Projects Pending: ସୁନ୍ଦରଗଡ଼ ଜିଲ୍ଲାରେ ୫୦ ସେତୁ ଅଧପନ୍ତରିଆ

3 weeks ago 13
ARTICLE AD BOX

ରାଉରକେଲା (ଦେବବ୍ରତ ଗଡ଼ତିଆ):ସୁନ୍ଦରଗଡ଼ ଜିଲ୍ଲାରେ ସେତୁ ନିର୍ମାଣର ଗତି ବେଶ୍‌ ମନ୍ଥର। ନିର୍ମାଣ ଅବଧି ସରିଲାଣି, କିନ୍ତୁ ନିର୍ମାଣ କାର୍ଯ୍ୟ ସରୁନି। ଫଳରେ ଗ୍ରାମବାସୀ ଜୀବନକୁ ବାଜି ଲଗାଇ ନଦୀ ପାର୍‌ ହେଉଥିବା ପରିଲକ୍ଷିତ ହୁଏ। ଜିଲ୍ଲାରେ ଗତ ୧୫ ବର୍ଷ ମଧ୍ୟରେ ମୋଟ ୧୯୩ଟି ସେତୁ ପ୍ରକଳ୍ପ ଅନୁମୋଦିତ ହୋଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ୧୪୩ଟି ସେତୁର ନିର୍ମାଣ ସମ୍ପନ୍ନ ହୋଇଥିବାବେଳେ ୫୦ଟି ସେତୁ (୨୦.୭୨%)ର ନିର୍ମାଣ କାର୍ଯ୍ୟ ଅଧୁରା ରହିଛି। ଫଳରେ ଉନ୍ନତମାନର ଗମନାଗମନ ସୁଯୋଗ ପ୍ରଦାନ କରିବାର ଉଦ୍ଦେଶ୍ୟ, ଅପୂରଣୀୟ ହୋଇ ରହିଛି।

ବିଜୁ ସେତୁ ଯୋଜନା (ବିଏସ୍‌ୱାଇ), ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ୧୯୩ଟି ସେତୁ ପ୍ରକଳ୍ପ ଅନୁମୋଦିତ ହୋଇଥିଲା। ଏଥିମଧ୍ୟରୁ ବିଜୁ ସେତୁ ଯୋଜନାରେ ୧୧୫ଟି ପ୍ରକଳ୍ପ ଅନୁମୋଦିତ ହୋଇଥିଲା। ଏଥିମଧ୍ୟରୁ ୬୭ଟି ସେତୁର ନିର୍ମାଣ ଶେଷ ହୋଇଥିବାବେଳେ ୪୮ଟି ପ୍ରକଳ୍ପ ନିର୍ମାଣାଧୀନ ଅବସ୍ଥାରେ। ସେହିଭଳି ପିଏମ୍‌ଜିଏସ୍‌ୱାଇରେ ଅନୁମୋଦିତ ୭୬ଟି ପ୍ରକଳ୍ପ ମଧ୍ୟରୁ ୭୫ଟି ଶେଷ ହୋଇଥିବାବେଳେ ୧ ସେତୁର ନିର୍ମାଣ ଚାଲିଛି।

Promise: ପ୍ରତିଶ୍ରୁତିରେ ଅଟକିଛି ସେତୁ ନିର୍ମାଣ କାର୍ଯ୍ୟ, ଦୁର୍ଦଶା ଭୋଗୁଛନ୍ତି ୮ଟି ଗାଁର ଲୋକେ

ଏତଦ୍‌ବ୍ୟତୀତ ରାଜ୍ୟ ଯୋଜନାରୁ ୧ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ଅନ୍ୟ ପ୍ରକଳ୍ପ ପ୍ରାକ୍‌ ନିର୍ମାଣ ପ୍ରକ୍ରିୟାରେ ରହିଛି। ବିଡ଼ମ୍ବନା, ନିର୍ମାଣାଧୀନ ୫୦ଟି ପ୍ରକଳ୍ପ ମଧ୍ୟରୁ ବାସ୍ତବରେ ୧୦ଟି ପ୍ରକଳ୍ପର ନିର୍ମାଣ ଆରମ୍ଭ ହୋଇଥିବାବେଳେ ୪୦ଟି ପ୍ରକଳ୍ପ ପ୍ରାକ୍‌ ନିର୍ମାଣ ପ୍ରକ୍ରିୟା, ଅର୍ଥାତ୍‌ ସର୍ବେକ୍ଷଣ, ମୃତ୍ତିକା ଅନୁସନ୍ଧାନ, ନକ୍ସା, ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତି, ଟେଣ୍ଡର୍‌ ପ୍ରକ୍ରିୟାରେ ଝୁଲି ରହିଛି।

ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁ ଯୋଗାଯୋଗ ଏକପ୍ରକାର ବିଚ୍ଛିନ୍ନ ହୋଇ ପଡ଼ିଥିବାରୁ, ବାଧ୍ୟ ହୋଇ ଶତାଧିକ ଗ୍ରାମବାସୀ, ସ୍କୁଲ କଲେଜ ଛାତ୍ରଛାତ୍ରୀ ଦୈନନ୍ଦିନ ଜୀବନରେ ନିଜ ଜୀବନକୁ ବାଜି ଲଗାଇ ପାଦରେ ଚାଲି ଚାଲି ନଦୀ ପାର ହେଉଥିବା ଦେଖିବାକୁ ମିଳୁଛି। ବିଶେଷକରି ବର୍ଷା ଦିନେ ଏମାନଙ୍କ ଦୁର୍ଦ୍ଦଶା ଦ୍ବିଗୁଣିତ ହେଉଛି। ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଏତେ ଧୀମା ଯେ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଅନେକ ସ୍ଥାନରେ କେବଳ ଖୁଣ୍ଟ ଠିଆ ହୋଇ ରହିଛି, ଯାହା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଓ ତଦାରଖର ଅଭାବ ଯୋଗୁ ଅବଧି ବଢି ଚାଲିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.