ARTICLE AD BOX
ପୁଣେ/ମସ୍କାଟ: ଇରାନର କ୍ଷେପଣାସ୍ତ୍ର ମାଡ଼ରେ ପ୍ରାଣ ହରାଇଥିବା ଭାରତୀୟ ନାବିକ ହେରମ୍ବ କରମରକର ଆକ୍ରମଣର ଠିକ୍ କିଛି ସମୟ ପୂର୍ବରୁ ନିଜ ପରିବାରକୁ ମେସେଜ୍ କରି ସେ ସୁରକ୍ଷିତ ଥିବା ଜଣାଇଥିଲେ। ପୁଣେର ଏହି ୩୦ ବର୍ଷୀୟ ମେରାଇନ୍ ଇଞ୍ଜିନିୟର ମେସେଜରେ ଲେଖିଥିଲେ ଯେ, ଜାହାଜଟି ସଫଳତାର ସହ ଗଲ୍ଫ୍ ପାର୍ କରିସାରିଛି ଏବଂ ସେମାନେ ବିପଦ ମୁକ୍ତ ଅଛନ୍ତି। ମାତ୍ର ଏହି ବାର୍ତ୍ତା ହିଁ ତାଙ୍କ ପରିବାର ପାଇଁ ଶେଷ ଯୋଗାଯୋଗ ପାଲଟିଥିଲା। ସାଇପ୍ରସ ପତାକାଧାରୀ ବାଣିଜ୍ୟିକ ଜାହାଜ ‘ଜିଏଫଏକ୍ସ ଗାଲାକ୍ସି’ ଉପରେ ଓମାନ ଉପକୂଳ ହରମୁଜ ପ୍ରଣାଳୀରେ ଇରାନର ଆଇଆରଜିସି ପକ୍ଷରୁ ଏହି ବର୍ବରୋଚିତ ଆକ୍ରମଣ କରାଯାଇଥିଲା।
ହେରମ୍ବଙ୍କ ଶବକୁ ସ୍ୱଦେଶ ଆଣିବାକୁ ପରିବାରlଲୋକଙ୍କ ନିବେଦନ
ଏହି ଘଟଣାରେ ଜାହାଜରେ ଥିବା ୧୦ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ହେରମ୍ବ ନିଖୋଜ ଥିଲେ ଏବଂ ଆଜି ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୁଅକୁ ହରାଇବା ପରେ ହେରମ୍ବଙ୍କ ଶବକୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବାକୁ ତାଙ୍କ ପରିବାର ଭାରତ ସରକାରଙ୍କୁ କାକୁତି ମିନତି କରି ନିବେଦନ କରିଛନ୍ତି।
ଅପରପକ୍ଷେ, ଭାରତ ସରକାର ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ହେଉଥିବା ଲଗାତାର ଆକ୍ରମଣ ଅତ୍ୟନ୍ତ ଚିନ୍ତାଜନକ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରକାଶ କରିଛି। ଓମାନରେ ଥିବା ଭାରତୀୟ ଦୂତାବାସ ସ୍ଥାନୀୟ ପ୍ରଶାସନ ଓ ଜାହାଜ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ସମ୍ପର୍କରେ ରହି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରୁଛି ଏବଂ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛି। ବିଶ୍ୱର ଏହି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ତୈଳ ପରିବହନ ମାର୍ଗରେ ବଢୁଥିବା ଉତ୍ତେଜନା ସମଗ୍ର ବିଶ୍ୱର ଶକ୍ତି ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିଛି।

2 weeks ago
11


