Tofan Bindhani Murder Case ତୋଫାନ ହତ୍ୟା ମାମଲ: ମାଟିରେ ମିଶିଲା ୬ ଅଭିଯୁକ୍ତଙ୍କ ଘର

3 weeks ago 11
ARTICLE AD BOX

ରାଉରକେଲା (ଦେବବ୍ରତ ଗଡ଼ତିଆ): ତୋଫାନ ବିନ୍ଧାଣି ହତ୍ୟା ଘଟଣାରେ ରାଉରକେଲା ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ମାମଲାରେ ଏଯାଏଁ ଗିରଫ ହୋଇଥିବା ୬ ଅଭିଯୁକ୍ତ, ଉମାକାନ୍ତ ହରିପ୍ପା ଓ ଚିନୁ ହରିପ୍ପା, ତିଲକ ନାଏକ ଓ ହରିଶଙ୍କର ନାଏକ (ଦୁଇ ଯୋଡ଼ା ଭାଇ) ଏବଂ ସୁଶାନ୍ତ ନାଏକ ଓ ରୋହିତ ହରିପ୍ପାଙ୍କ ଘର ଭଙ୍ଗାଯାଇଛି।

Tofan murder case

କିଛି ଶୁଣିଲେନି, ଭାଙ୍ଗି ପକାଇଲେ

ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ପୁଲିସ ଓ ଆର୍‌ଏସ୍‌ପି ଟିମ୍‌ ଗୁରୁବାର ପୂର୍ବାହ୍‌ଣ ୧୧ଟାରେ ସେକ୍ଟର-୫, ନାରାୟଣପାଲି ବସ୍ତିରେ ପହଞ୍ଚିଥିଲେ। ଯୋଜନା ମୁତାବକ ଘର ଭାଙ୍ଗିବାକୁ ପୁଲିସ ପ୍ରସ୍ତୁତ ହେବା ପୂର୍ବରୁ ତିଲକ ନାଏକ ଓ ହରିଶଙ୍କର ନାଏକଙ୍କ ବଡ଼ ମା’ ଏବଂ ଜେଜେମା’ ସେକ୍ଟର-୭ ଥାନା ଆଇଆଇସିଙ୍କୁ ଘର ନ ଭାଙ୍ଗିବାକୁ ଅନୁରୋଧ କରିଥିଲେ। ଉଭୟ ହତ୍ୟା ଅଭିଯୁକ୍ତ ଜେଜେମା’ଙ୍କ ସହ ରହୁଥିବାରୁ ତାଙ୍କ ଘର ଭଙ୍ଗାଯାଇଥିଲା। ବଡ଼ ମା’ଙ୍କ ପରିବାର ସହ ଅଭିଯୁକ୍ତଙ୍କ ପରିବାରର ସମ୍ପର୍କ କଟାକଟି ହୋଇଯାଇଥିବାରୁ ତାଙ୍କ ଘର ଭଙ୍ଗାଯାଇନଥିଲା। ପ୍ରଥମେ ତିଲକ ଓ ହରିଶଙ୍କରର ଘର ଭାଙ୍ଗିବା ପରେ ଚିନୁ ହରିପ୍ପା, ଉମାକାନ୍ତ ହରିପ୍ପା, ସୁଶାନ୍ତ ନାଏକ ଓ ରୋହିତ ହରିପ୍ପାର ଘର ଭଙ୍ଗାଯାଇଥିଲା।

Tofan murder case1

ହୋଇପାରିଲାନି ବୁଲଡୋଜର ଆକ୍ସନ

ନାରାୟଣପାଲି ଓ ଗୋଲଘରରେ ଘର ଭାଙ୍ଗିବା ପାଇଁ ଆର୍‌ଏସ୍‌ପି ତରଫରୁ ବୁଲ୍‌ଡୋଜର ଅଣାଯାଇଥିଲା। କିନ୍ତୁ ସମସ୍ତ ଘର ବସ୍ତିଭିତରେ ଓ ସଂକୀର୍ଣ୍ଣ ଗଳିରେ ରହିଥିବାରୁ ବୁଲ୍‌ଡୋଜର ପଶିପାରି ନଥିଲା। ତେଣୁ ଆର୍‌ଏସ୍‌ପି ଲ୍ୟାଣ୍ଡ ଗାର୍ଡ ଟିମ୍‌ର ୨୦ରୁ ଅଧିକ କର୍ମଚାରୀ ଶାବଳ ମାରି ଘରଗୁଡ଼ିକ ଭାଙ୍ଗିଥିଲେ। ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବା ପରେ ବୁଲଡୋଜର ବ୍ୟବହାର ନହୋଇ ଫେରିଯାଇଥିଲା।

