OCA President Affirms BCCI Rules ହାଇକୋର୍ଟରେ ଓସିଏ ସଭାପତିଙ୍କ ସତ୍ୟପାଠ, ବିସିସିଆଇ ନିୟମାବଳୀ ପାଳନ କରିବ ଓସିଏ, କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ତିନି ବର୍ଷ

3 hours ago 1
ARTICLE AD BOX

କଟକ:  ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର କର୍ମକର୍ତ୍ତା ନିର୍ବାଚନକୁ ନେଇ ଦାୟର ହୋଇଥିବା ମାମଲା ଆଜି ନୂଆ ମୋଡ଼ ନେଇଛି। ଓସିଏ ସଂପାଦକ ସଂଜୟ କୁମାର ବେହେରାଙ୍କ ଆଭିମୁଖ୍ୟ ଠାରୁ ଭିନ୍ନ କଥା ସଭାପତି ପଙ୍କଜଲୋଚନ ମହାନ୍ତିଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଶ୍ରୀ ମହାନ୍ତି ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ ଓସିଏ ହେଉଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏକ ପୂର୍ଣ୍ଣାଙ୍ଗ ସଦସ୍ୟ। 

OCA election: ହାଇକୋର୍ଟରେ ଓସିଏ ନିର୍ବାଚନ ବିଳମ୍ବିତ ପ୍ରସଙ୍ଗ: ସେପ୍ଟେମ୍ବର ୧ରେ ପରବର୍ତ୍ତୀ ଶୁଣାଣି

ସତ୍ୟପାଠରେ ଦର୍ଶାଯାଇଛି, ସୁପ୍ରିମକୋର୍ଟଙ୍କ ରାୟ ଓ ଜଷ୍ଟିସ୍ ଆର୍.ଏମ୍. ଲୋଧା କମିଟି ସୁପାରିସ ଅନୁଯାୟୀ ପ୍ରସ୍ତୁତ ବିସିସିଆଇ ସମ୍ବିଧାନ ଅନୁସାରେ ସମସ୍ତ ରାଜ୍ୟ କ୍ରିକେଟ୍ ସଂଘର କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୩ ବର୍ଷ। ଓସିଏ ବିସିସିଆଇର ଅନୁଦାନ ଉପରେ ନିର୍ଭରଶୀଳ। ବିସିସିଆଇର ସମ୍ବିଧାନ ବା ବାଇ ଲ’ର କୌଣସି ଉଲ୍ଲଂଘନ ହେଲେ ଓସିଏ ଅନୁଦାନରୁ ବଞ୍ଚିତ ହେବ। ଯଦି କ୍ରମାଗତ ୨ ବର୍ଷ ଏପରି ସ୍ଥିତି ରୁହେ ତେବେ ଓସିଏକୁ ସଦସ୍ୟ ଭାବେ ମିଳିଥିବା ସ୍ବୀକୃତିକୁ ବିସିସିଆଇ ପ୍ରତ୍ୟାହାର କରିବ ବୋଲି ନିୟମ ରହିଛି। 

