The doctor cannot find a job: ଡାକ୍ତରଙ୍କୁ ମିଳୁନି ଚାକିରି: ଆଗକୁ ଅଧିକ ସଙ୍ଗିନ ହେବ ଅସଂରକ୍ଷିତ, ଏସ୍‌ଇବିସି ବର୍ଗଙ୍କ ସମସ୍ୟା

1 month ago 12
ARTICLE AD BOX

କୃଷ୍ଣପ୍ରସାଦ ଦାସ

କଟକ: ଡାକ୍ତରୀ ପଢ଼ିବା ପାଇଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ସବୁ ପ୍ରକାର ବାଜି ଲଗାଉଛନ୍ତି। ଏପଟେ ସରକାରୀ ନିଯୁକ୍ତି ଦାବିରେ ଡାକ୍ତରମାନେ ରାଜରାସ୍ତାକୁ ଓହ୍ଲାଇବା ଭଳି ଉଦ୍‌ବେଗଜନକ ଚିତ୍ର ସାମନାକୁ ଆସିଛି। ଏ ପ୍ରକାର ସ୍ଥିତି ଆଗକୁ ଅଧିକ ସଙ୍ଗିନ ହେବାକୁ ଯାଉଛି। ବର୍ତ୍ତମାନ ରାଜ୍ୟରେ ଭୁବନେଶ୍ବରସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍‌ସ (ଏମ୍‌ସ), ୧୪ଟି ସରକାରୀ ମେଡିକାଲ କଲେଜ, ୩ଟି ଘରୋଇ ମେଡିକାଲ କଲେଜ ଓ ୩ଟି ଘରୋଇ ଡିମ୍‌ଡ ମେଡିକାଲ କଲେଜ, ଏଭଳି ମୋଟ ୨୧ଟି ମେଡିକାଲ କଲେଜରେ ନାମଲେଖାର ସୁଯୋଗ ରହିଛି। ସେଥିରୁ ସରକାରୀ କଲେଜରେ ୧୯୨୫ ସିଟ୍‌ ରହିଥିବା ବେଳେ ଘରୋଇ କଲେଜରେ ରହିଛି ୧୧୦୦ଟି ସିଟ୍‌। ରାଜ୍ୟରେ କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ପ୍ରଥମେ ୧୯୪୪ରେ ମେଡିକାଲ କଲେଜ ମାନ୍ୟତା ପାଇଥିଲା।  ପରବର୍ତ୍ତୀ ସମୟରେ ବୁର୍ଲାସ୍ଥିତ ଭିମ୍‌ସାର ୧୯୫୯ରେ ଓ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ୧୯୬୨ରେ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ତା’ ପରଠାରୁ ଓଡ଼ିଶାରେ ଏକ ମେଡିକାଲ କଲେଜ ଖୋଲିବା ପାଇଁ ୪୩ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ୨୦୦୫ରେ ଘରୋଇ ବ୍ୟବସ୍ଥାରେ ଭୁବନେଶ୍ବରସ୍ଥିତ ହାଇଟେକ୍‌ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବାବେଳେ ସରକାରୀ ଭାବେ ବାରିପଦା, କୋରାପୁଟ ସରକାରୀ ମେଡିକାଲ କଲେଜ ଓ ଭୁବନେଶ୍ବରରେ ଏମ୍‌ସ ଖୋଲିବା ପାଇଁ ୫୦ ବର୍ଷ ଅର୍ଥାତ୍‌ ୨୦୧୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ସେହି ସମୟରେ ରାଜ୍ୟରେ ଯେତିକି ସରକାରୀ ଡାକ୍ତରୀ ପଦ ଥିଲା, ସେହି ତୁଳନାରେ ଯୋଗ୍ୟ ଡାକ୍ତରଙ୍କ ଅଭାବ ରହୁଥିଲା। ବର୍ତ୍ତମାନ ପ୍ରତ୍ୟେକ ବର୍ଷ ୨୪୭୫ ଜଣ ଡାକ୍ତର ବାହାରୁ ଥିବାବେଳେ ୨୦୨୭-୨୮ ବେଳକୁ ସେଥିରେ ଆହୁରି ୪୦୦ ଜଣ ଓ ୨୦୩୧ ବେଳକୁ ଆଉ ୨୫୦ ଜଣ ଡାକ୍ତର ଚାକିରି ଆଶାୟୀ ଯୋଡ଼ି ହେବେ। ପ୍ରତ୍ୟେକ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଖୋଲିବା ଯୋଜନା ସଫଳ ହେଲେ ତାହା ସେହି ଅନୁଯାୟୀ ଆଗକୁ ବଢ଼ି ଚାଲିବ। 