Tofan murder case3

ଘରୁ ବାହାରିଲା ଖଣ୍ଡା ଓ ବନ୍ଧୁକ

ସେକ୍ଟର-୫, ନାରାୟଣପାଲି ବସ୍ତିରେ ଆଜି ପ୍ରଥମେ ତିଲକ ନାଏକ ଓ ହରିଶଙ୍କର ନାଏକଙ୍କ ଘରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ତାଲା ଭାଙ୍ଗି ପ୍ରଥମ ଘର ଉଚ୍ଛେଦବେଳେ ଆଜବେଷ୍ଟସ୍‌କୁ ସୁରକ୍ଷିତ ରଖିବାକୁ ଲାଗିଥିବା ପାଇପ୍‌ରୁ ଏକ ବଡ଼ ଖଣ୍ଡା ବାହାରିଥିଲା। ସେକ୍ଟର-୭ ପୁଲିସ ଏହାକୁ ଜବତ କରି ନିଜ ହେପାଜତକୁ ନେଇଛି। ଏହି ଖଣ୍ଡାରେ ତୋଫାନକୁ ହତ୍ୟା କରାଯାଇଥିଲା ନା ନାହିଁ ତାହା ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଜଣାପଡ଼ିବ। ଏହାସହ ଏକ ପ୍ଲାଷ୍ଟିକ୍‌ ଖେଳଣା ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଏହାକୁ ଦେଖାଇ ଉଭୟ ଭାଇ ଲୋକଙ୍କୁ ଧମକଚମକ ଦେଉଥିବା ଜଣାପଡ଼ିଛି। ପୂର୍ବରୁ ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଠାରୁ ବନ୍ଧୁକ, ମାଗାଜିନ୍‌, ଗୁଳି, ୨ଟି ଟାଙ୍ଗିଆ ଓ ଫାର୍ସା ଜବତ ହୋଇଥିଲା।

ଏନ୍‌କାଉଣ୍ଟର ନହେଲେ ଫାଶୀ ଦିଆଯାଉ

ତୋଫାନ ବିନ୍ଧାଣିଙ୍କୁ ନିର୍ମମ ହତ୍ୟା ଘଟଣାରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କ ଘର ଭାଙ୍ଗିବା ପରେ ତାଙ୍କ ମା’ ସୁମ ବିନ୍ଧାଣି ପ୍ରତିକ୍ରିୟା ରଖିଛନ୍ତି। ସେ କହିଲେ, ଅଭିଯୁକ୍ତଙ୍କ ଘର ଭାଙ୍ଗିଲେ କ’ଣ ଲାଭ। କାଲି ଆସିଲେ ପୁଣି ଥରେ ଘର କରି ରହିବେ। ଏତିକି ଗୁହାରି କରୁଛି ସେମାନେ ଆଉ ରାଉରକେଲାରେ ଘର ନକରିପାରିବେ ସେମିତି କାର୍ଯ୍ୟାନୁଷ୍ଠାନ ନିଆଯାଉ। କେବଳ ଏତିକି ନୁହେଁ ଯେମିତି ମୋ ପୁଅକୁ ହତ୍ୟା କରାଯାଇଛି ସେତିମି ସବୁ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରାଯାଉ ନହେଲେ ଫାଶୀ ଦିଆଯାଉ।

ସାହିଦ୍‌ ରଚିଥିଲା ହତ୍ୟା ଷଡ଼୍‌ଯନ୍ତ୍ର

ସେକ୍ଟର-୩ ଅଞ୍ଚଳର ଦୀପକ ନାଗ ଓରଫ ସାହିଦ୍‌ ତୋଫାନ ବିନ୍ଧାଣୀ ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଜଣାପଡ଼ିଛି। ବିଶ୍ବସ୍ତସୂତ୍ରରୁ ମିଳିଥିଲା ସୂଚନାନୁଯାୟୀ ସାହିଦ୍‌ ବର୍ଷବର୍ଷ ଧରି ନିଶା ସାମଗ୍ରୀ ଆଣି ବସ୍ତିପିଲାଙ୍କୁ ଏକ୍‌ଜୁଟ୍‌ କରି ପରିତ୍ୟକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ନିଶାଆଡ୍ଡା ଜମାଇଥିଲା। ପହିଲି ରଜ ସନ୍ଧ୍ୟାରେ ତୋଫାନ ନିଶା ସେବନକୁ ନେଇ ତାଗିଦ୍‌ କରିବାକୁ ଝଗଡ଼ା ହୋଇଥିଲା । ପରେ ତୋଫାନକୁ ରାସ୍ତାରୁ ହଟାଇବାକୁ ସାହିଦ୍‌ ପିଲାଙ୍କୁ ଡାକି ଯୋଜନା କରିବା ପରେ ହତ୍ୟାକାଣ୍ଡ ଘଟିଥିଲା। ତାଙ୍କୁ ଧରିବାକୁ ପୁଲିସ ତନାଘନା ଜୋର କରିଛି।

ଅପରାଧ ନଛାଡ଼ିଲେ, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ: ଏସ୍‌ପି

ନିଶାଦ୍ରବ୍ୟ ଜବତ, ଅସ୍ତ୍ରଶସ୍ତ୍ର ଚାଳକ ଭଳି ଘଟଣା ଅନ୍ୟାନ୍ୟ ଅପରାଧ ଘଟାଉଥିବା ଅସାମାଜିକଙ୍କ ଉପରେ ପୁଲିସ କଡ଼ା ନଜର ରଖାଯାଇଛି ବୋଲି ଏସ୍‌ପି ନୀତେଶ ୱାଧୱାନୀ କହିଛନ୍ତି। ଏହାସହ ଯେଉଁମାନେ ଅପରାଧ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ତାଙ୍କୁ ସ୍ବାଗତ କରାଯିବ। ଆଉ ‌ଯେଉଁମାନେ ଅପରାଧ ନଛାଡ଼ିଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିଶା କାରବାର ପାଇଁ ଅନ୍ୟାନ୍ୟ ଅପରାଧ ବଢ଼ୁଛି ତେଣୁ ଏହାକୁ ରୋକିବାକୁ ନିୟମିତ ଯାଞ୍ଚ କରାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.