ARTICLE AD BOX
ରାଉରକେଲା: ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପର ଭାଗ୍ୟ ଫିଟିପାରୁନି। ବାରମ୍ବାର ପ୍ରକଳ୍ପର ନିର୍ମାଣ ଅବଧି ବଢ଼ିବାରେ ଲାଗିଛି। ଏବେ ପୁନର୍ବାର ୨୦୨୯ ମାର୍ଚ୍ଚ ୩୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପ୍ରକଳ୍ପର ସ୍ଥିତାବସ୍ଥା ନେଇ ଗତ ଜୁନ ୨୯ ତାରିଖରେ ସମାଜସେବୀ ବିମଳ କୁମାର ବିଶି ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜବାବରେ ରେଳବାଇ କର୍ତ୍ତୃପକ୍ଷ, ଏହି ପରିବର୍ତ୍ତିତ ଅବଧି ବିଷୟରେ ଉଲ୍ଲେଖ କରିଛନ୍ତି। ତେବେ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଅବଶିଷ୍ଟ ଘରୋଇ ଜମି ଶୀଘ୍ର ଅଧିଗ୍ରହଣ କରାଯିବାକୁ ସର୍ତ୍ତ ରଖାଯାଇଛି। ଅର୍ଥାତ୍, ଯଥାଶୀଘ୍ର ଜମି ଅଧିଗ୍ରହଣ ସମ୍ପନ୍ନ ନ​ହୁଏ ତା’ହେଲେ ପ୍ରକଳ୍ପ ପୁଣି ଘୁଞ୍ଚିବାର ଆଶଙ୍କା ରହିଛି।
୫୫ କିଲୋମିଟର ରେଳପଥ ନିର୍ମାଣ ସରିଛି
ପ୍ରକଳ୍ପର ଅବଧି ବାରମ୍ବାର ଘୁଞ୍ଚୁଥିବାରୁ ଅସନ୍ତୋଷ ବ୍ୟାପକ ହେଲାଣି। ଅପରପକ୍ଷରେ ପ୍ରଶାସନିକ ଅବହେଳା ଯୋଗୁ ଜମି ଅଧିଗ୍ରହଣ ବେଗ ଧରିପାରୁନି। ୧୪୯.୭୮ କିଲୋମିଟର ଦୀର୍ଘ ଏହି ରେଳପଥ ପାଇଁ ଅନୁଗୋଳରୁ ଖମାର ଯାଏ ପ୍ରାୟ ୫୫ କିଲୋମିଟର ରେଳପଥ ନିର୍ମାଣ ସରିଛି। ସେହିଭଳି ଖମାର-ଶ୍ରୀରାମପୁର ଓ ଶ୍ରୀରାମପୁର-ପାଲଲହଡ଼ା ଷ୍ଟ୍ରେଚ୍ରେ କାମ ନିର୍ମାଣାଧୀନ ଅବସ୍ଥାରେ ଥିବାବେଳେ ପାଲଲହଡ଼ା-ବାରକୋଟ୍ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। କିନ୍ତୁ ବାରକୋଟ୍-ମହୁଲଡିହା ଓ ମହୁଲଡିହା-ବିମଳାଗଡ଼ ପାଇଁ ଜମି ସମସ୍ୟା ପ୍ରତିବନ୍ଧକ ସାଜିଛି। ସୁନ୍ଦରଗଡ଼ ଜିଲ୍ଲାର ଉଭୟ ବିଲାଗଡ଼ ଓ ମହୁଲଡିହା ପଟୁ ଯଦିଓ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି, କିନ୍ତୁ ଜମି ଅଧିଗ୍ରହଣ ସମ୍ପନ୍ନ ହୋଇନଥିବାରୁ ଏହା ବିଭିନ୍ନ ଷ୍ଟ୍ରେଚ୍ରେ କାମ ଚାଲିଛି। ସୁନ୍ଦରଗଡ଼ ଜିଲ୍ଲାରେ ପାଖାପାଖି ୨୦% ଜମି ଓ ଦେବଗଡ଼ ଜିଲ୍ଲାରେ ପ୍ରାୟ ୭୦% ଜମି ଅଧିଗ୍ରହଣ ହୋଇପାରିନି। ଉଲ୍ଲେଖଯୋଗ୍ୟ, ୨୦୦୩-୦୪ ମସିହାରୁ ମଞ୍ଜୁର ହୋଇଥିବା ଏହି ପ୍ରକଳ୍ପର ପ୍ରାରମ୍ଭିକ ବ୍ୟୟ ଅଟକଳ ୮୧୦.୭୮ କୋଟି ଟଙ୍କା ଥିବାବେଳେ, ବର୍ତ୍ତମାନ ଏହା ସଂଶୋଧିତ ହୋଇ ୧,୯୨୮.୦୭ କୋଟି ଟଙ୍କାରେ ପହଞ୍ଚିଛି। ଆଗକୁ ଏହାର ଖର୍ଚ୍ଚ ଆହୁରି ବଢ଼ିବା ଆଶଙ୍କା ରହିଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଯାତ୍ରୀ ପରିବହନ ସହଜ ହେବାସହ ଲୁହାପଥର ଓ କୋଇଲା ଆଦି ଖଣିଜପଦାର୍ଥ ପରିବହନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ।

3 weeks ago
10