Child Abuse: ବେଙ୍ଗାଲୁରୁ ଡେ-କେୟାରରେ ଶିଶୁଙ୍କ ଉପରେ ଅକଥନୀୟ ନିର୍ଯାତନା

ଏମ୍‌ବିବିଏସ୍‌ ଡିଗ୍ରିଧାରୀଙ୍କ ପାଇଁ ସରକାରୀ ମେଡିକାଲ ଅଫିସର ନିଯୁକ୍ତି ପ୍ରକ୍ରିୟା ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପରିଚାଳନା କରୁଥିବା ବେଳେ ସେଥିରେ ଏବେ ଅଣସଂରକ୍ଷିତ ବର୍ଗର ନିଯୁକ୍ତି ଆଶାୟୀଙ୍କ ସଂଖ୍ୟା ଅନୁଯାୟୀ ପଦବି ସଂଖ୍ୟା ଉଦ୍‌ବେଗଜନକ ଭାବେ କମ୍‌ ରହିବା ଗୁରୁତର ସମସ୍ୟା ସୃଷ୍ଟି କରିଛି। ୨୦୨୫ରେ ଓପିଏସ୍‌ସି ପକ୍ଷରୁ ୫୨୪୮ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିରୁ ଅଣସଂରକ୍ଷିତ ବର୍ଗରେ ମାତ୍ର ୪୭୧ ପଦ ଥିବା ବେଳେ ଏସ୍‌ଇବିସି ବର୍ଗରେ ୭୩୬, ଏସ୍‌ସି ବର୍ଗରେ ୧୬୨୦ ଏବଂ ଏସ୍‌ଟି ବର୍ଗରେ ୨୪୮୧ ପଦ ରହିଥିଲା। ଲିଖିତ ପରୀକ୍ଷା ପରେ ପ୍ରମାଣପତ୍ର ଯାଞ୍ଚ ପାଇଁ ମାତ୍ର ୧୮୪୦ ଜଣ ଯୋଗ୍ୟ ବିବେଚିତ ହେଲେ। ଫଳରେ ୪୪୦୦ରୁ ଅଧିକ ପଦ ପୂରଣ ହୋଇପାରୁ ନାହିଁ। କିନ୍ତୁ ୪୭୧ ଅଣସଂରକ୍ଷିତ ପଦ, ୭୩୬ ଏସ୍‌ଇବିସି ପଦ ପାଇଁ ୩ ଗୁଣରୁ ଅଧିକ ଆଶାୟୀ ଥିବା ବେଳେ ଏସ୍‌ସି/ଏସ୍‌ଟି ବର୍ଗରେ ପ୍ରାର୍ଥୀ ମିଳୁ ନାହାନ୍ତି। ନିୟମ ଅନୁଯାୟୀ ଯଦି ଲଗାତାର ୪ ଥର ନିଯୁକ୍ତି ବିଜ୍ଞପ୍ତିରେ ସଂରକ୍ଷିତ ପଦ ପୂରଣ ହୋଇପାରିବ ନାହିଁ ତେବେ ତାହାକୁ ଅଣସଂରକ୍ଷିତ ବର୍ଗକୁ ପରିବର୍ତ୍ତନ କରି ସରକାର ପୂରଣ କରିପାରିବେ। କିନ୍ତୁ ଏ ଦିଗରେ ପଦକ୍ଷେପ ନିଆଯାଉନି।  ଫଳରେ ନିଯୁକ୍ତି ପାଇପାରୁ ନଥିବା ଡାକ୍ତରଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି। ଡାକ୍ତର ପଦବି ସଂଖ୍ୟା ବୃଦ୍ଧି ସହିତ ପୂରଣ ହୋଇ ପାରୁ ନଥିବା ସଂରକ୍ଷିତ ପଦ ପୂରଣ ଦିଗରେ ପଦକ୍ଷେପ ନିଆ ନଗଲେ ଆଗକୁ ବେକାର ଡାକ୍ତରଙ୍କ ସଂଖ୍ୟା ରାଜ୍ୟରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିବ।

Horoscope 2026 July 02: ଜାଣନ୍ତୁ ଆଜିର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.