ARTICLE AD BOX
ମୁମ୍ବାଇ: ଗଣେଶ ଚତୁର୍ଥୀ ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ରାଜକୀୟ ଲୁକ୍ ଚର୍ଚ୍ଚାରେ ରହିଛି। ମୁମ୍ବାଇସ୍ଥିତ ଆଣ୍ଟିଲିଆରେ ଗଣେଶ ପୂଜା ଅବସରରେ ସେ ଏକ ନାରଙ୍ଗୀ ଓ ଗୋଲାପୀ ରଙ୍ଗର ଓମ୍ବ୍ରେ ସିଲ୍କ୍ ଶାଢ଼ି ସହ ବଡ଼ ଆକାରର ଏକ ସୁନା ଜଡ଼ାଉ ହାର ପିନ୍ଧିଥିଲେ। ତାଙ୍କ ପୋଷାକ ଅପେକ୍ଷା ଏହି ହାର ଅଧିକ ଆକର୍ଷଣର କେନ୍ଦ୍ର ପାଲଟିଥିଲା।
ପୁରୁଣା ଅଳଙ୍କାର ସଂଗ୍ରହ କରିବାରେ ଲାଗିଥିଲା ୩ ବର୍ଷ ସମୟ
ଏହି ରାଜକୀୟ ହାରର ନାମ ‘ଆମ୍ରପାଲି ଭାରତମ୍’। ରିପୋର୍ଟ ଅନୁସାରେ, ଆମ୍ରପାଲି ଜୁଏଲ୍ସ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି। ହାରଟି ନୂଆ ଅଳଙ୍କାରରୁ ତିଆରି ହୋଇନଥିବା ବେଳେ ଦେଶର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ପୁରୁଣା ଓ ପାରମ୍ପରିକ ଗହଣାକୁ ଏକାଠି କରି ଏହାର ଡିଜାଇନ୍ କରାଯାଇଛି। ଏହି ଅନନ୍ୟ ହାର ପାଇଁ ପୁରୁଣା ଅଳଙ୍କାର ସଂଗ୍ରହ କରିବାରେ ପ୍ରାୟ ୩ ବର୍ଷ ସମୟ ଲାଗିଥିଲା। ଏହା ପରେ ୧୪ ଜଣ ଦକ୍ଷ କାରିଗର ଅନେକ ମାସ ଧରି କାମ କରି ବିଭିନ୍ନ ଗହଣାକୁ ଏକ ସୁନ୍ଦର ଡିଜାଇନ୍ରେ ଯୋଡ଼ିଥିଲେ। ହାରର ପ୍ରସ୍ତୁତି ପଛରେ ଦୀର୍ଘ ସମୟର ପରିଶ୍ରମ ଓ କାରିଗରୀ କୌଶଳ ରହିଛି।
ହାରରେ କେରଳର ପାରମ୍ପରିକ ହାର ସହ ଦକ୍ଷିଣ ଭାରତର ପୁରୁଣା ନାଥ, ଝୁମର, ଝୁମକା, ବିଲ୍ଲା ଓ ଚାନ୍ଦବାଲି ଭଳି ଅଳଙ୍କାର ସାମିଲ କରାଯାଇଛି। ଏଥିରେ ମୋତି, ବିଭିନ୍ନ ରଙ୍ଗର ରତ୍ନ ଓ ହୀରା ମଧ୍ୟ ବ୍ୟବହାର କରାଯାଇଥିବା ରିପୋର୍ଟରେ କୁହାଯାଇଛି। ପ୍ରତ୍ୟେକ ପୁରୁଣା ଗହଣାର ନିଜସ୍ୱ ଶୈଳୀକୁ ବଜାୟ ରଖି ହାରଟିକୁ ଏକତ୍ର କରାଯାଇଛି। ‘ଆମ୍ରପାଲି ଭାରତମ୍’ର ମୂଲ୍ୟ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ତଥ୍ୟ ପ୍ରକାଶ ପାଇନାହିଁ। ହାରରେ ବ୍ୟବହୃତ ହୀରା, ମୋତି ଓ ପୁରୁଣା ଦୁର୍ଲଭ ଅଳଙ୍କାର ଯୋଗୁଁ ଏହାର ମୂଲ୍ୟ ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ ଦାମ ଜଣାପଡ଼ିନାହିଁ।

16 minutes ago
1


