ARTICLE AD BOX
‘ଅପେକ୍ଷା କରିଛି ରଥ
ଅପେକ୍ଷା କରିଛି ପଥ।
ଜଲଦି ଆସ ଭାଗଗ୍ରାହୀ
ତୁମ ବାଟକୁ ରହିଛି ଅନାଇ।‘
ସ୍ମରଣାତୀତ କାଳରୁ ଶ୍ରୀକ୍ଷେତ୍ର ପୁରୀରେ କଳିଯୁଗର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ। ବିଶ୍ୱର କୋଟିକୋଟି ଭକ୍ତଙ୍କ ପାଇଁ ସେ କେବଳ ଜଣେ ଦେବତା ନୁହଁନ୍ତି; ବରଂ ଆସ୍ଥା, ଭକ୍ତି ଓ ବିଶ୍ୱାସର ଜୀବନ୍ତ ପ୍ରତୀକ। ତେବେ ଶ୍ରୀକ୍ଷେତ୍ରର ଏହି ଅଧିଷ୍ଠାତା ଦେବଙ୍କ ଅତୀତ ଆଜି ବି ରହସ୍ୟାବୃତ ହୋଇ ରହିଛି। ବିଭିନ୍ନ ପୁରାଣ, କିମ୍ବଦନ୍ତୀ ଓ ଇତିହାସ ତାଙ୍କ ମହିମାର କିଛି ଅଂଶକୁ ବର୍ଣ୍ଣନା କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ରହସ୍ୟର ଭେଦ କରିପାରିନାହାନ୍ତି। କୁହାଯାଏ, ମହାପ୍ରଭୁଙ୍କ ରହସ୍ୟ ଦେବଗଣଙ୍କ ପାଇଁ ମଧ୍ୟ ଅଗୋଚର। ସାଧାରଣ ମଣିଷ ପକ୍ଷେ ସେହି ଦିବ୍ୟ ରହସ୍ୟକୁ ବୁଝିବା ସମ୍ଭବ ନୁହେଁ। ଶ୍ରୀଜଗନ୍ନାଥ ବେଦବର୍ଣ୍ଣିତ ବିରାଟ ପୁରୁଷଙ୍କ ପ୍ରତୀକ, ଉପନିଷଦର ଗୁଢ଼ ଦର୍ଶନର ମୂର୍ତ୍ତିମନ୍ତ ରୂପ। କିନ୍ତୁ ଏତେ ଦିବ୍ୟ ସ୍ୱରୂପ ହୋଇ ମଧ୍ୟ ସେ ମଣିଷ ପରି ଲୀଳା କରନ୍ତି। ଆଉ ସେହି ଲୀଳାର ସବୁଠାରୁ ଅନନ୍ୟ ଓ ଅପୂର୍ବ ଉଦାହରଣ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା।
ତୁମର ଦର୍ଶନରେ ତରିଯିବେ ଭକ୍ତ
ଆଉ କେଇ ଘଣ୍ଟାର ପ୍ରତୀକ୍ଷା। ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ବ୍ରହ୍ମାଣ୍ଡ ଗୋସାଇଁ। ଭଗବାନଙ୍କ ସହିତ ଭକ୍ତର ଅପୂର୍ବ ମିଳନ ହେବ। ତାଙ୍କର ସେହି ବିଶାଳ ଚକା ଆଖିରେ ସେ କେତେ ଭକ୍ତଙ୍କୁ ଚାହିଁବେ। କାଳେ କୌଣସି ଭକ୍ତ ତାଙ୍କ ଦୃଷ୍ଟିରୁ ବଞ୍ଚିତ ହୋଇଯିବେ ବୋଲି ତାଙ୍କର ଏତେ ବଡ଼ ବଡ଼ ଆଖି। ସମସ୍ତଙ୍କୁ କୋଳେଇ ନେବା ପାଇଁ ସବୁବେଳେ ଉନ୍ମୁକ୍ତ ତାଙ୍କ ଭୁଜ। ଆଉ ସେ ଯେତେବେଳେ ପହଣ୍ଡିରେ ଝୁଲି ଝୁଲି ଆସନ୍ତି, ସେହି ଦୃଶ୍ୟ କେତେ ମନୋହର ଲାଗେ। ଏହି ଦର୍ଶନ ବଡ଼ ଦୁର୍ଲଭ। ବିଶ୍ୱାସ ରହିଛି, ତାଙ୍କର ଏହି ଦିବ୍ୟ ଦର୍ଶନ ପାଇଲେ ମଣିଷ, ଦେବତା, ଗନ୍ଧର୍ବ, ଯକ୍ଷ, ରାକ୍ଷସ ଓ ପଶୁପକ୍ଷୀ ସମସ୍ତେ ତରି ଯାଆନ୍ତି।
Rath Yatra: ରଥଯାତ୍ରା ପାଇଁ ଟ୍ରାଫିକ୍ ବ୍ୟବସ୍ଥା
ଅପେକ୍ଷାରେ ତିନି ରଥ
କେବଳ ଭକ୍ତ ନୁହଁନ୍ତି, ତିନି ରଥ ମଧ୍ୟ ଯେପରି ପ୍ରଭୁଙ୍କ ଆଗମନକୁ ଚାହିଁ ବସିଛନ୍ତି। ଆହତ କପୋତୀ ପରି ସେମାନେ ଅପେକ୍ଷା କରୁଛନ୍ତି। କେତେବେଳେ ସାଆନ୍ତେ ବିଜେ କରିବେ। ସେହି ଶୁଭ ମୁହୂର୍ତ୍ତକୁ ଚାହିଁ ରହିଛି ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ। କେବଳ ରଥ ନୁହେଁ, ବଡ଼ଦାଣ୍ଡ ମଧ୍ୟ ନାନାବିଧ ମୁରୁଜରେ ସୁସଜ୍ଜିତ ହୋଇ ଝଟକୁଛି। ହରିବୋଲ ଏବଂ ହୁଳହୁଳିର ଶଦ୍ଦ ଗୀତ ଓ ନୃତ୍ୟରେ ଗଗନ-ପବନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଆଉ କେତେ ଭକ୍ତ ଦେଶ-ବିଦେଶର ବିଭିନ୍ନ ପ୍ରାନ୍ତରୁ ଆସିଛନ୍ତି ଖାଲି ମହାପ୍ରଭୁଙ୍କ ଟିକେ ଝଲକ ପାଇବା ପାଇଁ। ମନର କୋହକୁ କାଳିଆଙ୍କ ପାଖରେ ପ୍ରକାଶ କରିବା ପାଇଁ।

2 weeks ago
10


