ARTICLE AD BOX
ନୂଆଦିଲ୍ଲୀ: ମେଘାଳୟରେ ବହୁଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲାର ପ୍ରମୁଖ ଅଭିଯୁକ୍ତ ସୋନମ ରଘୁବଂଶୀ ସୁପ୍ରିମ୍କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ନିଜକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି। ତାଙ୍କ ବିରୋଧରେ ଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଏବଂ ତାଙ୍କୁ ଯୋଜନାବଦ୍ଧ ଭାବେ ମାମଲାରେ ଫସାଯାଇଛି ବୋଲି ସେ କହିଛନ୍ତି। ସୋନମଙ୍କ ଜାମିନ ରଦ୍ଦ କରିବା ପାଇଁ ମେଘାଳୟ ସରକାର କରିଥିବା ଆବେଦନର ଜବାବରେ ସେ ଏହି ସତ୍ୟପାଠ ଦାଖଲ କରିଛନ୍ତି।
ସତ୍ୟପାଠରେ ସୋନମ କହିଛନ୍ତି, ତାଙ୍କ ବିରୋଧରେ ପ୍ରତ୍ୟକ୍ଷ ପ୍ରମାଣ ନାହିଁ। କେବଳ ପରିସ୍ଥିତିଜନିତ ପ୍ରମାଣକୁ ଆଧାର କରି ତାଙ୍କୁ ଅଭିଯୁକ୍ତ କରାଯାଇଛି। ସେ ତଦନ୍ତ ଓ ବିଚାର ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ମାମଲାର ବିଚାର ବିଳମ୍ବ ପାଇଁ ତାଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ, ମେଘାଳୟ ସରକାର ସୁପ୍ରିମ୍କୋର୍ଟରେ କହିଛନ୍ତି ଯେ, ରାଜା ରଘୁବଂଶୀଙ୍କ ହତ୍ୟା କୌଣସି ଦୁର୍ଘଟଣା କିମ୍ବା ରହସ୍ୟମୟ ଘଟଣା ନୁହେଁ, ବରଂ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ସରକାରଙ୍କ ଦାବି ଅନୁସାରେ, ସୋନମ ଅନ୍ୟ ଅଭିଯୁକ୍ତମାନଙ୍କ ସହ ମିଶି ଯୋଜନା ପ୍ରସ୍ତୁତ କରି ନିଜ ସ୍ୱାମୀଙ୍କୁ ମେଘାଳୟକୁ ନେଇଥିଲେ ଏବଂ ଘଟଣା ପରେ ଅପହରଣର ଏକ ମିଛ କାହାଣୀ ଗଢ଼ିଥିଲେ। ସରକାରଙ୍କ ମତରେ, ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତାଙ୍କ ଜାମିନ ରଦ୍ଦ କରାଯିବା ଉଚିତ।
ପ୍ରପର୍ଟି ଡିଲର ଗିରଫ ପରେ ରାଜା ରଘୁବଂଶୀ ହତ୍ୟା ମାମଲା ନେଲା ନୂଆମୋଡ
ଏହାପୂର୍ବରୁ ସୁପ୍ରିମ୍କୋର୍ଟ ସୋନମଙ୍କୁ ମିଳିଥିବା ଜାମିନ ଉପରେ ତୁରନ୍ତ ରୋକ ଲଗାଇବାକୁ ମନା କରିଥିଲେ। ତେବେ ଜାମିନ ସମ୍ପର୍କରେ ମେଘାଳୟ ହାଇକୋର୍ଟଙ୍କ କିଛି ପର୍ଯ୍ୟବେକ୍ଷଣକୁ ନେଇ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ ଉଠାଇଥିଲେ। ସେହି ସମୟରେ ଅଦାଲତ କହିଥିଲେ ଯେ, ଆଇନ ଅନୁସାରେ ଜାମିନ ହେଉଛି ସାଧାରଣ ନିୟମ ଏବଂ ଜେଲ୍ ବ୍ୟତିକ୍ରମ। ଯେହେତୁ ସୋନମ ଏହା ପୂର୍ବରୁ ଜେଲ୍ରୁ ମୁକ୍ତ ହୋଇସାରିଥିଲେ, ତେଣୁ ତାଙ୍କୁ ପୁଣି ତୁରନ୍ତ ଜେଲ୍କୁ ପଠାଇବା ଆବଶ୍ୟକ ନାହିଁ ବୋଲି କୋର୍ଟ କହିଥିଲେ। ଏବେ ମେଘାଳୟ ସରକାରଙ୍କ ଜାମିନ ରଦ୍ଦ ଆବେଦନ ଏବଂ ସୋନମଙ୍କ ସତ୍ୟପାଠକୁ ବିଚାର କରି ସୁପ୍ରିମ୍କୋର୍ଟ ପରବର୍ତ୍ତୀ ଶୁଣାଣିରେ ନିଷ୍ପତ୍ତି ନେବେ। ଏହି ମାମଲାରେ ଏପର୍ଯ୍ୟନ୍ତ ଅନେକ ସାକ୍ଷୀଙ୍କ ବୟାନ ଗ୍ରହଣ ବାକି ରହିଥିବାରୁ ବିଚାର ପ୍ରକ୍ରିୟା ଜାରି ରହିଛି।

3 weeks ago
14


