Road: ବସ୍‌ରୁ ଓହ୍ଲାଇ ରାସ୍ତା ମରାମତି କଲେ ଛାତ୍ରଛାତ୍ରୀ

2 weeks ago 6
ARTICLE AD BOX

ପାଇକସାହି: ଆଜି ଆଠମଲ୍ଲିକ ବ୍ଲକ୍‌ ଅନ୍ତର୍ଗତ ଠାକୁରଗଡ଼-ପୁଡ଼ାପଥର ରାସ୍ତାରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି। କଲେଜ ୟୁନିଫର୍ମ ପିନ୍ଧିଥିବା କେତେକ ଛାତ୍ରଛାତ୍ରୀ ବସ୍ତାରେ ମାଟି ବୋହୁଥିଲେ। ସେମାନଙ୍କ ସହିତ କିଛି ମହିଳା ଓ ପୁରୁଷ ମଧ୍ୟ ସାମିଲ ହୋଇଥିଲେ। ସମସ୍ତେ ମିଶି ରାସ୍ତା ମରାମତି କରୁଥିବା ବେଳେ କିଛି ଦୂରରେ ରାସ୍ତା ଉପରେ ଏକ ଯାତ୍ରୀବାହୀ ବସ୍‌ ଛିଡ଼ା ହୋଇଥିଲା। ରାସ୍ତା ପାର୍ଶ୍ବ ପଡ଼ିଆରୁ ମାଟି, ପଥର ଆଦି ‌ବୋହି ରାସ୍ତା‌ ମଝିରେ ସୃ‌ଷ୍ଟି ହୋଇଥିବା ଖାଲରେ ପକାଇ ସମତୁଲ କରିବା ପରେ ବସ୍‌ ଆଗକୁ ବଢ଼ିଥିଲା।

ଠାକୁରଗଡ଼ରୁ ପୁଡ଼ାପଥର ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ବହୁଦିନରୁ ନିର୍ମାଣାଧୀନ ଅବସ୍ଥାରେ ପଡ଼ିରହିଛି। ଠିକାସଂସ୍ଥା ୨ବର୍ଷ ହେଲା ଅଧାରୁ କାମ ବନ୍ଦ କରି‌ଦେଇଛି। ଠାକୁରଗଡ଼ରୁ ଜିଲ୍ଲା ମୁଖ୍ୟାଳୟ ଅନୁଗୋଳକୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ୫୦ଟି ଗାଁର ଲୋକେ ନିର୍ଭର କରିଥାନ୍ତି। ରାସ୍ତାର ଅବସ୍ଥା ଶୋଚନୀୟ ହୋଇଯାଇଥିବାରୁ ଯାତାୟାତ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ପାଣି ଜମି ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ବୁଧବାର ସକା‌ଳେ କିଶୋରନଗରରୁ ଠାକୁରଗଡ଼ ଦେଇ ଅନୁଗୋଳ ଯାଉଥିବା ଶିବମ ବସ୍‌ର ଚାଳକ ରାସ୍ତାରେ ବଡ଼ଖାଲକୁ ଦେଖି ଗାଡ଼ି ଆଗକୁ ବଢ଼ାଇବାକୁ ଅମଙ୍ଗ ହୋଇଥିଲେ। ଖାଲ ପାର ହୋଇ ବସ୍‌ ଯାଇପାରିବ ନାହିଁ ବୋଲି ଆଶଙ୍କା ପ୍ରକଟ କରି ଗାଡ଼ି ଅଟକାଇ ଦେଲେ। ବସ୍‌ରେ ଥିବା ପ୍ରାୟ ୨୦ ଜଣ କଲେଜ ଛାତ୍ରଛାତ୍ରୀ ଓ ୧୫ ଜଣ ଅନ୍ୟ ଯାତ୍ରୀ ଅଡ଼ୁଆରେ ପଡ଼ିଥିଲେ। ତେବେ ସମସ୍ତେ ଗାଡ଼ିରୁ ଓହ୍ଲାଇ ରାସ୍ତା ମରାମତି କରିବାକୁ ଚିନ୍ତା କରିଥିଲେ। ବସ୍‌ରେ ଥିବା ଜରିବସ୍ତା ଓ ଅନ୍ୟାନ୍ୟ ସାମଗ୍ରୀ ଜରିଆରେ ପାଖ ପଡ଼ିଆରୁ ମାଟି, ବାଲି, ପଥର ସଂଗ୍ରହ କରି ରାସ୍ତା ସମତୁଲ କରିଥିଲେ। ରାସ୍ତା ମରାମତି ସରିବା ପରେ ବସ୍‌ ଗନ୍ତବ୍ୟ ପଥରେ ଅଗ୍ରସର ହୋଇଥିଲା। ପ୍ରଶାସନ ଶୀଘ୍ର ରାସ୍ତା ମରାମତି କରିବା ସହ କାମ ଅଧାରୁ ବନ୍ଦ କରିଥିବା ଠିକାସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ଆଠମଲ୍ଲିକ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ସୋନୁ କୁମାର ନାୟକଙ୍କୁ ଯୋଗାଯୋଗ କରାଯିବାରୁ ତାଙ୍କ ପାଖରେ ଏ ନେଇ କୌଣସି ଖବର ନଥିବା କହି ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.