ ବୃଦ୍ଧି ପାଇଛି। ସାଢ଼େ ତିନି ଦଶନ୍ଧି ଭିତରେ ବିଶ୍ବର ଜିଡିପି ଛଅଗୁଣ ବଢ଼ିଲା କିପରି ପ୍ରଶ୍ନ କଲେ ଉତ୍ତର ମିଳିବ ଯେ ତାହା ପୃଥିବୀର ବେଧଡ଼କ୍‌ ବିନାଶ ଦ୍ବାରା ସମ୍ଭବ ହୋଇଛି। 
ଅର୍ଥନୀତିଜ୍ଞ ବନ୍ଧୁମାନେ କୁହନ୍ତି ଯେ ପୃଥିବୀର ସମୁଦାୟ ଜିଡିପିର ୪୦% ପ୍ରକୃତିରୁ ଆସେ।  ଏହା ସଂପୂର୍ଣ୍ଣ ଭୁଲ୍‌ କଥା, କାରଣ ସବୁକିଛି ପ୍ରକୃତିରୁ ହିଁ ଆମେ ଆହରଣ କରୁ। ଆମେ ପିନ୍ଧୁଥିବା ପୋଷାକରୁ ଆରମ୍ଭ କରି ଆଖପାଖରେ ଥିବା ଯାବତୀୟ ସାମଗ୍ରୀ ପ୍ରକୃତିରୁ ହିଁ ଆମକୁ ମିଳିଥାଏ। ଜିଡିପି ଅଭିବୃଦ୍ଧି ଯେ ବିକାଶ ଆଣେ, ତାହା ମଣିଷଙ୍କ କ୍ଷେତ୍ରରେ ସତ ହୋଇପାରେ, କିନ୍ତୁ ପ୍ରକୃତି ପାଇଁ ତାହା ସତ ନୁହେଁ। ଆଉ ଯାହା ପ୍ରକୃତି ଲାଗି ଉପଯୁକ୍ତ ନୁହେଁ, ତାହା ଶେଷରେ ମଣିଷ ସମେତ ଅନ୍ୟ ସମସ୍ତ ପ୍ରାଣୀଙ୍କୁ ମଧ୍ୟ ପ୍ରଭାବିତ କରିବ। ତେଣୁ ବିକାଶର ଅର୍ଥ ଅଧିକ ଉତ୍ପାଦନ, ଅଧିକ ଶିଳ୍ପ ଓ ଅଧିକ ଆୟ ନୁହେଁ; ପ୍ରକୃତିର ସନ୍ତୁଳନ ରକ୍ଷା କରି ଆଗକୁ ବଢ଼ିବା ହିଁ ପ୍ରକୃତ ବିକାଶ।
ଓଜୋନ ସ୍ତରର ସୁରକ୍ଷା ପାଇଁ ୧୯୮୭ରେ ସ୍ୱାକ୍ଷରିତ ମଣ୍ଟ୍ରିଲ୍ ପ୍ରୋଟୋକଲ ବିଶ୍ୱ ସହଯୋଗର ଏକ ଐତିହାସିକ ଉଦାହରଣ। ବୈଜ୍ଞାନିକମାନେ ଓଜୋନ ସ୍ତରର କ୍ଷୟ ଓ ଅତିବାଇଗଣି ରଶ୍ମିର ବିପଦ ସମ୍ପର୍କରେ ସତର୍କ କରିବା ପରେ ବିଶ୍ୱର ଦେଶଗୁଡ଼ିକ ଏକାଠି ହୋଇଥିଲେ। କୂଟନୀତିଜ୍ଞ ଓ ରାଜନେତାଙ୍କ ପଦକ୍ଷେପ ପୂର୍ବରୁ ବୈଜ୍ଞାନିକଙ୍କ ଚେତାବନୀ ହିଁ ଏହି ପରିବର୍ତ୍ତନର ଆଧାର ହୋଇଥିଲା। ପରେ ୨୦୧୬ର କିଗାଲି