ARTICLE AD BOX
ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ନିଜ ଘରେ ସନ୍ଦେହଜନକ ଅବସ୍ଥାରେ ହାଇଦ୍ରାବାଦର ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ପରିଚୟ ମହମ୍ମଦ ଜବେର୍ ହୁସେନ୍ ଭାବେ କରାଯାଇଛି। ୨୮ ବର୍ଷୀୟ ହୁସେନ୍ଙ୍କର ୧୭ ଦିନ ତଳେ ବିବାହ ହୋଇଥିଲା। ମାସାଚୁସେଟ୍ସର ଲୋୱେଲସ୍ଥିତ ଘରୁ ତାଙ୍କ ମୃତଦେହ ମିଳିଛି। ସେଠାରେ ସେ ସିଭିଲ ଇଞ୍ଜିନିୟର ଭାବେ କାମ କରୁଥିଲେ। ହାଇଦ୍ରାବାଦରେ ଥିବା ପରିବାର ପକ୍ଷରୁ ହୁସେନଙ୍କ ମୃତଦେହ ସ୍ବଦେଶ ଫେରାଇ ଆଣିବାକୁ ଭାରତ ସରକାରଙ୍କ ସହାୟତା ଲୋଡ଼ାଯାଇଛି। ପରିବାର ଲୋକ ମୃତଦେହ ଫେରାଇ ଆଣିବାକୁ ଆର୍ଥିକ ଭାବେ ସକ୍ଷମ ନୁହନ୍ତି ବୋଲି କହିଛନ୍ତି। ବିଦେଶମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଉଦ୍ଦେଶ୍ୟରେ ପରିବାର ପକ୍ଷରୁ ଲେଖାଯାଇଥିବା ଚିଠିକୁ ମଜଲିସ୍ ବଚାଓ ତେହରିକ୍ (ଏମ୍ବିଟି) ପ୍ରବକ୍ତା ଅମଜେଦ୍ ଉଲ୍ଲା ଖାନ୍ ‘ଏକ୍ସ’ରେ ପୋଷ୍ଟ କରି ମୃତଦେହ ଆଣିବାରେ ସରକାରଙ୍କଠାରୁ ସହାୟତା ଲୋଡ଼ିଛନ୍ତି।
ଆହୁରି ପଢ଼ନ୍ତୁ- Thalapathy Vijay: ଆବଶ୍ୟକ ନାହିଁ ବାପାଙ୍କର ପ୍ରଚାର: ‘ସିଗ୍ମା’ର ପ୍ରଚାର କରିବେନି ଥଲପତି ବିଜୟ, କାରଣ ଦର୍ଶାଇଲେ ପୁଅ ଜେସନ୍ ସଞ୍ଜୟ
ରୁମ୍ମେଟ୍ ଫୋନ୍ କରି ଖବର ଜଣାଇଲେ
ହୁସେନଙ୍କ ପିତା ମହମ୍ମଦ ଜାକିର୍ ହୁସେନଙ୍କ ଅନୁଯାୟୀ, ତାଙ୍କ ପୁଅ ଅଗଷ୍ଟ ୨୮ ତାରିଖରେ ଟେକ୍ସାସରେ ବିବାହ କରିଥିଲେ ଓ ପରେ ମାସାଚୁସେଟ୍ସ ଫେରି ଆସିଥିଲେ, ଯେଉଁଠାରେ ସେ ରହୁଥିଲେ ଓ କାମ କରୁଥିଲେ। ତାଙ୍କ ସ୍ତ୍ରୀ ତାଙ୍କ ସହିତ ଆସିଥିଲେ କି ନାହିଁ ତାହା ସ୍ପଷ୍ଟ ନୁହେଁ। ହୁସେନ ଶେଷଥର ପାଇଁ ସେପ୍ଟେମ୍ବର ୧୪ ତାରିଖରେ ତାଙ୍କ ପରିବାର ସହିତ କଥା ହୋଇଥିଲେ। ପ୍ରାୟ ଆଠ ଘଣ୍ଟା ପରେ ତାଙ୍କ ପରିବାରକୁ ତାଙ୍କ ରୁମମେଟ୍ସଙ୍କଠାରୁ ଏକ ଫୋନ୍ କଲ୍ ଆସିଥିଲା ଓ କୁହାଯାଇଥିଲା ଯେ, ହୁସେନ ଶୋଇଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା କି ତାହା ତୁରନ୍ତ ଜଣାପଡ଼ିନାହିଁ। ପରିବାର ଲୋକ ଶବ ବ୍ୟବଚ୍ଛେଦ ଓ ଡାକ୍ତରୀ ରିପୋର୍ଟ ପାଇଁ ଅପେକ୍ଷା କରିଛନ୍ତି। ହୁସେନ ୨୦୨୧ ମସିହାରେ କନେକ୍ଟିକଟର ନ୍ୟୁ ହେଭେନ ବିଶ୍ୱବିଦ୍ୟାଳୟରୁ ସିଭିଲ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିବା ପାଇଁ ଆମେରିକା ଚାଲିଯାଇଥିଲେ। ପାଠ ପଢ଼ା ଶେଷ ହେବା ପରେ ସେ ସେଠାରେ ଚାକିରି କରୁଥିଲେ।
ଅଧିକ ଦେଖନ୍ତୁ-

8 hours ago
2