ନ୍ୟାସନାଲ୍‌ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ, ୨୦୨୫ ଅଧିନରେ ‘କ୍ରିକେଟ୍’ ଏକ ନିର୍ଦ୍ଦି‌ଷ୍ଟ ଖେଳ ବୋଲି ଓସିଏ ଭ୍ରମରେ ଥିଲା। ବିସିସିଆଇ ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ ଅଧୀନରେ ଆସୁଛି କି ନାହିଁ ତାହା ଅସ୍ପଷ୍ଟ ଥିଲା। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ୨୦୨୫, ଡିସେମ୍ବର ୨୨ର ନିର୍ଦ୍ଦେଶାବଳୀ ଅନୁଯାୟୀ, ଜାତୀୟ କ୍ରୀଡ଼ା ସଂଘଗୁଡ଼ିକର ନିର୍ବାଚନ ୨୦୨୬, ଡିସେମ୍ବର ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କୁହାଯାଇଥିଲା। ଏହି କାରଣ ସହ ବାରବାଟୀ ଷ୍ଟାଡିୟମ୍‌ରେ ୨୦୨୫, ଡିସେମ୍ବର ୯ରେ ହେବାକୁ ଥିବା ଆନ୍ତର୍ଜାତୀୟ ମ୍ୟାଚ୍ କାରଣରୁ ଓସିଏର ସ୍ବତନ୍ତ୍ର ସାଧାରଣ ବୈଠକ ୨୦୨୫ ଅଗଷ୍ଟ ୩୧ରେ ବସି କର୍ମକର୍ତ୍ତା ନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନର କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକାଳ ଜାରି ରହିବା ପ୍ରସଂଗକୁ ସାଧାରଣ ପରିଷଦ ଅନୁମୋଦନ କରିଥିଲା। ମାମଲାରେ ବିସିସିଆଇ ଜବାବ ଦାଖଲ କରିବା ପରେ ସ୍ପଷ୍ଟ ହୋଇଛି ଯେ, ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ୨୦୨୫’ ଅଧୀନରେ ବିସିସିଆଇ କିମ୍ବା କୌଣସି ରାଜ୍ୟ କ୍ରିକେଟ୍ ସଂଘ ଆସୁନାହାନ୍ତି। ବିସିସିଆଇ ମେମେରୋଣ୍ଡମ ଅଫ ଆସୋସିଏସନ (ଏମଓଏ), ନିୟମାବଳୀକୁ ସୁପ୍ରିମକୋର୍ଟ ଅନୁମୋଦନ କରିଥିବା ବେଳେ ବିସିସିଆଇକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ପାଣ୍ଠି ପ୍ରଦାନ କରୁ ନାହାନ୍ତି। ବିସିସିଆଇ ଏକ ସ୍ବାଧୀନ ସଂସ୍ଥା। ତେଣୁ ଏହା ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ, ୨୦୨୫ ଅଧୀନରେ ନାହିଁ। ଓସିଏ ବିସିସିଆଇର ଏମଓଏ ଓ ନିୟମାବଳୀକୁ ପାଳନ କରୁଛି ଓ ଏହା ବିସିସିଆଇର ଏକ ସ୍ଥାୟୀ ସ୍ବୀକୃତିପ୍ରାପ୍ତ ସଂଘ। ତେଣୁ ବିସିସିଆଇ ଆଭିମୁଖ୍ୟ ଠାରୁ ଭିନ୍ନ ଆଭିମୁଖ୍ୟ ଓସିଏର ହୋଇ ପାରିବ ନାହିଁ ବୋଲି ଶ୍ରୀ ମହାନ୍ତିଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ସେପ୍ଟେମ୍ବର୍‌ ୨୨କୁ ଏ ସଂପର୍କିତ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି। ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସନରାଇଜ କ୍ଲବ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Tamil Nadu Cricket Association: କାକର ସମସ୍ୟା ଦୂର କରିବାକୁ ଚିପକ୍‌ରେ ଛିଞ୍ଚା ହେଲା ସ୍ବତନ୍ତ୍ର ରାସାୟନିକ ଦ୍ରବଣ

