ARTICLE AD BOX
ପାଟନା: ସାମାନ୍ୟ କଦଳୀ ଗଛ ପାଇଁ ବିହାରରେ ଜଣେ ସେନା ଯବାନ ଓ ତାଙ୍କ ବାପାଙ୍କର ଜୀବନ ଚାଲିଯାଇଛି। ସେନା ଯବାନଙ୍କ ନାମ ଜିତେନ୍ଦ୍ର କୁମାର। ତାଙ୍କ ପୋଷ୍ଟିଂ ଦିଲ୍ଲୀରେ। କିନ୍ତୁ ପରିବାରରେ ଜଣେ ସଦସ୍ୟଙ୍କର ଗତ କିଛି ଦିନ ତଳେ ମୃତ୍ୟୁ ହୋଇଥିବାରୁ ସେ ଛୁଟିରେ ଘରକୁ ଆସିଥିଲେ। ତେବେ କଦଳୀ ଗଛ ପାଇଁ ପାଟିତୁଣ୍ଡ ହେବାରୁ ତାଙ୍କର ଜଣେ ସମ୍ପର୍କୀୟ ଭାଇ ଜଗଦୀଶ ରାୟ ତାଙ୍କୁ ଓ ତାଙ୍କ ବାପା ମୁନାରିକ ରାୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରାସ୍ତା ଉପରେ ଏକ କଦଳୀ ଗଛ ଲଗାଯାଇଥିଲା। ଏହା ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ସେନା ଯବାନଙ୍କ ବାପା ରାସ୍ତା ସଫା କରିବା ପାଇଁ କିଛି ଗଛ କାଟିଥିଲେ ଓ ଏଥିରେ ଏହି କଦଳୀ ଗଛ ଥିଲା। ଏହି ଘଟଣାକୁ ନେଇ କୁମାର ଓ ଜଗଦୀଶ ରାୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
ଏହି ଘଟଣାର ସମାଧାନ କରିବା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ମାମଲାର ସମାଧାନ କରିଥିଲା। କିନ୍ତୁ ଘଟଣାର ମାତ୍ର କିଛି ଘଣ୍ଟା ପରେ ଜଗଦୀଶ ରାୟ ସେନା ଯବାନ କୁମାର ଓ ତାଙ୍କ ବାପା ମୁନାରିକ ରାୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଯବାନଙ୍କ ବାପାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ ଜିତେନ୍ଦ୍ରଙ୍କୁ ଗୁୁରୁତର ଅବସ୍ଥାରେ ସଦର ହସ୍ପିଟାଲ୍ ନିଆଯାଇଥିବାବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ପୁଲିସ ଅଭିଯୁକ୍ତର ୨ ଗୋଡ଼କୁ ଗୁଳି କରିଦେଇଛି। ସେ ଏବେ ହାଜିପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅଛି।

2 weeks ago
10