ସଂଶୋଧନ ମାଧ୍ୟମରେ ଜଳବାୟୁ ଉତ୍ତାପ ବଢ଼ାଉଥିବା ‘ଏଚ୍‌ଏଫ୍‌ସି’ ଗ୍ୟାସ୍‌ର ବ୍ୟବହାର ହ୍ରାସ ପାଇଁ ପଦକ୍ଷେପ ନିଆଗଲା। ଏହି ପ୍ରକରଣରୁ ମିଳିଥିବା ଶିକ୍ଷାଟି ହେଉଛି- ବିଜ୍ଞାନର କଥା ଶୁଣିଲେ ଏବଂ ମାନବ ସ୍ୱାର୍ଥକୁ ରାଜନୈତିକ ସ୍ୱାର୍ଥରୁ ଊର୍ଦ୍ଧ୍ବରେ ରଖିଲେ ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ସମ୍ଭବ।
କିନ୍ତୁ ଜଳବାୟୁ ପରିବର୍ତ୍ତନ ମାମଲାରେ ଆମେ ଏପର୍ଯ୍ୟନ୍ତ ସେହି ଏକତା ଦେଖାଇପାରିନାହୁଁ। ୧୯୯୨ର ରିଓ ପୃଥିବୀ ଶିଖର ସମ୍ମିଳନୀରୁ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଓ ମରୁଭୂମୀକରଣ ପାଇଁ ତିନିଟି ପୃଥକ୍ ଆନ୍ତର୍ଜାତିକ ଚୁକ୍ତିର ମୂଳଦୁଆ ପଡ଼ିଥିଲା। ଏହି ସମସ୍ୟାଗୁଡ଼ିକ ପରସ୍ପର ସହ ଓତପ୍ରୋତ ଭାବେ ଯୋଡ଼ି ରହିଥିଲେ ହେଁ ଆମେ ସେଗୁଡ଼ିକୁ ଭିନ୍ନ ଭିନ୍ନ ଭାବରେ ପରିଚାଳନା କରୁଛୁ। ଜଙ୍ଗଲ ନଷ୍ଟ ହେଲେ ଜୈବ ବିବିଧତା କମେ, ମାଟିର ଉର୍ବରତା ହ୍ରାସ ପାଏ ଓ ଜଳବାୟୁ ସନ୍ତୁଳନ ବିଗିଡ଼ିଯାଏ। ଏହା ସତ୍ତ୍ୱେ ପ୍ରଶାସନିକ ଓ ରାଜନୈତିକ ବ୍ୟବସ୍ଥା ପ୍ରକୃତିର ଏହି ଅବିଚ୍ଛିନ୍ନ ସମ୍ପର୍କକୁ ଭାଗ ଭାଗ କରି ଦେଖିଥାଏ। ପ୍ରକୃତିକୁ ବୁଝିବାର ଏହି ପ୍ରବୃତ୍ତି ହିଁ ସମନ୍ୱିତ ସମାଧାନର ପଥରୋଧ କରିଥାଏ।
ବିଶ୍ୱ ତାପମାତ୍ରା ବୃଦ୍ଧିର ଭୟାବହତା ଏବେ ଆଉ ଆକଳନରେ ସୀମିତ ନାହିଁ। ୧୮୫୦-୧୯୦୦କୁ ପ୍ରାକ୍‌-ଶିଳ୍ପାୟନ ଆଧାରବର୍ଷ ଭାବେ ଧରିଲେ ୨୦୨୪ରେ ପୃଥିବୀର ହାରାହାରି ତାପମାତ୍ରା ପ୍ରାୟ ୧.