ARTICLE AD BOX
କାଠମାଣ୍ଡୁ: ନେପାଳର ସୁନସରୀ ଜିଲ୍ଲାରୁ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସା ଏବେ ଦେଶର ଅନ୍ୟ ପ୍ରମୁଖ ସହରଗୁଡ଼ିକୁ ବ୍ୟାପିବାରେ ଲାଗିଛି ଏବଂ ପରିସ୍ଥିତି ବିସ୍ଫୋରକ ମୋଡ଼ ନେଇଛି। ଗତ ୪ ଦିନ ଧରି ଦେଶର ବିଭିନ୍ନ ପ୍ରାନ୍ତରେ ଚାଲିଥିବା ବ୍ୟାପକ ସଂଘର୍ଷ, ପୋଡ଼ାଜଳା, ଭଙ୍ଗାରୁଜା ଏବଂ ପୁଲିସ ଉପରକୁ ପଥରମାଡ଼ ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍ଥିତି ଜଟିଳ ହେଉଥିବାରୁ ଭାରତ-ନେପାଳ ସୀମାରେ ସୁରକ୍ଷା ବାହିନୀକୁ ହାଇଆଲର୍ଟରେ ରଖାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକାଧିକ ଜିଲ୍ଲାର ପ୍ରାୟ ୬ରୁ ଅଧିକ ସହରରେ କର୍ଫ୍ୟୁ ଜାରି କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିବା ପାଇଁ ହେଲିକପ୍ଟର ସହାୟତାରେ ଆକାଶମାର୍ଗରୁ ନେପାଳ ସେନା ପାଟ୍ରୋଲିଂ ଆରମ୍ଭ କରିଛି।
ଏହି ସାମ୍ପ୍ରଦାୟିକ ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁଳିମାଡ଼ ଓ ପଥରମାଡ଼ରେ ଶତାଧିକ ପ୍ରଦର୍ଶନକାରୀ, ସ୍ଥାନୀୟ ନାଗରିକ ଏବଂ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଦେବାନଗଞ୍ଜରେ ଏକ ମନ୍ଦିରର ସରକାରୀ ଜମିରେ ମୁସ୍ଲମି ସଂପ୍ରଦାୟ ପକ୍ଷରୁ ଲଗାଯାଇଥିବା ପତାକା ହଟାଇବାକୁ ନେଇ ପୂର୍ବରୁ ବିବାଦ ଚାଲିଥିଲା। ଗତ ରବିବାର ବିଳମ୍ବିତ ରାତିରେ ଯେତେବେଳେ ଶ୍ରଦ୍ଧାଳୁମାନେ ସେହି ପଡ଼ିଆରୁ ବୋଲବମ୍ (କାଉଡ଼ିଆ) ଯାତ୍ରା ଆରମ୍ଭ କରୁଥିଲେ, ସେହି ସମୟରେ ହଠାତ କିଛି ଦୁର୍ବୃତ୍ତ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହା ପରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଉଗ୍ର ରୂପ ନେଇଥିଲା। ଉଭୟ ପଟୁ ପ୍ରବଳ ପଥରମାଡ଼ ହେବା ସହ ଶତାଧିକ ଦୋକାନ ଏବଂ ଗାଡ଼ି ମୋଟରରେ ନିଆଁ ଲଗାଇ ଦିଆଯାଇଛି। ସୁନସରୀରୁ ଉପୁଜିଥିବା ଏହି ସାଂପ୍ରଦାୟିକ ନିଆଁ କ୍ରମଶଃ ଜନକପୁର, ସିରାହା, ଗୋଲବଜାର ଏବଂ ଲହାନ ଭଳି ସହରକୁ ବ୍ୟାପିବା ପରେ ପ୍ରଶାସନ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଇବା ସହ ସେନା ମୁତୟନ କରିଛି।
Nepal’s India-bordering Sunsari: ନେପାଳରେ ସାମ୍ପ୍ରଦାୟିକ ହିଂସା: ଜଣେ ମୃତ, ୧୨ ଆହତ
ଦେଶରେ ଉପୁଜିଥିବା ଏହି ସଙ୍କଟଜନକ ସ୍ଥିତି ଉପରେ ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ବହୁ ବର୍ଷରୁ ଚାଲିଆସୁଥିବା ସାମାଜିକ, ଧାର୍ମିକ ଓ ଜାତୀୟ ଏକତାକୁ ବଜାୟ ରଖିବା ସହ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିବା ପାଇଁ ସେ ସମସ୍ତ ନାଗରିକଙ୍କୁ ଆକୁଳ ନିବେଦନ କରିଛନ୍ତି। ଅପରପକ୍ଷରେ, ହିଂସାର ପ୍ରାରମ୍ଭିକ ପର୍ଯ୍ୟାୟରେ କଠୋର ପଦକ୍ଷେପ ନେବାରେ ବିଫଳ ହୋଇଥିବାରୁ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ନେତୃତ୍ବାଧୀନ ସରକାର ଏବେ ବିରୋଧୀଙ୍କ ତୀବ୍ର ସମାଲୋଚନାର ଶିକାର ହୋଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ସହରଗୁଡ଼ିକରେ ସେନାର ଫ୍ଲାଗମାର୍ଚ୍ଚ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ସାଧାରଣ ଜୀବନଯାତ୍ରା, ବ୍ୟବସାୟ ଓ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ଠପ୍ ହୋଇ ରହିଛି।

4 days ago
5


