Skilled human: ବିକଶିତ ଓଡ଼ିଶା ପାଇଁ କୁଶଳୀ ମାନବ ସମ୍ବଳ ଲୋଡ଼ା

1 day ago 1
ARTICLE AD BOX

ଶ୍ରେଷ୍ଠା ବାନାର୍ଜୀ

ଓଡ଼ିଶା ଏବେ ଅର୍ଥନୈତିକ ପରିବର୍ତ୍ତନର ଏକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତରେ ରହିଛି। ଓଡ଼ିଶା ଅର୍ଥନୀତିକୁ ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନରେ ପରିଣତ କରିବା ଭଳି  ଉଚ୍ଚାଭିଳାଷୀ ଲକ୍ଷ୍ୟ ରାଜ୍ୟ ପକ୍ଷରୁ ରଖାଯାଇଛି। ଏଥିସହିତ ୧ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ମଧ୍ୟ ରହିଛି। ଏହାକୁ ହାସଲ କରିବା ପାଇଁ ପୁଞ୍ଜିନିବେଶ ଆକୃଷ୍ଟ ଠାରୁ ଅଧିକ କିଛି କରିବାକୁ ହେବ। ନିବେଶ ଫଳରେ ଯେଉଁ ନୂଆ ଅର୍ଥନୀତି ସୃଷ୍ଟି ହେବ ସେଥିରେ ଅଂଶୀଦାର ହେବା ଏବଂ ଲାଭ ଉଠାଇବା ପାଇଁ ଆବଶ୍ୟକ ଦକ୍ଷତା ଓଡ଼ିଶାବାସୀଙ୍କ ନିକଟରେ ରହିବା ଆବଶ୍ୟକ। ସେହି ପରିବର୍ତ୍ତନ ଏବେ ଆରମ୍ଭ ହୋଇଛି। ଅକ୍ଷୟ ଶକ୍ତି, ଗ୍ରିନ୍‌ ହାଇଡ୍ରୋଜେନ୍‌, ବ୍ୟାଟେରି, ଚକ୍ରାକାର ଅର୍ଥନୀତି ଏବଂ ଅନ୍ୟାନ୍ୟ ସବୁଜ କ୍ଷେତ୍ର ନିଯୁକ୍ତି ଓ ଉଦ୍ୟମିତା ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି। ୨୦୩୦ ସୁଦ୍ଧା ପ୍ରାୟ ୧୧ ଗିଗାୱାଟ୍‌ ସବୁଜ ଶକ୍ତି ଉତ୍ପାଦନ ପାଇଁ ଓଡ଼ିଶା ଲକ୍ଷ୍ୟ ରଖିଛି। ଏହାଦ୍ବାରା ୨୦୩୦ ସୁଦ୍ଧା ପ୍ରାୟ ୩୦ ହଜାର ନିଯୁକ୍ତି ସୃଷ୍ଟି ହେବ। ୨୦୩୫ ବେଳକୁ ଏହି ନିଯୁକ୍ତି ପ୍ରାୟ ଦୁଇଗୁଣା ହୋଇଯିବ ବୋଲି ଆଶା କରାଯାଉଛି। ଏଥିସହିତ ରାଜ୍ୟ ସରକାର ଯେଉଁସବୁ ସବୁଜ ନିବେଶ ମଞ୍ଜୁର କରିଛନ୍ତି ତାହା କାର୍ଯ୍ୟକାରୀ ହେଲେ ଆସନ୍ତା ୫ରୁ ୧୦ ବର୍ଷ ମଧ୍ୟରେ ପ୍ରାୟ ୪୮,୫୦୦ କିମ୍ବା ତଦୂର୍ଦ୍ଧ୍ବ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଉତ୍ପାଦନ, ନିର୍ମାଣ, ଲଜିଷ୍ଟିକ୍ସ ଏବଂ ସେବାକ୍ଷେତ୍ରର ମୂଲ୍ୟ ଶୃଙ୍ଖଳଗୁଡ଼ିକୁ ବିଚାରକୁ ନିଆଗଲେ ନିଯୁକ୍ତି ସୁଯୋଗ ବହୁ ଅଧିକ ହେବ। ସୁଯୋଗ କେବଳ ଶକ୍ତି କ୍ଷେତ୍ରରେ ସୀମିତ ନୁହେଁ। କୃଷିଜଙ୍ଗଲ, ସ୍ଥାୟୀ ଜଙ୍ଗଲ ପରିଚାଳନା ଏବଂ ହେନ୍ତାଳବଣ ପୁନର୍ଗଠନ ସ‌‌ମେତ ବିଭିନ୍ନ ପ୍ରକୃତିଭିତ୍ତିକ ସମାଧାନ ଏବଂ ଜୈବ ଅର୍ଥନୀତି ଦିଗରେ ଯଦି ବଡ଼ଧରଣର କାର୍ଯ୍ୟ କରାଯାଏ ତା’ହେଲେ ଆସନ୍ତା ଦଶନ୍ଧିରେ ୫ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ। ଶିଳ୍ପାୟନ, ସହରୀକରଣ ଏବଂ ପରିବେଶ ନିୟମକୁ ଦୃଢ଼ ଭାବେ କାର୍ଯ୍ୟକାରୀ କରାଯିବା ଦ୍ବାରା ପରିବେଶଜନିତ ସେବା ଯଥା ବର୍ଜ୍ୟ ପରିଚାଳନା, ଜଳ ପରିଚାଳନା, ବାୟୁ ପ୍ରଦୂଷଣ ପରିଚାଳନା ଏବଂ ପରିବେଶର ଅନୁଧ୍ୟାନ କାର୍ଯ୍ୟ ବୃୃଦ୍ଧି ପାଇବ। ସବୁଜ ବିକାଶ କେବଳ ନୂଆ ପେସା ସୃଷ୍ଟି କରିବ ନାହିଁ। ଏହା ବର୍ତ୍ତମାନର ପେସାଗୁଡ଼ିକରେ ମଧ୍ୟ ପରିବର୍ତ୍ତନ ଆଣିବ। 