୫୫ ଡିଗ୍ରି ସେଲସିଅସ ଅଧିକ ଥିଲା। ଏହି ବୃଦ୍ଧି ଏ ପର୍ଯ୍ୟନ୍ତ ସ୍ଥାୟୀ ହୋଇ ନଥିଲା, କିନ୍ତୁ ଆସନ୍ତା ବର୍ଷ ସୁଦ୍ଧା ବିଶ୍ବ ତାପନ ସ୍ଥାୟୀ ଭାବେ ୧.୫ ଡିଗ୍ରି ସେଲସିଅସ ଟପିଯିବ ବୋଲି ଆମକୁ ଦୃଢ଼ ବୈଜ୍ଞାନିକ ସଂକେତ ମିଳିସାରିଛି। ତାପମାତ୍ରା ବୃଦ୍ଧି ସହ ପ୍ରବାଳ ପ୍ରାଚୀରର ବିନାଶ, ସମୁଦ୍ରର ଜଳସ୍ତର ବୃଦ୍ଧି, ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଓ ଅନିୟମିତ ବର୍ଷା ମଣିଷର ଜୀବନକୁ ପ୍ରଭାବିତ କରୁଛି। ପ୍ରବାଳ ପ୍ରାଚୀର ସମୁଦ୍ରର ଅସଂଖ୍ୟ ସାମୁଦ୍ରିକ ଜୀବଙ୍କ ଆଶ୍ରୟ ଓ ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀଙ୍କ ଜୀବିକାର ଆଧାର ହୋଇଥିବାରୁ ଏହାର ବିନାଶ ଖାଦ୍ୟ ସୁରକ୍ଷାକୁ ମଧ୍ୟ ବିପଦରେ ପକାଇବ।
ଏହି ବିଶ୍ୱ ସଙ୍କଟ ମଧ୍ୟରେ ଓଡ଼ିଶାର ସ୍ଥିତି ବିଶେଷ ଚିନ୍ତାଜନକ। ଉପଲବ୍‌ଧ ତଥ୍ୟ ଅନୁସାରେ, ଓଡ଼ିଶାର ମୁଣ୍ଡପିଛା କାର୍ବନ ନିର୍ଗମନ ପ୍ରାୟ ୬.୯ ଟନ୍ ଅଙ୍ଗାରକାମ୍ଳ ସମତୁଲ୍ୟ, ଯେତେବେଳେକି ଜାତୀୟ ହାର ହେଉଛି ପ୍ରାୟ ୨.୮ ଟନ୍। ରାଜ୍ୟର ଜନସଂଖ୍ୟା ଦେଶର ୩% ହୋଇଥିଲେ ହେଁ ଜାତୀୟ ଅଙ୍ଗାର ନିର୍ଗମନରେ ଓଡ଼ିଶାର ଅବଦାନ ହେଉଛି ୧୦%। ଏହି ପାର୍ଥକ୍ୟର ମୁଖ୍ୟ କାରଣ କୋଇଲାଭିତ୍ତିକ ବିଦ୍ୟୁତ୍ ଉତ୍ପାଦନ, ଇସ୍ପାତ ଶିଳ୍ପ ଓ ଖଣି କାର୍ଯ୍ୟକଳାପ। ଏହି ଶିଳ୍ପଗୁଡ଼ିକ ରୋଜଗାର, ରାଜସ୍ୱ ଓ ଭିତ୍ତିଭୂମି ନିର୍ମାଣରେ ଅବଦାନ ରଖୁଛନ୍ତି, କିନ୍ତୁ ସେମାନଙ୍କର ପରିବେଶୀୟ ମୂଲ୍ୟକୁ ଆମେ କେତେଦିନ ଅଣଦେଖା କରିବା?
