ARTICLE AD BOX
ଭୁବନେଶ୍ବର: ଓଡ଼ିଶା ଉପରେ ଥିବା ଗଭୀର ଅବପାତ ଆଜି ସନ୍ଧ୍ୟା ସୁଦ୍ଧା ଛତିଶଗଡ଼ ଓ ସଂଲଗ୍ନ ବିଦର୍ଭ, ଦକ୍ଷିଣ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହେବାର ସମ୍ଭାବନା ରହିଛି। ତେଣୁ ସାରା ରାଜ୍ୟରେ ଆଜି ବର୍ଷା ପରିମାଣ ହ୍ରାସ ପାଇଛି। କେବଳ ବାରିପଦା ସହରରେ ସର୍ବାଧିକ ୭୫ ମିମି, ଟିଟିଲାଗଡ଼ରେ ୧୪.୨ ଓ ନୂଆପଡ଼ାରେ ୧୦ ମିମି ବର୍ଷା ହୋଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
Weather: ଦୀଘା ନିକଟରେ ଛୁଇଁବ ଗଭୀର ଅବପାତ: ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ
ତେବେ ଅଗଷ୍ଟ ୨ ତାରିଖଠାରୁ ପୁଣିଥରେ ବର୍ଷା ପରିମାଣ ବଢ଼ିବ। ୨ ଓ ୩ ତାରିଖରେ ଯଥାକ୍ରମେ କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୪ ଓ ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ସ୍ଥାନରେ ଅତିପ୍ରବଳ ଓ ୧୯ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ନୂଆପଡ଼ା ଜିଲ୍ଲା ସିନାପାଲିଠାରେ ସର୍ବାଧିକ ୧୬୪ ମିମି ବର୍ଷା ରେକର୍ଡ କରାଯାଇଛି। ଏହାବ୍ୟତୀତ ବରଗଡ଼ର ପାଇକମାଳରେ ୧୫୭.୫ ମିମି, ପଦ୍ମପୁରରେ ୧୦୩, ନୂଆପଡ଼ାର ଖଡ଼ିଆଳରେ ୧୫୫, ବୋଡେନ୍ରେ ୧୫୨ ମିିମି ବର୍ଷା ହୋଇଛି।

3 days ago
2


