Swami Laxmanananda Saraswati: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ରିପୋର୍ଟ ଗାଏବ ଘଟଣା; ଦୋଷୀଙ୍କୁ ଛଡ଼ାଯିବନି: ମୁଖ୍ୟମନ୍ତ୍ରୀ

5 days ago 4
ARTICLE AD BOX

ଭୁବନେଶ୍ବର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ତତ୍କାଳୀନ ସରକାର ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ୨୦୦୮ ଜନ୍ମାଷ୍ଟମୀ ରାତିରେ ତାଙ୍କୁ ହତ୍ୟା କରାଯାଇଥିଲା। ଜଷ୍ଟିସ୍ ନାଇଡୁ କମିସନଙ୍କ ରିପୋର୍ଟ ଓ ଫାଇଲ୍‌ ଲୋକସେବା ଭବନରୁ ଗାଏବ ହେବା ଏକ ସୁଚିନ୍ତିତ ଷଡ଼୍‌ଯନ୍ତ୍ର। ଏହି ଘଟଣାର ପର୍ଦ୍ଦାଫାସ ପାଇଁ ଫାଇଲ୍ ହଜିବା ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ସତ୍ୟର ଉନ୍ମୋଚନ ନିଶ୍ଚିତ ହେବ। ହତ୍ୟାକାଣ୍ଡ ପଛରେ ଥିବା ପ୍ରକୃତ ଦୋଷୀଙ୍କୁ ଆମ ସରକାର କୌଣସି ପରିସ୍ଥିତିରେ ଛାଡ଼ିବ ନାହିଁ ବୋଲି ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜୀବନୀ ଆଧାରିତ ପୁସ୍ତକ ‘ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ କୃତି ଓ ବ୍ୟକ୍ତିତ୍ବ’ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଦୃଢ଼ ଆଶ୍ୱାସନା ଦେଇଛନ୍ତି।

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସ୍ମୃତିନ୍ୟାସ ପକ୍ଷରୁ ରେଳ ପ୍ରେକ୍ଷାଳୟରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଲେ, ସ୍ବାମୀଜୀଙ୍କ ସ୍ବପ୍ନ ସାକାର କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରାଯାଇଛି। ଏଥିସହ ଜଲେଶପଟ୍ଟା ଆଶ୍ରମର ଐତିହ୍ୟ ସଂରକ୍ଷଣ, ୩୦୦ ଆସନ ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ ଓ ଜଳଯୋଗାଣ ଭଳି ଭିତ୍ତିଭୂମିର ବିକାଶ ପାଇଁ ୧୩ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହାର କାର୍ଯ୍ୟ ଅତିଶୀଘ୍ର ଆରମ୍ଭ ହେବ। ଆଗାମୀ ଅଗଷ୍ଟ ୨୧ରୁ ଆରମ୍ଭ ହେବାକୁ ଯାଉଥିବା ସ୍ୱାମୀଜୀଙ୍କ ଜନ୍ମ ଶତବାର୍ଷିକୀ ବର୍ଷରେ ତାଙ୍କର ଆଦର୍ଶକୁ ରାଜ୍ୟର ପ୍ରତ୍ୟେକ ଗାଁ ଓ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଲୋଚନାଚକ୍ର, କର୍ମଶାଳା ମାଧ୍ୟମରେ ପହଞ୍ଚାଯିବ। ଆଗାମୀ ପିଢ଼ି ପାଇଁ ଏହି ପୁସ୍ତକ ଦିଗଦର୍ଶନ ସାଜିବ। ହିନ୍ଦୁତ୍ୱକୁ କୌଣସି ପରିସ୍ଥିତିରେ ବଦନାମ କରିବାକୁ ଦିଆଯିବ ନାହିଁ। ଆମକୁ ଅସମ୍ମାନ କଲେ ଆମେ ସହିବୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି। 

‘ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ କୃତି ଓ ବ୍ୟକ୍ତିତ୍ବ’ ଉନ୍ମୋଚିତ
ସ୍ୱାର୍ଥ ରାଜନୀତି ଦ୍ୱାରା ବହୁ ଭଲ ଲୋକ ପ୍ରଭାବିତ: ଦତ୍ତାତ୍ରେୟ ହୋସବାଲେ
ସ୍ବାମୀଜୀ ଥିଲେ ସ୍ବାଧୀନତା ସଂଗ୍ରାମୀ, କ୍ରାନ୍ତିକାରୀ ଓ ଗଡ଼ଜାତ ଆନ୍ଦୋଳନର ଅଗ୍ରଣୀ ନେତା: ଧର୍ମେନ୍ଦ୍ର

