ARTICLE AD BOX
ତେହେରାନ: ଆମେରିକା ବୁଧବାର ଇରାନ ଉପରେ ପୁଣିଥରେ ପ୍ରଚଣ୍ଡ ଆକ୍ରମଣ କରିଛି। ଆମେରିକୀୟ ସେନା ଇରାନ ଆକାଶରେ ଗର୍ଜନ କରିଛି। ଇରାନ ଲୋକେ ଏହି ସମୟରେ ଭୟଭୀତ ଅବସ୍ଥାରେ ଥିଲେ। ଇରାନ ମଧ୍ୟ ଏହାର ତୀବ୍ର ଜବାବ ଦେଇଛି। ଇରାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ବୁଧବାର ଠାରୁ ପାଞ୍ଚଟି ପ୍ରଦେଶରେ ଆମେରିକାର ଆକ୍ରମଣରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି ଓ ୭୮ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଗୁରୁବାର ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ଼ କର୍ପସ୍ (ଆଇଆରଜିସି) ବାହାରିନ୍ ଓ କୁଏତରେ ଥିବା ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛି।
ଇରାନର ସରକାରୀ ଗଣମାଧ୍ୟମ ଦେଶର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିବା ରିପୋର୍ଟ କରିଛି, ଯେଉଁଥିରେ ବୁଶେହର, ଦକ୍ଷିଣ ବନ୍ଦର ସହର ଚାବାହାର, କୋନାରାକ, ବନ୍ଦର ଆବାସ ଓ ସିରିକ ମଧ୍ୟ ସାମିଲ ଅଛି। ବୁଶେହର୍ରେ ଇରାନର ପରମାଣୁ ଶକ୍ତି କେନ୍ଦ୍ର କମ୍ପ୍ଲେକ୍ସ ଅବସ୍ଥିତ। ଇରାନସରରେ ଅଧିକାରୀମାନେ କହିଛନ୍ତି ଯେ, ଆକ୍ରମଣରେ ବିମାନବନ୍ଦରର ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏପ୍ରିଲ ମାସ ପରେ ପ୍ରଥମ ଥର ଆମେରିକା ଇରାନରେ ସେତୁଗୁଡ଼ିକୁ ଟାର୍ଗେଟ କରିଛି।
US Attack: ଆମେରିକାର ପ୍ରଚଣ୍ଡ ଆକ୍ରମଣରେ ଇରାନରେ ୩ ମୃତ
ଉତ୍ତର- ପୂର୍ବ ଗୋଲେସ୍ତାନ ପ୍ରଦେଶର ଏକ ରେଳ ସେତୁ ଉପରେ ଆକ୍ରମଣ ହୋଇଥିବା ଇରାନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଅନ୍ୟପକ୍ଷରେ ମସହଦକୁ ଯାଉଥିବା ଦୁଇଟି ସେତୁକୁ ଟାର୍ଗେଟ କରାଯାଉଥିବା ଆଇଆରଜିସି କହିଛି। ଇରାନ କର୍ତ୍ତୃପକ୍ଷ ଗୁରୁବାର ଦିନ ମସହଦରେ ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମେନିଙ୍କୁ କବର ଦେବେ ବୋଲି ଆଶା କରାଯାଉଛି। ତଥାପି ଗୋଲେସ୍ତାନର ଏହି ସେତୁ ଆଇଆରଜିସି ଦ୍ୱାରା ଉଲ୍ଲେଖ କରାଯାଇଥିବା ଦୁଇଟି ସେତୁ ମଧ୍ୟରୁ ଗୋଟିଏ କି ନାହିଁ ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ। ଆମେରିକୀୟ ସାମରିକ ଅଧିକାରୀମାନେ କହିଛନ୍ତି ଯେ, ସେମାନଙ୍କ ସଦ୍ୟତମ ଆକ୍ରମଣରେ ପ୍ରାୟ ୯୦ଟି ଇରାନୀ ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ, କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସଂରକ୍ଷଣ ସ୍ଥାନ ଏବଂ ଅନ୍ୟାନ୍ୟ ସମ୍ପତ୍ତିକୁ ଟାର୍ଗେଟ କରିଥିଲା।

3 weeks ago
15


