ARTICLE AD BOX
ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ରାଜ୍ୟ ସରକାର ଶିକ୍ଷକ ସଂଗଠନଙ୍କ ଦୁଃଖ ଶୁଣିଛନ୍ତି। ଦୀର୍ଘଦିନ ଧରି ରାଜରାସ୍ତାରେ ଲଢ଼େଇ କରି ଆସୁଥିବା ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ସମସ୍ୟାର ସମାଧାନ ଦିଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦକ୍ଷେପ ନେଇଛନ୍ତି। ୨୦୧୩ ସରକାରୀ ବ୍ଲକଗ୍ରାଣ୍ଟର ଅନୁଦାନରୁ ବଞ୍ଚିତ ୧୯୪ଟି ଉଚ୍ଚ ବିଦ୍ୟାଳୟକୁ ଅନୁଦାନଭୁକ୍ତ କରାଯିବ। ସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ପାର୍ଟ-ଟାଇମ୍ କଳା, ସଙ୍ଗୀତ ଓ କ୍ରୀଡ଼ା ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୧୦ ହଜାର ଟଙ୍କାରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୬ ବର୍ଷ ପୂରଣ କରି ୨୦୨୨ ମସିହାରେ ନିୟମିତ ହୋଇଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟର ଟିଜିଟି ଓ ପିଇଟି ଶିକ୍ଷକଙ୍କ ବକେୟା ଦରମା ପ୍ରଦାନ, ପ୍ରାଥମିକ ଶିକ୍ଷକଙ୍କର ନିୟମିତ ପଦୋନ୍ନତି, ୨୦୧୬ରୁ ୨୦୧୮ ମସିହା ମଧ୍ୟରେ ନିଯୁକ୍ତ ଶିକ୍ଷା ସହାୟକଙ୍କୁ ନିୟମିତ କରିବା, ପ୍ରଥମା ଓ ମଧ୍ୟମା ସଂସ୍କୃତ ଟୋଲ୍ଗୁଡ଼ିକରେ ନିୟମିତ ଶିକ୍ଷକ ନିଯୁକ୍ତି, ସରକାରୀ ବିଦ୍ୟାଳୟରେ ଚାକିରି କରିଥିବା କ୍ଲାସିକାଲ୍ ଶିକ୍ଷକଙ୍କୁ ଟ୍ରେନ୍ଡ ଗ୍ରାଜୁଏଟ୍ (ଟିଜି) ଶିକ୍ଷକ ଯୋଗ୍ୟତା ସାରଣୀରେ ଅନ୍ତର୍ଭୁକ୍ତ କରିବା ଭଳି ନିଷ୍ପତ୍ତି ନିଆଯାଇଛି। ଏଥିସହ ପୂର୍ଣ୍ଣ ଅନୁଦାନପ୍ରାପ୍ତ ମଧ୍ୟମା ସଂସ୍କୃତ ଟୋଲ୍ରେ ଶିକ୍ଷକ ନିୟୋଜନ, ଧନ୍ଦାମୂଳକ ପ୍ରଶିକ୍ଷକଙ୍କୁ ନିୟମିତ ବେତନ ପ୍ରଦାନ, ଓଡ଼ିଶା କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ଅଧିକ ଯୋଗ୍ୟତା ହାସଲ କରିବାକୁ ସୁଯୋଗ ଦିଆଯିବ।
ବ୍ଲକଗ୍ରାଣ୍ଟରୁ ବଞ୍ଚିତ ୧୯୪ଟି ହାଇସ୍କୁଲକୁ ଅନୁଦାନ
ପାର୍ଟ-ଟାଇମ୍ କଳା, ସଙ୍ଗୀତ, କ୍ରୀଡ଼ା ଶିକ୍ଷକଙ୍କ ଦରମା ବଢ଼ିଲା
ପ୍ରାଥମିକ ଶିକ୍ଷକମାନଙ୍କର ନିୟମିତ ପଦୋନ୍ନତି ହେବ
ଓଏଭିରେ ଖୋଲିବ ଏଆଇ ଓ ରୋବୋଟିକ୍ସ ପରୀକ୍ଷାଗାର
ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଭିତ୍ତିଭୂମି ବିକାଶ ଉପରେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ଆଦର୍ଶ ବିଦ୍ୟାଳୟର ସମସ୍ତ ଆବାସିକ ଛାତ୍ରାବାସକୁ ସମ୍ପୂର୍ଣ୍ଣ କରାଯାଇ କାର୍ଯ୍ୟକ୍ଷମ କରାଯିବ। ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ନିୟମିତ ଦରମା ଏବଂ କର୍ମଚାରୀଙ୍କ ପିଲାଙ୍କୁ ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପାଇଁ ବ୍ୟବସ୍ଥା କରାଯିବ। ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ ଟିଜିଟି ଶିକ୍ଷକଙ୍କର ପୂର୍ବ ଚାକିରିର ଗଣତି, ବେତନ ସୁରକ୍ଷା ଏବଂ ବିଦ୍ୟାଳୟରେ ଏଆଇ ଓ ରୋବୋଟିକ୍ସ ପରୀକ୍ଷାଗାର ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ବ୍ଲକଗ୍ରାଣ୍ଟ କର୍ମଚାରୀମାନଙ୍କ ପେନ୍ସନ୍ ଦାବି ଉପରେ ମଧ୍ୟ ଆଲୋଚନା ହୋଇଛି। ଯେହେତୁ ଏହା ବର୍ତ୍ତମାନ ହାଇକୋର୍ଟଙ୍କ ବିଚାରାଧୀନ ରହିଛି, ତେଣୁ ହାଇକୋର୍ଟଙ୍କ ଆଦେଶ ପ୍ରାପ୍ତି ହେବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି।
ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଶିକ୍ଷାନୁଷ୍ଠାନ, ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ସଂଘଗୁଡ଼ିକର ବିଭିନ୍ନ ଦାବି ସମୂହର ଅନୁଶୀଳନ ନିମନ୍ତେ ଅବସରପ୍ରାପ୍ତ ଆଇଏଏସ୍ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟିର ସୁପାରିସକୁ ସମ୍ପୃକ୍ତ ବିଭାଗଦ୍ୱୟ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ୧୫ଟି ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

1 hour ago
2