Horoscope 2026 September 16: ଜାଣନ୍ତୁ ଆଜିର ରାଶିଫଳ...

କଳ କାରଖାନାଗୁଡ଼ିକ ସ୍ବଚ୍ଛ ପ୍ରଯୁକ୍ତି, ସ୍ବୟଂକ୍ରିୟ କାର୍ଯ୍ୟ ସମ୍ପାଦନ ଏବଂ ଅଧିକ ସମ୍ବଳ-ଦକ୍ଷ ଉତ୍ପାଦନ ପ୍ରକ୍ରିୟାକୁ ଆପଣାଉଛନ୍ତି। ଯଦିଓ ମୂଳ ପେସା ଜାରି ରହିବ ତଥାପି ଅନେକ ନିଯୁକ୍ତି କ୍ଷେତ୍ରରେ ନୂଆ ଦକ୍ଷତାର ଆବଶ୍ୟକତା ପଡ଼ିବ। ତେଣୁ ଓଡ଼ିଶାର ଅର୍ଥନୈତିକ ରଣନୀତିରେ ଶ୍ରମଶକ୍ତିକୁ ପ୍ରସ୍ତୁତ ରଖିବା ମୂଳ ବିଷୟ ହେବ। ଦକ୍ଷତାକୁ କେବଳ ସାମାଜିକ କ୍ଷେତ୍ରର ହସ୍ତକ୍ଷେପ ଭାବେ ଦେଖାଯାଇ ପାରିବ ନାହିଁ, ଅର୍ଥନୈତିକ ଦୃଷ୍ଟିରୁ ଏହା ଅପରିହାର୍ଯ୍ୟ। ଏହାର ଅର୍ଥନୈତିକ ତର୍କ ସଂପୂର୍ଣ୍ଣ ସାଦାସିଧା। ଦକ୍ଷତା ବିକାଶ ନିବେଶ ଗୁଣକ ଭାବେ କାର୍ଯ୍ୟ କରିବ। ପୁଞ୍ଜିନିବେଶର ଲାଭ ସ୍ଥାନୀୟ ଲୋକ, ସ୍ଥାନୀୟ ଉଦ୍ୟୋଗ ସେତେବେଳେ ପାଇବେ ଯେତେବେଳେ କେବଳ ସ୍ଥାନୀୟ ଅଞ୍ଚଳରେ ତାଲିମପ୍ରାପ୍ତ ମାନବସମ୍ବଳ ଉପଲବ୍ଧ ରହିବ। ଯଦି ଆବଶ୍ୟକ ଦକ୍ଷତା ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ନହେବ ତା’ହେଲେ ନିଯୁକ୍ତିଦାତାମାନେ ଶ୍ରମିକମାନଙ୍କୁ ଅନ୍ୟସ୍ଥାନରୁ ଆଣିବେ। ଏହାଦ୍ବାରା ରାଜ୍ୟବାସୀଙ୍କୁ ନୂଆ ଅର୍ଥନୀତିରୁ ଲାଭ ବା ସୁଯୋଗ ଅପେକ୍ଷାକୃତ କମ୍‌ ମିଳିବ।

