ARTICLE AD BOX
କ୍ବେଟା: ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନ ପ୍ରଦେଶରେ ଏକ ବନ୍ଧ ପ୍ରକଳ୍ପ ନିକଟରେ ବିଦ୍ରୋହୀଙ୍କ ଆକ୍ରମଣରେ ୧୭ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣ ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରିଛି। ଜିଆରତ ଜିଲ୍ଲାରେ ସଶସ୍ତ୍ର ବିଦ୍ରୋହୀ ସଂଗଠନ ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲ୍ଏ) ପକ୍ଷରୁ ଆଜି ସୁରକ୍ଷା ପୋଷ୍ଟ ଉପରେ ଅତ୍ୟନ୍ତ ଯୋଜନାବଦ୍ଧ ଆକ୍ରମଣ ହୋଇଥିଲା। ଦୁଇ ଜଣ ଷ୍ଟେସନ ହାଉସ ଅଫିସର (ଏସ୍ଏଚ୍ଓ)ଙ୍କ ସମେତ ୧୭ ଜଣ ପୁଲିସ କର୍ମଚାରୀ ନିହତ ହୋଇଥିବା ବେଳେ ୧୫ ଜଣ ନିଖୋଜ ଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମାଙ୍ଗି ଡ୍ୟାମ ପ୍ରକଳ୍ପର ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଶିବିରକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଆକ୍ରମଣ ପରେ ବିଦ୍ରୋହୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିଥିବା ବେଳେ ଏହା ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ପୁଲିସ ଏବଂ ବିଦ୍ରୋହୀଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟା ଧରି ପ୍ରବଳ ଗୁଳିବିନିମୟ ହୋଇଥିଲା। ଏହି ସଂଘର୍ଷରେ ଅନେକ ପୁଲିସ ଅଧିକାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ନିଖୋଜ ଥିବା ୧୫ ପୁଲିସ କର୍ମଚାରୀଙ୍କୁ ବିଦ୍ରୋହୀମାନେ ଅପହରଣ କରି ବନ୍ଧକ ରଖିଥିବା ଆଶଙ୍କା କରାଯାଉଛି।
Meeting : ‘ଉତ୍ତମ ସମନ୍ୱୟ ଜରିଆରେ ବିଭାଗଗୁଡ଼ିକ ନିଜର ସଫଳତାକୁ ବାଣ୍ଟିବା ଉଚିତ’
ଏହି ସାଂଘାତିକ ଆକ୍ରମଣ ପରେ ପାକିସ୍ତାନ ସୁରକ୍ଷା ବାହିନୀ, ଅର୍ଦ୍ଧସାମରିକ ବାହିନୀ, ସ୍ଥାନୀୟ ପୁଲିସ ଏବଂ ଆଣ୍ଟି-ଟେରରିଜିମ୍ ସ୍କ୍ୱାଡ୍କୁ ନେଇ ଗଠିତ ଏକ ମିଳିତ ଟାସ୍କ ଫୋର୍ସ ପକ୍ଷରୁ ମାଙ୍ଗି ଡ୍ୟାମ ଏବଂ ସମଗ୍ର ଜିଆରତ ଜିଲ୍ଲାର ପାର୍ବତ୍ୟ ଅଞ୍ଚଳରେ ଏକ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ, ଖଣିଜ ସମ୍ପଦରେ ଭରପୂର ବଲୁଚିସ୍ତାନରେ ଦୀର୍ଘ ବର୍ଷ ଧରି ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଜାରି ରହିଛି। ବିଏଲ୍ଏ ଭଳି ନିଷିଦ୍ଧ ସଂଗଠନଗୁଡ଼ିକ ପ୍ରାୟତଃ ସରକାରୀ ସେନା, ଶକ୍ତି ପ୍ରକଳ୍ପ ଏବଂ ବିଦେଶୀ ପାଣ୍ଠିରେ ଚାଲିଥିବା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଟାର୍ଗେଟ କରି ଏଭଳି ବଡ଼ ଧରଣର ହିଂସାକାଣ୍ଡ ଘଟାଇ ଆସୁଛନ୍ତି, ଯାହା ପାକିସ୍ତାନ ସରକାରଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ସେ ନିହତ ପୁଲିସ କର୍ମଚାରୀଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଦୋଷୀମାନଙ୍କୁ ଆଇନ ଅନୁସାରେ କଠୋର ଦଣ୍ଡ ଦିଆଯିବ ବୋଲି କହିଛନ୍ତି।

3 weeks ago
11


