ARTICLE AD BOX
ୱାସିଂଟନ: ଆମେରିକାକୁ ନୂଆ ଏଚ୍-୧ ବି ଭିସାରେ ଯିବା ପାଇଁ ଆଶା ରଖିଥିବା ଭାରତ ସମେତ ଅନ୍ୟ ଦେଶର ନାଗରିକମାନଙ୍କ ପାଇଁ ଏକ ଅଶ୍ବସ୍ତିକର ଖବର ସାମନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୫ ସେପ୍ଟେମ୍ବରରେ ଉକ୍ତ ଭିସା ଫିକୁ ୧ ଲକ୍ଷ ଡଲାରକୁ ବଢ଼ାଇଥିଲେ। ତାହାର ଅବଧିକୁ ରାଷ୍ଟ୍ରପତି ଟ୍ରମ୍ପ ଆଉ ଏକ ବର୍ଷ ପାଇଁ ଅର୍ଥାତ୍ ୨୦୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ପୂର୍ବରୁ ଆଇନଗତ ବିବାଦରେ ଛନ୍ଦି ହୋଇଥିବା ଟ୍ରମ୍ପଙ୍କ ଉକ୍ତ ନିର୍ଦ୍ଦେଶନାମାର କାର୍ଯ୍ୟକାଳ ଆସନ୍ତା ୨୧ ତାରିଖରେ ଶେଷ ହେବ। ଏହା ପୂର୍ବରୁ ଟ୍ରମ୍ପ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିସହିତ ଟ୍ରମ୍ପ ଆଉ ଏକ ନୂଆ ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି। ତାହା ହେଲା ଯେଉଁ ଆମେରିକୀୟ କମ୍ପାନି କର୍ମଚାରୀ ଛଟେଇ କରୁଛନ୍ତି କିମ୍ବା ନିକଟ ଭବିଷ୍ୟତରେ ଛଟେଇ କରିବା ଯୋଜନା ରଖିଛନ୍ତି ସେମାନଙ୍କର ଏଚ୍-୧ବି ଭିସା ଯାଞ୍ଚକୁ କଡ଼ାକଡ଼ି କରାଯିବ।
ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା
ଉଲ୍ଲେଖଯୋଗ୍ୟ, ଉକ୍ତ ଭିସା ଜରିଆରେ ଭାରତୀୟ ଆଇଟି କର୍ମଚାରୀମାନେ ମୁଖ୍ୟତଃ ଆମେରିକାକୁ ଯାଇଥାନ୍ତି। ନୂଆ ନିୟମ ଆସିବା ପରେ ସେମାନଙ୍କ ଅଡ଼ୁଆ ବଢ଼ିଯିବ। ଫି ୧ ଲକ୍ଷ ଡଲାରକୁ ବୃଦ୍ଧି ପରେ ଆମେରିକାକୁ ଉକ୍ତ ଭିସାରେ ଆସୁଥିବା ବିଦେଶୀ କର୍ମଚାରୀଙ୍କ ସଂଖ୍ୟା ବହୁମାତ୍ରାରେ କମିଯାଇଥିବା ଟ୍ରମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଛି। ବଡ଼ ଆଇଟି କମ୍ପାନିଙ୍କ କର୍ମଚାରୀ ଆଉଟସୋର୍ସିଂ ୯୨ ପ୍ରତିଶତ ହ୍ରାସ ପାଇଥିବା ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଚ୍-୧ବି ଭିସା ଫି ଅବଧି ବୃଦ୍ଧି ନିର୍ଦ୍ଦେଶର ବାସ୍ତବ ପ୍ରଭାବ କ’ଣ ରହିବ ତାହା ଏବେ ସ୍ପଷ୍ଟ ହୋଇନାହିଁ। କାରଣ ଆମେରିକାର ଏକ ସଂଘୀୟ ଅଦାଲତ ଟ୍ରମ୍ପଙ୍କ ଉକ୍ତ ନିର୍ଦ୍ଦେଶକୁ ଚଳିତବର୍ଷ ଜୁନ ମାସରେ ଖାରଜ କରିଦେଇଛନ୍ତି।

20 minutes ago
1


