ARTICLE AD BOX
ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ନାସନାଲ କନଫରେନ୍ସ (ଏନସି) ସରକାର ବିରୋଧରେ ବୁଧବାର ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଧାନସଭାର ବିରୋଧୀ ଦଳ ନେତା ସୁନୀଲ ଶର୍ମାଙ୍କ ନେତୃତ୍ୱରେ ଶହ ଶହ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ଲାଲଚୌକସ୍ଥିତ କ୍ଲକ୍ ଟାୱାର ନିକଟରେ ଏକତ୍ରିତ ହୋଇ ସରକାର ବିରୋଧୀ ନାରାବାଜି କରିବା ସହ ସିଭିଲ ସେକ୍ରେଟାରିଏଟ୍ ଆଡ଼କୁ ମାର୍ଚ୍ଚ କରିଥିଲେ। ରାଜ୍ୟ ପୁନର୍ଗଠନ ଓ ସ୍ୱତନ୍ତ୍ର ପଦବୀ ମୁଦ୍ଦାକୁ ନେଇ ସୁନୀଲ ଶର୍ମା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ତାଙ୍କ ଗାନ୍ଦରବଲ ଆସନରୁ ଇସ୍ତଫା ଦେଇ ପୁନର୍ବାର ଜନାଦେଶ ଲୋଡ଼ିବାକୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି।
ସରକାରଙ୍କୁ କଠୋର ସମାଲୋଚନା କରି ବିଜେପି ନେତା ସୁନୀଲ ଶର୍ମା କହିଛନ୍ତି ଯେ, ଜାମ୍ମୁ-କାଶ୍ମୀରରେ ସାଧାରଣ ଓ ଗରିବ ଲୋକଙ୍କ ଜୀବନଧାରଣ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ସାରା ରାଜ୍ୟରେ ଜଳସଙ୍କଟ ଦେଖାଦେଇଛି, ହସ୍ପିଟାଲଗୁଡ଼ିକରେ ଡାକ୍ତର ଓ ଚିକିତ୍ସା ସୁବିଧା ନାହିଁ ଏବଂ ସ୍କୁଲଗୁଡ଼ିକରେ ଶିକ୍ଷକଙ୍କ ଅଭାବ ରହିଛି। ମୁଖ୍ୟମନ୍ତ୍ରୀ କେବଳ ରାଜକୀୟ ଜୀବନଯାପନ କରି ଗୁଲମାର୍ଗ ଓ ପହଲଗାମରେ ସ୍କିଇଂ କରିବାରେ ବ୍ୟସ୍ତ ଅଛନ୍ତି। ବିଜେପିର ଏହି ଆନ୍ଦୋଳନ ମୁଖ୍ୟତଃ ୪ଟି ମୁଦ୍ଦା, ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତେ ୨୫,୦୦୦ ଚାକିରି ଆଉଟସୋର୍ସିଂ କରି ବିକ୍ରି କରିବା, ପୌର ଓ ସ୍ଥାନୀୟ ନିର୍ବାଚନ ନକରାଇବା, ବ୍ୟାପକ ଭ୍ରଷ୍ଟାଚାର ଏବଂ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବିରୋଧରେ କେନ୍ଦ୍ରୀଭୂତ ହୋଇଛି। ସେ ଆହୁରି ମଧ୍ୟ ଦୋହରାଇଛନ୍ତି ଯେ, ଜାମ୍ମୁ-କାଶ୍ମୀରକୁ ଉପଯୁକ୍ତ ସମୟରେ ରାଜ୍ୟ ପଦବୀ ଫେରାଇବା ପାଇଁ କେନ୍ଦ୍ର ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏହି ମୁଦ୍ଦା ଉପରେ ରାଜନୀତି ନକରି ମୁଖ୍ୟମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇ ନୂଆ ନିର୍ବାଚନର ସମ୍ମୁଖୀନ ହେବା ଉଚିତ୍।

2 weeks ago
5


