War: କାହିଁକି ପୁଣି ଆମେରିକା-ଇରାନ ମଧ୍ୟରେ ବଢ଼ୁଛି ତିକ୍ତତା?

3 weeks ago 13
ARTICLE AD BOX

ୱାସିଂଟନ: ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଜୁନ୍ ୧୭ର ବୁଝାମଣା ପରେ ଉଭୟ ଦେଶ ମଧ୍ୟରେ ପରିସ୍ଥିତି କିଛିଟା ଶାନ୍ତ ପଡ଼ିଥିଲେ ମଧ୍ୟ, ପରସ୍ପର ବିରୋଧରେ କଠୋର ପଦକ୍ଷେପ ଓ ଅଭିଯୋଗ ଯୋଗୁଁ ସମ୍ପର୍କ ପୁଣି ତିକ୍ତ ହେବା ଆରମ୍ଭ କରିଛି। ହର୍ମୁଜରେ ପଣ୍ୟବାହୀ ଜାହାଜ ଉପରେ ଇରାନର ଆକ୍ରମଣ, ଏହାର ପ୍ରତିକ୍ରିୟାରେ ଇରାନର ସାମରିକ ଘାଟିଗୁଡ଼ିକ ଉପ‌ରେ ଆମେରିକାର ଆକ୍ରମଣ ଏବଂ କୁଏତ ଓ ବାହାରିନରେ ଥିବା ଆମେରିକାର ଘାଟି ଉପରେ ଇରାନ ରାଗ ଶୁଝାଇବା ଯୋଗୁ ପୁଣି ଯୁଦ୍ଧ ପରିସ୍ଥିତି, ହର୍ମୁଜ ଅବରୋଧ ଓ ତୈଳସଂକଟ ଆଶଙ୍କା ଦେଖାଦେଇଛି। ତେବେ ବିଶେଷଜ୍ଞମାନଙ୍କ ମତରେ ଏସବୁର ମୂଳରେ ରହିଛି, ଇରାନର ପରମାଣୁ କାର୍ଯ୍ୟକ୍ରମ, ଆର୍ଥିକ କଟକଣା ଓ ପଶ୍ଚିମ ଏସିଆରେ ଉଭୟ ଦେଶର ପ୍ରଭାବ ବିସ୍ତାରକୁ ନେଇ ଦୀର୍ଘଦିନର ବିବାଦ।

ସମ୍ପ୍ରତି ଆମେରିକା ଇରାନ ବିରୋଧରେ ନୂଆ ଆର୍ଥିକ କଟକଣା ଲାଗୁ କରିଛି। ଇରାନର ତୈଳ ବାଣିଜ୍ୟ ଏବଂ ଏହା ସହ ଜଡ଼ିତ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକୁ ଲକ୍ଷ୍ୟ କରି ଏହି କଟକଣା ଲାଗୁ କରାଯାଇଛି। ଆମେରିକାର ଅଭିଯୋଗ ହେଉଛି, ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଉଛି ଏବଂ ଅଞ୍ଚଳର ସଶସ୍ତ୍ର ଗୋଷ୍ଠୀମାନଙ୍କୁ ସହଯୋଗ କରୁଛି। ଅନ୍ୟପଟେ ଇରାନ ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛି ଯେ, ତାହାର ପରମାଣୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ।

ଆମେରିକା ଓ ଇରାନ ମଧ୍ୟରେ ବିବାଦ: ଦୁଇ ଦିନରେ ସୁନା ଦାମ୍ ୧୮୦୦ ଟଙ୍କା ବଢ଼ିଲା

ଇରାନ କହିଛି, ଯଦି ଆମେରିକା କଟକଣା ଜାରି ରଖିବ, ତେବେ ସେ ନିଜର ପରମାଣୁ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ବଢ଼ାଇବ। ଏହା ସହିତ ଇରାନ ନିଜର କ୍ଷେପଣାସ୍ତ୍ର କ୍ଷମତା ବୃଦ୍ଧି ଓ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ମଜବୁତ କରୁଛି। ଏହାକୁ ନେଇ ଆମେରିକା ଓ ତାହାର ସହଯୋଗୀ ଦେଶମାନଙ୍କ ଚିନ୍ତା ବଢ଼ିଛି। ଉଭୟ ଦେଶ ମଧ୍ୟରେ ପରୋକ୍ଷ ଆଲୋଚନା ଚାଲୁଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ବାହାରିପାରିନାହିଁ। ଆମେରିକା ଚାହୁଛି ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରୁ। କିନ୍ତୁ ଇରାନର କହିବା ହେଉଛି, ପ୍ରଥମେ ଆମେରିକା ସମସ୍ତ ଆର୍ଥିକ କଟକଣା ହଟାଇବା ସହ ୨୦୧୫ର ପରମାଣୁ ଚୁକ୍ତି ପ୍ରତି ସମ୍ମାନ ଦେଖାଇବା ଆବଶ୍ୟକ।

ବିଶେଷଜ୍ଞମାନଙ୍କ ମତରେ, କାଗଜପତ୍ରରେ ଆଲୋଚନା ଓ ଶାନ୍ତିର ପ୍ରୟାସ ଜାରି ରହିଥିଲେ ମଧ୍ୟ ବାସ୍ତବରେ ଉଭୟ ଦେଶ ନିଜ ନିଜ ସାମରିକ ଓ କୂଟନୈତିକ ଚାପ ବଢ଼ାଉଛନ୍ତି। ଏହି ପରିସ୍ଥିତିରେ ଛୋଟ ଘଟଣା ମଧ୍ୟ ବଡ଼ ସଂଘର୍ଷର ରୂପ ନେଇପାରେ। ପଶ୍ଚିମ ଏସିଆର ସୁରକ୍ଷା, ବିଶ୍ୱ ତୈଳ ବଜାର ଓ ଆନ୍ତର୍ଜାତିକ ରାଜନୀତି ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ସେଥିପାଇଁ ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଏହି ତିକ୍ତତାକୁ ବିଶ୍ୱ ସମୁଦାୟ ଗୁରୁତ୍ୱର ସହ ନଜର ରଖିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.