ARTICLE AD BOX
ଗଞ୍ଜାମ/ହୁମ୍ମା: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ପୁରୁଣା ପୋଡ଼ମପେଟା ବେଳାଭୂମିରୁ ଆଜି ଏକ ମନ୍ଦିରର ଦଧିନଉତି ଠାବ ହୋଇଛି। ଏହାର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବିଭିନ୍ନ ମତ ଶୁଣିବାକୁ ମିଳିଛି। କିଛି ଗ୍ରାମବାସୀ ଏହି ଦଧିନଉତିଟି ୨୦ରୁ ୨୫ ବର୍ଷ ପୁରୁଣା ଗଙ୍ଗାଦେବୀ ମନ୍ଦିରର ବୋଲି କହିଛନ୍ତି। ମନ୍ଦିରର ପ୍ରତିଷ୍ଠା ଉତ୍ସବ ସଂପୂର୍ଣ୍ଣ ହେବା ପୂର୍ବରୁ ଏହା ସମୁଦ୍ରଗର୍ଭରେ ଲୀନ ହୋଇଯାଇଥିଲା ବୋଲି କହିଛନ୍ତି। ଏହାସହ ଆଗରୁ ଏଠାରେ ଜନବସତି ଥିବା କୁହାଯାଇଛି।
୨୫ ବର୍ଷ ପୁରୁଣା ଗଙ୍ଗାଦେବୀ ମନ୍ଦିରର ଅନୁମାନ
ସମୁଦ୍ରରେ ଲୀନ ହୋଇଥିଲା, ପ୍ରଶାସନର ଅନୁଧ୍ୟାନ
ଜଳସ୍ତର ହ୍ରାସ ପାଇବାରୁ ମନ୍ଦିରର କିଛି ଅଂଶ ବାହାରକୁ ଦେଖାଯାଉଛି। ତେବେ ପ୍ରକୃତରେ ଏହା ଗଙ୍ଗା ମନ୍ଦିରର ନା ଅନ୍ୟ କୌଣସି ପ୍ରାଚୀନ କୀର୍ତ୍ତିରାଜି ଏନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନି। ସ୍ଥାନୀୟ କିଛି ଯୁବକ ବାଲି ଖୋଳି ମନ୍ଦିରଟିକୁ ସମ୍ପୂର୍ଣ୍ଣ ଦେଖିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମୁଦ୍ରରୁ ଆସୁଥିବା ଲହଡ଼ି ପୁଣିଥରେ ଏହାକୁ ଢାଙ୍କି ଦେଉଛି। ଏହାକୁ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମୁଛି। ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଆର୍ଆଇ ଓ ଅମିନଙ୍କ ସମେତ ଅନ୍ୟ କର୍ମଚାରୀମାନେ ବେଳାଭୂମିରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଟିମ୍ ପକ୍ଷରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

2 weeks ago
2


