ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀରେ ବେଆଇନ ଓ ବିପଦଜନକ କୋଠା ନିର୍ମାଣକୁ ନେଇ ସୁପ୍ରିମ୍କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଭଳି କୋଠା ବିରୋଧରେ ଏପର୍ଯ୍ୟନ୍ତ କି ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମ୍ସିଡି)କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଏମ୍ସିଡିର କମିସନର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ପରବର୍ତ୍ତୀ ଶୁଣାଣି ଦିନ ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହେବାକୁ ମଧ୍ୟ କହିଛନ୍ତି।
ମାମଲାର ଶୁଣାଣି ବେଳେ ସୁପ୍ରିମ୍କୋର୍ଟ କହିଛନ୍ତି ଯେ, ଦିଲ୍ଲୀରେ ବେଆଇନ ନିର୍ମାଣ ଓ ବିପଜ୍ଜନକ କୋଠା ସମସ୍ୟା ବର୍ଷ ବର୍ଷ ଧରି ଚାଲିଆସୁଛି। କିନ୍ତୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଏହାକୁ ରୋକିବାରେ ପ୍ରଭାବଶାଳୀ ପଦକ୍ଷେପ ନେଉନାହାନ୍ତି। ଏହା ଯୋଗୁଁ ଲୋକଙ୍କ ଜୀବନ ବିପଦରେ ପଡ଼ୁଛି ଏବଂ ଅନେକ ସମୟରେ କୋଠା ଭୁଶୁଡ଼ି ପ୍ରାଣହାନି ମଧ୍ୟ ଘଟୁଛି।
ଅଦାଲତ ପ୍ରଶ୍ନ କରିଛନ୍ତି ଯେ, ବେଆଇନ ନିର୍ମାଣ ହେଉଥିବାବେଳେ ସମ୍ପୃକ୍ତ ଅଧିକାରୀମାନେ କାହିଁକି ନିରବ ରହୁଛନ୍ତି। କୋଠା ନିର୍ମାଣ ଶେଷ ହେବା ପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଆରମ୍ଭରୁ ଏହାକୁ ରୋକିବା ପାଇଁ କ’ଣ ବ୍ୟବସ୍ଥା କରାଯାଇଛି, ସେ ସମ୍ପର୍କରେ ମଧ୍ୟ କୋର୍ଟ ଜବାବ ମାଗିଛନ୍ତି। ସୁପ୍ରିମ୍କୋର୍ଟ କହିଛନ୍ତି, ଯଦି ନିୟମିତ ଭାବେ ନିରୀକ୍ଷଣ କରାଯାଏ, ତେବେ ଅଧିକାଂଶ ବେଆଇନ ନିର୍ମାଣକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୋକାଯାଇପାରିବ।
Supremecourt: ନ୍ୟାୟ ପ୍ରକ୍ରିୟାରେ ଏଆଇ ବ୍ୟବହାରକୁ ନେଇ ସୁପ୍ରିମ୍କୋର୍ଟଙ୍କ କଡ଼ା ସତର୍କବାଣୀ
ସୁପ୍ରିମ୍କୋର୍ଟ ଏମ୍ସିଡିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଦିଲ୍ଲୀରେ ଚିହ୍ନଟ ହୋଇଥିବା ବିପଜ୍ଜନକ କୋଠା, ସେଗୁଡ଼ିକ ବିରୋଧରେ ନିଆଯାଇଥିବା ପଦକ୍ଷେପ, ଭଙ୍ଗାଯାଇଥିବା କୋଠାର ସଂଖ୍ୟା ଏବଂ ଏବେ ବି କେତେ କୋଠା ବିପଜ୍ଜନକ ଅବସ୍ଥାରେ ରହିଛି, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ ପଡ଼ିବ। ଏହା ସହ ବେଆଇନ ନିର୍ମାଣକୁ ପ୍ରୋତ୍ସାହନ ଦେଇଥିବା ଅଧିକାରୀଙ୍କ ବିରୋଧରେ କ’ଣ ଆପରାଧିକ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହାର ବିବରଣୀ ମଧ୍ୟ ଦେବାକୁ ଅଦାଲତ କହିଛନ୍ତି। ପରବର୍ତ୍ତୀ ଶୁଣାଣିରେ ଦାଖଲ ହେବାକୁ ଥିବା ରିପୋର୍ଟ ଆଧାରରେ ଅଦାଲତ ପରବର୍ତ୍ତୀ ନିର୍ଦ୍ଦେଶ ଦେଇପାରନ୍ତି।

3 weeks ago
13


