ARTICLE AD BOX
ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କ ବିରୋଧରେ କଂଗ୍ରେସର ‘ଗୁଙ୍ଗି ଗୁଡ଼ିୟା’ ପୋଷ୍ଟ୍କୁ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍ସିପି) ତୀବ୍ର ବିରୋଧ କରିଛି। ଏନ୍ସିପି ନେତାମାନେ ଏହି ଟିପ୍ପଣୀକୁ ବିରୋଧ କରି ଆଜି ମୁମ୍ବାଇ ସ୍ଥିିତ କଂଗ୍ରେସର ପାର୍ଟି ଅଫିସ୍ରେ ଚାଲିଥିବା ସାମ୍ବାଦିକ ସମ୍ମିଳନୀକୁ ଧସେଇ ପଶିଥିଲେ। ଏନ୍ସିପି ନେତାମାନେ ସ୍ଲୋଗାନ ଦେଇ ଏହି ଘଟଣାରେ ରାଜ୍ୟ କଂଗ୍ରେସ ସଭାପତି ହର୍ଷବର୍ଦ୍ଧନ ସପକାଲଙ୍କ ନିକଟରୁ କ୍ଷମା ଦାବି କରିଥିଲେ।
ଉଲ୍ଲେଖଯୋଗ୍ୟ ରାଜ୍ୟ କଂଗ୍ରେସ ପକ୍ଷରୁ ସୋମବାର ଦିନ ସୁନେତ୍ରାଙ୍କୁ ‘ଗୁଙ୍ଗି ଗୁଡ଼ିୟା’ କୁହାଯିବାପରେ ଏନ୍ସିପି ନେତାମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏନ୍ସିପି ନେତାମାନେ କହିଛନ୍ତି, କଂଗ୍ରେସ କ’ଣ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ବ୍ୟବହାର କରାଯାଇଥିବା ଏଭଳି ଟିପ୍ପଣୀକୁ ସମର୍ଥନ କରୁଛି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ କଂଗ୍ରେସ ଲଜ୍ଜା ଅନୁଭବ କରିବା ଉଚିତ। ଏହା ମଧ୍ୟ ରାଜ୍ୟରେ ମହିଳାମାନଙ୍କ ପ୍ରତି ଏକ ଅପମାନ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ କଂଗ୍ରେସ ସୋମବାର କରିଥିବା ଏକ ସୋସିଆଲ ମିଡିଆ ପୋଷ୍ଟ୍କୁ ନେଇ ବିବାଦ ଉପୁଜିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବିଡ଼ ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ସାମ୍ବାଦିକମାନେ ସୁନେତ୍ରା ପାୱାରଙ୍କୁ ପ୍ରଶ୍ନ କରୁଥିବାବେଳେ ଏନ୍ସିପି ନେତା ଧନଞ୍ଜୟ ମୁଣ୍ଡେ ତାଙ୍କୁ ସୁରକ୍ଷା ଦେଉଛନ୍ତି। ଏହାପରେ କଂଗ୍ରେସ ତାଙ୍କୁ ‘ଗୁଙ୍ଗି ଗୁଡ଼ିୟା’ କହିଥିଲା। କଂଗ୍ରେସ ମଧ୍ୟ ଏକ ପୋଷ୍ଟ୍ କରି କହିଥିଲା ଯେ ସୁନେତ୍ରା ପାୱାର ଆପଣ କେତେଦିନ ଏମିତି ‘ଗୁଙ୍ଗି ଗୁଡ଼ିୟା’ ହୋଇ ରହିବେ।

1 hour ago
1