ଏଠାରେ ଏକ ବଡ଼ ଆର୍ଥିକ ଓ ନୈତିକ ପ୍ରଶ୍ନ ରହିଛି। ଉନ୍ନତ ଦେଶଗୁଡ଼ିକ ବହୁ ଦଶନ୍ଧି ଧରି ଅଧିକ କାର୍ବନ ନିର୍ଗମନ କରି ନିଜେ ସମୃଦ୍ଧ ହୋଇଛନ୍ତି। ଐତିହାସିକ ନିର୍ଗମନର ଏହି ଅସମାନତାକୁ ଅଣଦେଖା କରି ଭାରତ ଭଳି ବିକାଶଶୀଳ ଦେଶ ଉପରେ ସମାନ ଦାୟିତ୍ୱ ଲଦିଦେବା ନ୍ୟାୟସଙ୍ଗତ ନୁହେଁ। ତଥାପି ଅତୀତର ଅନ୍ୟାୟକୁ ଦର୍ଶାଇ ବର୍ତ୍ତମାନର ସଙ୍କଟରୁ ମୁକ୍ତି ମିଳିବ ନାହିଁ। 
ୟୁରୋପୀୟ ସଂଘର ‘କାର୍ବନ ବର୍ଡର ଆଡଜଷ୍ଟମେଣ୍ଟ ମେକାନିଜମ୍’ (ସିବିଏଏମ୍‌) ନୀତି ଏଠାରେ ପ୍ରଣିଧାନଯୋଗ୍ୟ। ଇସ୍ପାତ ଭଳି ଉତ୍ପାଦର ଉତ୍ପାଦନ ସମୟରେ ହୋଇଥିବା କାର୍ବନ ନିର୍ଗମନକୁ ଏହା ବାଣିଜ୍ୟିକ ମୂଲ୍ୟ ସହ ଯୋଡୁଛି। ଅର୍ଥାତ୍, ଆମେ ଯେଉଁ ବଜାରକୁ ଉତ୍ପାଦ ରପ୍ତାନି କରିବୁ, ସେଠାରେ କାର୍ବନ ନିର୍ଗମନର ମୂଲ୍ୟ ମଧ୍ୟ ଦେବାକୁ ପଡ଼ିପାରେ। ଏହି ନୂଆ ବାସ୍ତବତାକୁ ଆମେ ଅଣଦେଖା କରିପାରିବା ନାହିଁ।
ଭାରତର ଜଳବାୟୁ ଲକ୍ଷ୍ୟ ପୂରଣର ଦାୟିତ୍ୱ ଆଗାମୀ ଦିନରେ ରାଜ୍ୟଗୁଡ଼ିକ ଉପରେ ମଧ୍ୟ ଅଧିକ ଚାପ ସୃଷ୍ଟି କରିପାରେ। ଯେଉଁ ରାଜ୍ୟର ଆୟ ତୁଳନାରେ ନିର୍ଗମନ ଅଧିକ, ସେହି ରାଜ୍ୟ ପାଇଁ ଏହା ଏକ ବଡ଼ ଆର୍ଥିକ ଆହ୍ୱାନ ହେବ। ଓଡ଼ିଶା ଏହି ପରିସ୍ଥିତିକୁ କିପରି ସାମ୍ନା କରିବ? ଆମ ଶିଳ୍ପ, ନିଯୁକ୍ତି ଓ ରାଜ୍ୟର ଆର୍ଥିକ ସ୍ଥିରତା ଉପରେ ଏହାର କି ପ୍ରଭାବ ପଡ଼ିବ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଆଜିଠାରୁ ଖୋଜିବା ଦରକାର।
ଏହାର ସମାଧାନ କେବଳ ଶିଳ୍ପ ବନ୍ଦ କରିବାରେ ନିହିତ ନାହିଁ; ବରଂ ବିକାଶର ପଦ୍ଧତି ବଦଳାଇବା ଦରକାର। ଆନ୍ଧ୍ରପ୍ରଦେଶର ସମ୍ପ୍ରଦାୟଭିତ୍ତିକ ଜୈବିକ ଚାଷ କାର୍ଯ୍ୟକ୍ରମ ତା’ର ଏକ ଉଲ୍ଲେଖନୀୟ ଉଦାହରଣ। ଲକ୍ଷ ଲକ୍ଷ ମହିଳା ଚାଷୀଙ୍କ ଅଂଶଗ୍ରହଣ ବଳରେ ସେଠାରେ ରାସାୟନିକ ସାର ଓ କୀଟନାଶକ ଉପରେ ନିର୍ଭରଶୀଳତା କମାଇବା, ମାଟିର ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ ଚାଷକୁ ଜଳବାୟୁ ସହନଶୀଳ କରିବାର ପ୍ରୟାସ ହେଉଛି। ଓଡ଼ିଶାର ବିଶାଳ କୃଷିଜମିରେ ମଧ୍ୟ ସ୍ଥାନୀୟ ଆବଶ୍ୟକତା ଅନୁସାରେ ଏହି ମଡେଲ୍ ପ୍ରୟୋଗ କରାଯାଇପାରେ। କୃଷି ଯଦିଓ ଓଡ଼ିଶାର ନିର୍ଗମନର ପ୍ରମୁଖ ଉତ୍ସ ନୁହେଁ, ତଥାପି ଏହା କାର୍ବନ ହ୍ରାସ ଓ ପରିବେଶ ସୁରକ୍ଷାର ଏକ ବଡ଼ ମାଧ୍ୟମ ହୋଇପାରେ।
ଏହି ପରିବର୍ତ୍ତନରେ ଅର୍ଥନୀତି ଓ ନୀତିନିର୍ଦ୍ଧାରଣର ସମ୍ପର୍କକୁ ଭୁଲି ହେବ ନାହିଁ। ଜଳବାୟୁ ସଙ୍କଟର ସମାଧାନ କେବଳ ବୈଜ୍ଞାନିକ ଆଲୋଚନାରେ ସୀମିତ ରହିଲେ ଚଳିବ ନାହିଁ। ଏଥିପାଇଁ ବିଜ୍ଞାନ, ନୀତି ଓ ଅର୍ଥନୀତିର ସମନ୍ୱୟ ଆବଶ୍ୟକ। ଉତ୍ତମ ନୀତି ପ୍ରଣୟନ ହେଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ଓ ସମ୍ବଳ ଦରକାର। ତେଣୁ ଅଙ୍ଗାର ନିର୍ଗମନ ହ୍ରାସକୁ କେବଳ ପରିବେଶୀୟ ଦାୟିତ୍ୱ ଭାବେ ନୁହେଁ, ନୂଆ ନିବେଶ, ନୂଆ ଉଦ୍ୟୋଗ ଓ ନୂଆ ନିଯୁକ୍ତି ସୃଷ୍ଟିର ସୁଯୋଗ ଭାବେ ଦେଖିବାକୁ ହେବ। ଏହି କ୍ଷେତ୍ରରେ ହେନ୍ତାଳ ବଣ ସଂରକ୍ଷଣ, ଅଙ୍ଗାର ଶୋଷଣ ପ୍ରକଳ୍ପ ଓ ସ୍ଥାନୀୟ ସମ୍ପ୍ରଦାୟର ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ। ପରିବେଶ ସୁରକ୍ଷା ଯଦି ସାଧାରଣ ଲୋକଙ୍କ ଆୟ ଓ ଜୀବିକା ସହ ଯୋଡ଼ି ହୋଇପାରିବ, ତେବେ ତାହା ଏକ ସ୍ଥାୟୀ ଜନଆନ୍ଦୋଳନର ରୂପ ନେଇପାରିବ।
ଆମ ଇତିହାସ ମଧ୍ୟ ଆମକୁ ଉଦ୍ୟମଶୀଳତାର ଶିକ୍ଷା ଦିଏ। କଳିଙ୍ଗର ସାମୁଦ୍ରିକ ବାଣିଜ୍ୟ, ବାଲିଯାତ୍ରା ଓ ନୌବାଣିଜ୍ୟ ପରମ୍ପରା ଆମ ପୂର୍ବଜଙ୍କ ସାହସ ଓ ନବସୃଜନର ପ୍ରମାଣ। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ପରମ୍ପରା ଆମ ସାମୁଦ୍ରିକ ଗୌରବର ସ୍ମୃତି। ଆଜି ଆମକୁ ସେହି ଐତିହାସିକ ଉଦ୍ୟମଶୀଳତାକୁ ପରିବେଶ ସୁରକ୍ଷା ଓ ସବୁଜ ଅର୍ଥନୀତି ଗଠନରେ ନିୟୋଜିତ କରିବାକୁ ହେବ।
