ARTICLE AD BOX
ସମ୍ବଲପୁର: ଫସଲର ପ୍ରଥମ ଅର୍ଘ୍ୟ ଆରାଧ୍ୟା ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ଅର୍ପଣ କରିବା ପରେ ପଶ୍ଚିମ ଓଡ଼ିଶା ସମେତ ଛତିଶଗଡ଼ର ସୀମାବର୍ତ୍ତୀ ଅଞ୍ଚଳରେ ଗଣପର୍ବ ‘ନୂଆଁଖାଇ’ ଆନନ୍ଦଉଲ୍ଲାସର ସହ ପାଳିତ ହୋଇଛି। ସବୁ ମନୋମାଳିନ୍ୟ ଭୁଲି ଆଜି ଦେଖିବାକୁ ମିଳିଛି ପାରିବାରିକ, ସାମାଜିକ ଏକତା ଓ ଆତ୍ମୀୟତାର ନିଦର୍ଶନ। ଜୀବିକା ପାଇଁ ଯିଏ ଯେଉଁଠି ଥାଉ ନା କାହିଁକି, ଆଜି ସମସ୍ତେ ନିଜ ଘରକୁ ଆସି ପରିବାର ସହିତ ଏକାଠି ହୋଇଛନ୍ତି। ଆଜି ପ୍ରତି ଗାଁରେ କ୍ଷେତ ପୂଜା ଅନନ୍ୟ ପରିବେଶ ସୃଷ୍ଟି କରିଛି। ଏହା ସହିତ କୁମ୍ଭାର ତା’ର ଚକ, ମତ୍ସ୍ୟଜୀବୀ ଜାଲ, ବଜନିଆ ବାଜାର ପୂଜା କରିଛନ୍ତି। କୌଳିକବୃତ୍ତିଧାରୀ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବିକାନିର୍ବାହ ଉପକରଣର ପୂଜା କରିଛନ୍ତି। ସନ୍ଧ୍ୟାରେ ଗାଁ’ରୁ ସହର ସବୁଠି ନୂଆଁଖାଇ ଜୁହାର୍ ଭେଟ୍ ଅନୁଷ୍ଠିତ ହୋଇଛି। ଅନେକ ସ୍ଥାନରେ ଖେଳ ପ୍ରତିଯୋଗିତା, ଲୋକନୃତ୍ୟ, ଗୀତର ଆସର ଜମିଛି।
AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍ ଗେଟ୍ସ
ନିର୍ଦ୍ଧାରିତ ସମୟରେ ମା’ଙ୍କଠାରେ ଲାଗିହେଲା ନବାନ୍ନ
ମାଟି, ମଣିଷ ଓ ପରମ୍ପରାର ମହାମିଳନ
ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ମଙ୍ଗଳବାର ସକାଳ ୯.୪୦ରୁ ୯.୫୪ ମିନିଟ୍ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଭୋଗ ଲାଗିଥିଲା। ଏଥିପାଇଁ ପୂର୍ବରୁ ସମଲେଶ୍ବରୀଙ୍କ ପୀଠ ପ୍ରସ୍ତୁତ ହୋଇ ରହିଥିଲା। ଆଜି ସକାଳ ପ୍ରାୟ ୫ଟାରେ ମନ୍ଦିର ପହୁଡ଼ ଫିଟିବା ପରେ ପୂଜକମାନେ ମା’ଙ୍କୁ ଶାଢ଼ି ଓ ଅଳଙ୍କାର ପିନ୍ଧାଇଥିଲେ। ଅଧଘଣ୍ଟା ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ ହେବା ପରେ ମନ୍ଦିର ଦ୍ବାର ବନ୍ଦ କରି ଦିଆଯାଇଥିଲା। କୌଣସି ପୂଜା ବିଧି ହୋଇନଥିଲା। ମନ୍ଦିରର ଚତୁଃପାର୍ଶ୍ବରେ ଝୋଟି ଇତ୍ୟାଦି ଦିଆଯାଇଥିଲା। ନିର୍ଦ୍ଧାରିତ ଲଗ୍ନର କିଛି ସମୟ ପୂର୍ବରୁ ଘଣ୍ଟ, ଶଙ୍ଖ ମଧ୍ୟରେ ନବାନ୍ନ ଭୋଗ ଯଥା ନୂଆ ଚାଉଳର ଚୂରା, ସାରୁଶାଗ, ସୁଆଁଲିପିଠା, କାକରା, ବରା, କ୍ଷିରି ଆଦି ପୂଜକମାନଙ୍କ ଘରୁ ଆସି ମନ୍ଦିରରେ ପହଞ୍ଚିଥିଲା। ୫ ପୂଜକ ପରିବାର ଅମ୍ବିକା ରାୟ, ଅମିୟ ରାୟ, ପ୍ରଶାନ୍ତ ରାୟ, ହିମାଂଶୁ ରାୟ ତଥା ଓକିଲ ଓ କୁଦଣ୍ଡ ରାୟଙ୍କ ଘରୁ ଭୋଗ ଅଣା ଯାଇଥିଲା, ଯାହା ନିର୍ଦ୍ଧାରିତ ସମୟରେ ମା’ଙ୍କ ନିକଟରେ ଲାଗି ହୋଇଥିଲା। ପରେ ପୂଜକମାନେ ୧୧୫ ପାର୍ଶ୍ବ ଦେବଦେବୀଙ୍କ ନିକଟରେ ନବାନ୍ନ ଭୋଗ ଲଗାଇଥିଲେ। ଏହାପରେ ମହାଆଳତି ହୋଇଥିଲା। ଦିନ ୧୧ଟାରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥିଲା।
ନବାନ୍ନ ପୂଜା ଅବସରରେ ସମଲେଶ୍ବରୀଙ୍କ ପୀଠକୁ ସମ୍ବଲପୁର ସହର ସମେତ ବାହାର ରାଜ୍ୟରୁ ମଧ୍ୟ ଭକ୍ତମାନେ ଆସିଥିଲେ। ନୂଆଁଖାଇ ଆୟୋଜନ ଠିକ୍ ଭାବରେ ସମ୍ପନ୍ନ ପାଇଁ ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିଲା। ମା’ଙ୍କଠାରେ ନୂଆଁ ଲାଗିବା ପରେ ପଶ୍ଚିମ ଓଡ଼ିଶାର ଗାଁ ଗାଁରେ ଦେବଦେବୀଙ୍କୁ ନବାନ୍ନ ଲାଗି ହୋଇଥିଲା। ନୂଆଭୋଗର ଦେବାର୍ପଣ ପରେ ପ୍ରତି ପରିବାରରେ ନୂଆଁଖାଇ ପର୍ବ ଆରମ୍ଭ ହୋଇଥିଲା। ପରିବାରର ସମସ୍ତ ସଦସ୍ୟ ନୂଆ ପୋଷାକ ପିନ୍ଧି ଏକାଠି ବସିବା ପରେ ବୟୋଜ୍ୟେଷ୍ଠ ସଦସ୍ୟ ସମସ୍ତଙ୍କୁ ନୂଆ ଅନ୍ନ ପ୍ରସାଦ ବାଣ୍ଟିଥିଲେ। ସମସ୍ତେ ଏକା ସାଙ୍ଗରେ ସେବନ କରିଥିଲେ। ନୂଆ ଭୋଗ ସାଙ୍ଗକୁ କ୍ଷିରି, ପିଠାପଣାରେ ସବୁ ଘର ଉଛୁଳି ପଡ଼ିଥିଲା। ନୂଆଁ ଖାଇ ସାରିବା ପରେ ଗୁରୁଜନମାନଙ୍କୁ ଜୁହାର ଭେଟ୍ର ନିଆରା ପରମ୍ପରା ବି ଦେଖିବାକୁ ମିଳିଥିଲା। ସାନମାନେ ବଡ଼ମାନଙ୍କୁ ଜୁହାର ଭେଟ୍ ହୋଇଥିଲେ। ପରିବାର ସଦସ୍ୟଙ୍କ ପରେ ଗାଁ, ପଡ଼ାର ବନ୍ଧୁ, ପଡ଼ୋଶୀଙ୍କୁ ଭେଟି ଜୁହାର ଭେଟ୍ ହୋଇଥିଲେ। ଅପରାହ୍ଣରୁ ଗାଁମାନଙ୍କରେ ଖେଳକୁଦ, ନାଚଗୀତ, ଭଜନ, କୀର୍ତ୍ତନ ଆଦି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଥିଲା, ଯାହା ରାତି ଯାଏଁ ଚାଲିଥିଲା। ସହରମାନଙ୍କରେ ବି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

1 day ago
1