ଓଡ଼ିଶାକୁ ଗୋଟିଏ ସମୟରେ ଦୁଇ ପ୍ରକାର କାର୍ଯ୍ୟଶକ୍ତି ରଣନୀତିକୁ ଅନୁସରଣ କରିବାକୁ ହେବ। ଗୋଟିଏ ହେଲା ବର୍ତ୍ତମାନର କାର୍ଯ୍ୟଶକ୍ତିର ଦକ୍ଷତାକୁ ଉନ୍ନତ କରିବା ଏବଂ ଅନ୍ୟଟି ହେଲା ଯେଉଁମାନେ ନୂଆକରି ନିଯୁକ୍ତି ବଜାରରେ ପ୍ରବେଶ କରୁଛନ୍ତି ସେମାନଙ୍କୁ ନୂଆ ପ୍ରଯୁକ୍ତିଗତ ଦକ୍ଷତା ପ୍ରଦାନ କରିବା। ପ୍ରଥମଟି ଏକ ପରିବର୍ତ୍ତନଜନିତ ଆହ୍ବାନ ଅଟେ, ପୁନଃପ୍ରଶିକ୍ଷଣଜନିତ ଆହ୍ବାନ ନୁହେଁ।
ଆଇଫରେଷ୍ଟର ଆକଳନରୁ ଜଣାଯାଇଛି ଯେ କୋଇଲା କ୍ଷେତ୍ରରେ ବୈଷୟିକ ଓ ପରିଚାଳନାକୁ ମିଶାଇ ଯେଉଁ ୮୯ ପ୍ରତିଶତ ଭୂମିକାଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା ସେମାନଙ୍କ ମଧ୍ୟରୁ ଅଧିକାଂଶ ଧାତୁ ଓ ଗୁରୁତ୍ବପୂର୍ଣ୍ଣ ଖଣିଜ ଖନନ ଭୂମିକାକୁ ସ୍ଥାନାନ୍ତର ହୋଇପାରିବ। ଏଥିରେ ଥିବା ପାର୍ଥକ୍ୟଗୁଡ଼ିକ କେବଳ ଖଣି ପ୍ରକାର, ସୁରକ୍ଷା ଆବଶ୍ୟକତା ଏବଂ ପ୍ରମାଣପତ୍ର ସହ ଜଡ଼ିତ। ସେହିଭଳି ତାପଜ ବିଦ୍ୟୁତ୍‌ କ୍ଷେତ୍ରର ଯେଉଁ ୭୫ ପ୍ରତିଶତରୁ ଅଧିକ ବୈଷୟିକ ଓ ପରିଚାଳନା ଭୂମିକାଗୁଡ଼ିକୁ ଆକଳନ କରାଯାଇଥିଲା ସେଥିରୁ ଅକ୍ଷୟ ଶକ୍ତି ଓ ଗ୍ରିନ୍‌ ହାଇଡ୍ରୋଜେନ୍‌ କ୍ଷେତ୍ରକୁ ମଧ୍ୟମରୁ ଉଚ୍ଚଧରଣର ସ୍ଥାନାନ୍ତରଣ ହେବା ସୁଯୋଗ ରହିଛି।

AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍‌ ଗେଟ୍ସ

ଏହାର ନିହିତାର୍ଥ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଓଡ଼ିଶାକୁ ଏହାର ବର୍ତ୍ତମାନର ଶିଳ୍ପ କର୍ମଚାରୀଙ୍କୁ ବଦଳାଇବାର ଆବଶ୍ୟକତା ନାହିଁ। ସ୍ଥାନାନ୍ତରଯୋଗ୍ୟ ଦକ୍ଷତା ଚିହ୍ନଟ କରି ସେମାନଙ୍କୁ ଲକ୍ଷ୍ୟଭେଦୀ ତାଲିମ, ପ୍ରମାଣପତ୍ର ପ୍ରଦାନ ସହିତ ନୂଆ ପ୍ରଯୁକ୍ତିବିଦ୍ୟା ସହିତ ପରିଚିତ କରାଇବାକୁ ହେବ। ବନୀକରଣ, ଜଙ୍ଗଲ ପୁନରୁଦ୍ଧାର ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଭଳି ଉଦୀୟମାନ କାର୍ଯ୍ୟକଳାପ, ଯେଉଁଥିରେ ତାଲିମକୁ ବଜାର ସଂଯୋଗ ଓ ଉଦ୍ୟୋଗ ସହାୟତା ସହିତ ଯୋଡ଼ାଯାଇପାରିବ, ସେସବୁ କ୍ଷେତ୍ରରେ ମଧ୍ୟ ସମାନ ନୀତି ଆପଣାଇ ହେବ। ଦ୍ୱିତୀୟ ପ୍ରାଥମିକତା ହେଉଛି ଯୁବବର୍ଗଙ୍କୁ ଏପରି ବୃତ୍ତି ବା କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବା, ଯାହା ଅତୀତରେ ନଥିଲା କିମ୍ବା ଯାହାର ପରିସର ବହୁତ ସୀମିତ ଥିଲା। ଏ କ୍ଷେତ୍ରରେ ଆହ୍ୱାନଟି ଅଧିକ ମୌଳିକ ଅଟେ। ଓଡ଼ିଶାରେ କାମ କରୁଥିବା ବୟସର ଜନସଂଖ୍ୟା ମଧ୍ୟରୁ ମାତ୍ର ପ୍ରାୟ ୩.୩% ଲୋକଙ୍କ ପାଖରେ ବୈଷୟିକ ଶିକ୍ଷା ଏବଂ ୩% ଲୋକଙ୍କ ପାଖରେ ଔପଚାରିକ ବୃତ୍ତିଗତ ପ୍ରଶିକ୍ଷଣ ରହିଛି। ଯୁବବର୍ଗଙ୍କ ମଧ୍ୟରୁ ୯୫%ରୁ ଅଧିକଙ୍କ ପାଖରେ କୌଣସି ବୈଷୟିକ ଯୋଗ୍ୟତା ନାହିଁ।
ଏହି ପାର୍ଥକ୍ୟକୁ କେବଳ ସ୍ବଳ୍ପ ମିଆଦୀ ତାଲିମ ମାଧ୍ୟମରେ ପୂରଣ କରାଯାଇପାରିବ ନାହିଁ। ବିଦ୍ୟାଳୟ, ଉଚ୍ଚ ଓ ବୈଷୟିକ ଶିକ୍ଷା, ଆପ୍ରେଣ୍ଟିସିପ୍‌ ଓ କର୍ମକ୍ଷେତ୍ର ଶିକ୍ଷା ମାଧ୍ୟମରେ ବୈଷୟିକ ଏବଂ ବୃତ୍ତିଗତ ଦକ୍ଷତାକୁ କ୍ରମଶଃ ଗଢ଼ିବାକୁ ପଡ଼ିବ।