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌)ର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଲେ ସ୍ବାମୀଜୀଙ୍କ ଜନ୍ମ ଶତବାର୍ଷିକୀ ପୂର୍ବରୁ ଏହି ପୁସ୍ତକ ଉନ୍ମୋଚିତ ହେବା ଗୁରୁତ୍ବ ବହନ କରୁଛି। ସ୍ବାମୀଜୀ ଧର୍ମକୁ ଜାଗ୍ରତ କରିବାକୁ ଲାଗି ପଡ଼ିଥିଲେ। ସେ ଥିଲେ ଶ୍ରେଷ୍ଠରତ୍ନ। କନ୍ଧମାଳରେ ଅନେକ ସେବା କାର୍ଯ୍ୟ କରିଥିଲେ। ଧର୍ମ ପାଇଁ ଶ୍ରେଷ୍ଠ ସନ୍ଥଙ୍କ ବଳିଦାନ ହୋଇଗଲା। ଭାରତରେ ଏବେ ବି ଧର୍ମ ବିରୋଧୀ କାର୍ଯ୍ୟ ଚାଲିଛି। ତାମିଲନାଡୁ, କେରଳମ୍‌ରେ ନିଃସ୍ୱାର୍ଥ ଭାବେ କାମ କରୁଥିବା ସଂଘର କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ନକ୍ସଲମାନେ ସଂଘର କର୍ମକର୍ତ୍ତାଙ୍କୁ ହତ୍ୟା କରିଛନ୍ତି। ସ୍ୱାର୍ଥ ରାଜନୀତି ଦ୍ୱାରା ବହୁ ଭଲ ଲୋକ ପ୍ରଭାବିତ ହେଉଛନ୍ତି। ଏଭଳି ଶକ୍ତିକୁ ପରାସ୍ତ କରିବାକୁ ସମୟ ସମୟରେ ପ୍ରେରଣା ଦରକାର ବୋଲି ସେ କହିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, କ୍ରାନ୍ତିକାରୀ ଓ ଗଡ଼ଜାତ ଆନ୍ଦୋଳନର ଅଗ୍ରଣୀ ନେତା ଭାବେ ଅଭିହିତ କରିଥିଲେ। ବର୍ତ୍ତମାନର ଫୁଲବାଣୀ ଜିଲ୍ଲାର ସୁରକ୍ଷା ଓ ବିକାଶରେ ସ୍ୱାମୀଜୀଙ୍କ ଅବଦାନ ଅତୁଳନୀୟ। ନାରୀଶିକ୍ଷାର ପ୍ରସାର ଓ ସମାଜର ସମସ୍ତ ବର୍ଗଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସେ ନିରନ୍ତର କାର୍ଯ୍ୟ କରିଥିଲେ। ସ୍ୱାମୀଜୀଙ୍କ ଏହି ମହାନ ଆଦର୍ଶ ଓ ପ୍ରେରଣା ଓଡ଼ିଶାର ସମୃଦ୍ଧି ସହ ଏକ ‘ବିକଶିତ ଭାରତ’ ଗଠନ ଦିଗରେ ମାର୍ଗଦର୍ଶକ ସାଜିବ ବୋଲି ସେ କହିଥିଲେ। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସ୍ମୃତି ନ୍ୟାସ ଅଧ୍ୟକ୍ଷ ସ୍ବାମୀ ଜୀବନ ମୁକ୍ତାନନ୍ଦ ସ୍ବାଗତ ଭାଷଣ ଦେଇ ଏହି ପୁସ୍ତକ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠାଗାରକୁ ଯୋଗାଇ ଦେବା, ତାଙ୍କ ଅଧୁରା ସ୍ବପ୍ନ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏଥିସହ ବିଧର୍ମୀମାନଙ୍କ କୁଚକ୍ରାନ୍ତ ବନ୍ଦ କରିବାକୁ ସେ ଆହ୍ବାନ ଦେଇଥିଲେ।

ପୁସ୍ତକର ଲେଖକ ବିପିନ ବିହାରୀ ନନ୍ଦ ଓ ବାଞ୍ଚାନିଧି ପଣ୍ଡା କହିଲେ, ଏହି ପୁସ୍ତକ ରଚନା କରିବାର ଦୁଇଟି ଉଦ୍ଦେଶ୍ୟ ରହିଛି। ସ୍ବାମୀଜୀଙ୍କ ଦେହାନ୍ତକୁ ୧୮ ବର୍ଷ ହୋଇଗଲାଣି। ସେତେବେଳେ ଛୋଟ ଥିବା ଆଜିର ଯୁବପିଢ଼ି ସ୍ୱାମୀଜୀଙ୍କ ବିଷୟରେ ଜାଣିନାହାନ୍ତି। ସ୍ୱାମୀଜୀଙ୍କ ଜୀବନୀ ଓ କାମ ସମ୍ପର୍କରେ ଯେଉଁ ବହି ଲେଖାଯାଇଛି ତାହା ଏକ ଦସ୍ତାବିଜ ପାଲଟିବ। ଏଥିରେ ଥିବା ୨୦ଟି ଅଧ୍ୟାୟ ମଧ୍ୟରୁ ୧୩ଟିରେ ତାଙ୍କ ଶୈଶବଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତଥ୍ୟ ରହିଛି। ଅନ୍ୟମାନଙ୍କ ମଧ୍ୟରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସ୍ମୃତିନ୍ୟାସ ପରିଚାଳନା ଟ୍ରଷ୍ଟି ମନସୁଖଲାଲ ସେଠିଆ, ଅନ୍ତର୍ଜାତୀୟ କ୍ରିୟାଯୋଗ ସଙ୍ଗଠନର ଆଧ୍ୟାତ୍ମିକ ମୁଖ୍ୟ ସ୍ବାମୀ ପରମହଂସ ପ୍ରଜ୍ଞାନାନନ୍ଦ, ପ୍ରାଚୀ ପ୍ରକାଶନର ବିଭୁପ୍ରସାଦ ତ୍ରିପାଠୀ, ପ୍ରଭାତ ପ୍ରକାଶନୀ ସଂସ୍ଥାର ପ୍ରଭାତ କୁମାର ପ୍ରମୁଖ ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.