ଏଥିପାଇଁ ସରକାରଙ୍କ ସହ ଉଦ୍ୟୋଗୀ, ସାମାଜିକ ସଂଗଠନ, ସାମ୍ବାଦିକ ଓ ଯୁବପିଢ଼ି ଆଗକୁ ଆସିବା ଆବଶ୍ୟକ। ଉପକୂଳରେ ହେନ୍ତାଳ ବଣ ସୃଷ୍ଟି, ଜଳାଶୟ ସୁରକ୍ଷା, ଜୈବିକ ଚାଷ ଓ ସ୍ୱଚ୍ଛ ଶକ୍ତିର ପ୍ରସାର ମାଧ୍ୟମରେ ପରିବେଶ ସହ ଲୋକଙ୍କ ଜୀବିକାକୁ ମଧ୍ୟ ସୁରକ୍ଷିତ କରାଯାଇପାରିବ। ସାମ୍ବାଦିକମାନେ କେବଳ ସମସ୍ୟା ଓ ଅଭିଯୋଗକୁ ସାମ୍ନାକୁ ଆଣିବାରେ ସୀମିତ ନ ରହି ନିଜ ଅଞ୍ଚଳରେ ପରିବର୍ତ୍ତନ ଆଣୁଥିବା ଲୋକ ଓ ସଂଗଠନଙ୍କୁ ଚିହ୍ନଟ କରିବା ଆବଶ୍ୟକ। ସେମାନେ ସମାଜର ବିବେକ ହେବା ସହ ପରିବର୍ତ୍ତନର ଅନୁପ୍ରେରକ ମଧ୍ୟ ହୋଇପାରିବେ।
ଏକ ସାଧାରଣ ସମସ୍ୟାରୁ ଯେପରି ଫାଷ୍ଟଟ୍ୟାଗ ଭଳି ଏକ ବଡ଼ ପ୍ରଯୁକ୍ତିଗତ ସମାଧାନର ଜନ୍ମ ହୋଇଥିଲା, ସେହିପରି ଯୁବପିଢ଼ିର ସୃଜନଶୀଳ ଚିନ୍ତାଧାରା ଜଳବାୟୁ ସଙ୍କଟର ନୂଆ ସମାଧାନ ଆଣିପାରିବ। ଫାଷ୍ଟଟ୍ୟାଗ ଯାତାୟାତକୁ ସହଜ କରିବା ସହ ଟୋଲ ଗେଟରେ ଗାଡ଼ିର ଅନାବଶ୍ୟକ ଅପେକ୍ଷା ସମୟ, ଇନ୍ଧନ ବ୍ୟୟ ଓ ଅଙ୍ଗାର ନିର୍ଗମନ ହ୍ରାସ କରିବାରେ ସହାୟକ ହୋଇଛି। ଏହା ଦର୍ଶାଏ ଯେ ଯୁବପିଢ଼ି ସମସ୍ୟାକୁ ଦୋଷାରୋପର ବିଷୟ ନ କରି ସୃଜନଶୀଳ ସମାଧାନର ସୁଯୋଗ ଭାବେ ଦେଖିଲେ ବଡ଼ ପରିବର୍ତ୍ତନ ସମ୍ଭବ।
ପ୍ରଶ୍ନ ହେଉଛି, ଆମେ କେବଳ ସମସ୍ୟା ପାଇଁ ଅନ୍ୟକୁ ଦୋଷ ଦେବା ନା ସମାଧାନର ଅଂଶ ହେବା? ଓଡ଼ିଶାକୁ ଭାରତର ଅଙ୍ଗାର ନିର୍ଗମନ ସମସ୍ୟାର ଉଦାହରଣ ରୂପେ ଦେଖିବା ବଦଳରେ ତା’ର ସମାଧାନର ମଡେଲ୍ କରିବା ହିଁ ଆମର ଲକ୍ଷ୍ୟ ହେଉ। କାରଣ ପ୍ରକୃତିର ସୁରକ୍ଷା ହେଉଛି ଆମ ନିଜ ଜୀବନକୁ ସୁରକ୍ଷା ଦେବାର ସର୍ବପ୍ରଥମ ସର୍ତ୍ତ।
(‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ପ୍ରଦାନ କରିଥିବା ଭାଷଣର ସଂପାଦିତ ଅଂଶ)
(ମତାମତ ଲେଖକଙ୍କ ନିଜସ୍ବ)

Read Entire Article
LEFT SIDEBAR AD

Hidden in mobile, Best for skyscrapers.