ସବୁଜ ନିଯୁକ୍ତି ଓ ଦକ୍ଷତା ମିସନ ଜରିଆରେ ଓଡ଼ିଶାର ବିଦ୍ୟମାନ ଦକ୍ଷତା ବ୍ୟବସ୍ଥାକୁ ତିଆରି କରିବାକୁ ହେବ। ଭଲ ଖବର ହେଲା ଓଡ଼ିଶାକୁ ନୂଆ ଦକ୍ଷତା ବିକାଶ ବ୍ୟବସ୍ଥା ବିକାଶ କରିବାକୁ ପଡ଼ିବ ନାହିଁ। ରାଜ୍ୟରେ ବହୁସଂଖ୍ୟାରେ ଆଇଟିଆଇ, ପଲିଟେକନିକ୍‌, କିଏମ୍‌କେଭିୱାଇ ସେଣ୍ଟର, ଜନ ଶିକ୍ଷଣ ସଂସ୍ଥାନ, ଆପ୍ରେଣ୍ଟିସିପ ପ୍ରତିଷ୍ଠାନ ଓ ବିଶ୍ବ ତାଲିମ କେନ୍ଦ୍ର ରହିଛି। ତେଣୁ ବର୍ଦ୍ଧିତ ସବୁଜ ଅର୍ଥନୀତି ପାଇଁ ଆବଶ୍ୟକ ଦକ୍ଷତାର ଚାହିଦା ମୁତାବକ ଏସବୁ ସଂସ୍ଥାଗୁଡ଼ିକୁ ମଜଭୁତ କରିବା ଏବଂ ସେମାନଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରଖିବାକୁ ହେବ। ପିଏମ୍‌ ସେତୁ ଅଧୀନରେ ଶିଳ୍ପ ସମ୍ପର୍କିତ ଆଇଟିଆଇ ଆଧୁନିକୀକରଣ ପାଇଁ ଓଡ଼ିଶା ଦ୍ବାରା ଚିହ୍ନଟ କରାଯାଇଥିବା ଦୁଇଟି କ୍ଲଷ୍ଟର ଏହି ପରିବର୍ତ୍ତନ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପ୍ଲାଟଫର୍ମ ପ୍ରଦାନ କରେ। ଏହି ହବ୍‌ଗୁଡ଼ିକ ଉଚ୍ଚମୂଲ୍ୟର ସବୁଜ ତାଲିମ ପ୍ରଦାନ କରିପାରିବେ, ଯେତେବେଳେ ବହୁସଂଖ୍ୟକ ଆଇଟିଆଇ ଓ ପଲିଟେକ୍‌ନିକ୍‌ଗୁଡ଼ିକ ସ୍ପୋକ୍‌ ଭାବରେ କାର୍ଯ୍ୟ କରିପାରିବ। ଏହାଦ୍ବାରା ଶ୍ରମିକ ଓ ଯୁବକମାନଙ୍କ ନିକଟତର ତାଲିମ ହୋଇପାରିବ। ତେବେ କେବଳ ଭିତ୍ତିଭୂମି ଏଥିପାଇଁ ଯଥେଷ୍ଟ ହେବନାହିଁ। ଓଡ଼ିଶାକୁ ଏପରି ଏକ ବ୍ୟବସ୍ଥା ଆବଶ୍ୟକ ଯେଉଁଥିରେ ନୂଆ ଦକ୍ଷତା ସଂକ୍ରାନ୍ତ ଚାହିଦା ଜାଣିବା, ତାଲିମ ବ୍ୟବସ୍ଥାରେ ସୁସମନ୍ବୟ ରଖିବା, ଅର୍ଥ ଯୋଗାଡ଼ କରିବା ଏବଂ ନିଯୁକ୍ତି ଫଳାଫଳକୁ ଅନୁଧ୍ୟାନ କରିବା ପାଇଁ ସବୁ ସରକାରୀ ବିଭାଗ, ତାଲିମ ପ୍ରତିଷ୍ଠାନ ଏବଂ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ମିଳିମିଶି କାମ କରୁଥିବେ। ବର୍ତ୍ତମାନର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଢାଞ୍ଚା ପରିସରରେ ଗଠିତ ସବୁଜ ନିଯୁକ୍ତି ଓ ଦକ୍ଷତା ବିକାଶ ମିସନ, ଯେଉଁଥିରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ରହିଲେ ତାହା ସୁସମନ୍ବୟ ରଖିପାରିବ।   