ଏଠାରେ ଉଲ୍ଲେଖଯୋଗ୍ୟ ବିସିସିଆଇ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ଓସିଏ ଏହାର ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନିଶ୍ଚିତତା ଭିତରେ ରଖି ପାରିବ ନାହିଁ। ନିଜ ବାଇ ଲ’, ବିସିସିଆଇର ଏମଓଏ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ପାଇଁ ଓସିଏକୁ ତୁରନ୍ତ ନିର୍ବାଚନ କରିବାକୁ ହେବ। ଏମଓଏ ଅନୁସାରେ ଜ‌ଣେ କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକାଳ ତିନିବର୍ଷ। ଜଣେ କାର୍ଯ୍ୟକର୍ତ୍ତା ତିନି ଥରରୁ ଅଧିକ ରହି ପାରିବେ ନାହିଁ ଯାହା ଅର୍ଥ ୯ ବର୍ଷ। ଜଣେ କାର୍ଯ୍ୟକର୍ତ୍ତା କୌଣସି ପଦବିରେ ଲଗାତାର ଦୁଇ ଥରରୁ ଅଧିକ ରହିବା ପରେ ୩ ବର୍ଷର କୁଲିଂ ଅଫ ଅବଧି ପୂରଣ କରିବାକୁ ପଡ଼ିବ। ଯଦି ଜଣେ କାର୍ଯ୍ୟକର୍ତ୍ତା ଲାଗାତାର ଦୁଇ ଥର ପଦବିରେ ରୁହନ୍ତି ତେବେ ତାଙ୍କୁ ୩ ବର୍ଷର କୁଲିଂ ଅଫ୍‌ ଅବଧି ‌ପୂରଣ କରିବାକୁ ହେବ। ଏଭଳି ନିୟମ ବିସିସିଆଇ ଗ୍ରହଣ କରିଥିବା ବେଳେ ଏ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓସିଏ କ୍ଷେତ୍ରରେ ମଧ୍ୟ ଲାଗୁ। ବିସିସିଆଇ ସଦସ୍ୟତା ଓ ସ୍ବୀକୃତି ବାଜୟ ରଖିବା ପାଇଁ ରାଜ୍ୟ ସଂଘଗୁଡ଼ିକୁ ଏପରି ନିୟମ ପାଳନ କରିବାକୁ ହେବ। ସତ୍ୟପାଠରେ ସମୟରେ ନିର୍ବାଚନ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଥିଲା।

ଅନ୍ୟପକ୍ଷରେ ଓସିଏ ସଂପାଦକ ସଞ୍ଜୟ କୁମାର ବେହେରାଙ୍କ ତରଫରୁ ମାମଲାରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ନିର୍ବାଚନ ସ୍ଥଗିତ ରଖିବା ନିଷ୍ପତ୍ତିଟି ଏକ ମିଳିତ ନିଷ୍ପତ୍ତି ଥିଲା ଓ ଏହା ସାଧାରଣ ପରିଷଦ (ଜେନେରାଲ ବଡି) ଦ୍ବାରା ଅନୁମୋଦିତ ଥିଲା। ଆସୋସିଏସନର ବର୍ତ୍ତମାନର କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକାଳ ଜାରି ରଖିବା ପ୍ରସଂଗକୁ ସାଧାରଣ ପରିଷଦ ଅନୁମୋଦନ କରିଥିଲା ବୋଲି। ନିର୍ବାଚନ ଓ ବର୍ତ୍ତମାନର କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକାଳ ଜାରି ରଖିବା ପ୍ରସଂଗ ୨୦୨୫, ଅଗଷ୍ଟ ୩୧ ଓ ୨୦୨୬, ଫେବ୍ରୁଆରି ୨୨ର ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନର କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକାଳ ଜାରି ରହିବା ପ୍ରସଂଗକୁ ସାଧାରଣ ପରିଷଦ ଅନୁମୋଦନ କରିଥିଲା। ଫେବ୍ରୁଆରି ୨୨ର ସାଧାରଣ ପରିଷଦ ବୈଠକରେ ବହୁମତ ଭୋଟରେ ନିର୍ବାଚନ ସ୍ଥଗିତ ନିଷ୍ପତ୍ତି ନିଆଯାଇଛି। ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ, ୨୦୨୫ର ପ୍ରଭାବ ଅନୁଧ୍ୟାନ କରିବା ପାଇଁ ନିର୍ବାଚନ ସ୍ଥଗିତ ରଖିବାକୁ ସାଧାରଣ ପରିଷଦରେ ମତ ପ୍ରକାଶ ପାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.