Sex Racket Busted: ଲାଗିଥିଲା ଅବସରପ୍ରାପ୍ତ ପୁଲିସ ଇନ୍‌ସପେକ୍ଟର ନାମଫଳକ, ଚାଲିଥିଲା ଦେହ ବ୍ୟବସାୟ

ମିସନ୍‌ ଏକ ସମାନ୍ତରାଳ ବ୍ୟବସ୍ଥା ସୃଷ୍ଟି କରିବା ବଦଳରେ ବିଦ୍ୟମାନ ବ୍ୟବସ୍ଥା ଜରିଆରେ କାର୍ଯ୍ୟ କରିବା ଆବଶ୍ୟକ। ରାଜ୍ୟସ୍ତରରେ ବିଭିନ୍ନ କ୍ଷେତ୍ରର ଶ୍ରମଶକ୍ତିର ପ୍ରାଥମିକତାକୁ ଦେଖି ବିଭାଗ ଓ ଶିଳ୍ପ ମଧ୍ୟରେ ସମନ୍ବୟ ରଖିପାରିବ। ଜିଲ୍ଲାସ୍ତରରେ ଏହା ସ୍ଥାନୀୟ ଅଞ୍ଚଳର ଚାହିଦାକୁ ଦୃଷ୍ଟିରେ ରଖି ନିଯୁକ୍ତିଦାତା ଓ ତାଲିମ ପ୍ରତିଷ୍ଠାନ ମଧ୍ୟରେ ସମନ୍ବୟ ରଖିବ। ସେହିଭଳି ରାଜ୍ୟ ଓ କେନ୍ଦ୍ରୀୟ ସ୍କିମ୍‌ ମଧ୍ୟରେ ସମନ୍ବୟ ରଖି ଜିଲ୍ଲାସ୍ତରର ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିପାରିବ। ‌ଶେଷରେ ସମ୍ବଳରୁ ଫଳାଫଳ ଉପରକୁ ଧ୍ୟାନ ନିଶ୍ଚିତ ଭାବେ ଯିବା ଆବଶ୍ୟକ। ନାମ ଲେଖା ଓ କାର୍ଯ୍ୟ ସମାପ୍ତି ଗୁରୁତ୍ବପୂର୍ଣ୍ଣ ରହିବ। କିନ୍ତୁ ନିଯୁକ୍ତି ପ୍ରଦାନ, ମଜୁରି, କର୍ମଚାରୀମାନଙ୍କୁ ଧରି ରଖିବା, କ୍ୟାରିୟର ଅଗ୍ରଗତି ଏବଂ ଉଦ୍ୟମିତା ସଫଳତାକୁ ପରିଭାଷିତ କରିବା ଆବଶ୍ୟକ। ଓଡ଼ିଶାରେ ପ୍ରତି‌ଷ୍ଠାନ ଓ ଭିତ୍ତିଭୂମି ରହିଛି। ସବୁଜ କ୍ଷେତ୍ରର କର୍ମଚାରୀ ସୃଷ୍ଟି ପାଇଁ ନୂଆ ନୂଆ ନିବେଶ ଆସୁଛି। ତେବେ ରାଜ୍ୟର ସବୁଜ ଅର୍ଥନୈତିକ ରୂପାନ୍ତର ଏହାର ଲୋକଙ୍କ ପାଇଁ ଯେଭଳି ସୁଯୋଗ ସୃଷ୍ଟି କରିବ ସେଥିପାଇଁ ଏକ ସୁସମନ୍ବିତ ମିସନର ଆବଶ୍ୟକତା ରହିଛି।
ନିର୍ଦ୍ଦେଶକ, ଜଷ୍ଟ ଟ୍ରାଞ୍ଜିସନ୍‌ ଆଣ୍ଡ କ୍ଲାଇମେଟ୍‌ ଚେଞ୍ଜ, ଆଇଫରେଷ୍ଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.