ARTICLE AD BOX
ଭୁବନେଶ୍ବର/ ଘୁ.ଉଦୟଗିରି: ରାଜ୍ୟରେ ଶୀତ ଲହରୀ ଅନୁଭୂତ ହୋଇଛି। ରାତିର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହ କେତେକ ସ୍ଥାନରେ କୁହୁଡ଼ି ପଡ଼ିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରି ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିଛି। ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ ଓ ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ହ୍ରାସ ପାଇଛି। ଉପକୂଳ ଓଡ଼ିଶାରେ ମଧ୍ୟ କମିଛି। ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରି ହ୍ରାସ ପାଇଛି। କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିଠାରେ ଏବର୍ଷର ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରେକର୍ଡ ହୋଇଛି।
ଫୁଲବାଣୀରେ ୧୪ ଡିଗ୍ରି, ଭବାନୀପାଟଣା ଓ ଦାରିଙ୍ଗବାଡ଼ିରେ ୧୫ ଡିଗ୍ରି ଲେଖାଏଁ ରହିଥିଲା। ଏଥିସହ ଅଧିକାଂଶ ସହରର ତାପମାତ୍ରା ୨୦ ଡିଗ୍ରି ତଳକୁ ଖସି ଆସିଛି। ଦାରିଙ୍ଗବାଡ଼ି ଓ ଭବାନୀପାଟଣାରେ ୧୫ ଡିଗ୍ରି ରହିଥିବା ବେଳେ ଝାରସୁଗୁଡ଼ା ଓ ନବରଙ୍ଗପୁରରେ ୧୬, କେନ୍ଦୁୂଝରରେ ୧୬.୬, ରାୟଗଡ଼ାରେ ୧୭, ବଲାଙ୍ଗୀରରେ ୧୭.୨, କଟକରେ ୧୭.୬, ପାରଳାଖେମୁଣ୍ଡିରେ ୧୭.୫, ହୀରାକୁଦରେ ୧୭.୮, ଟିଟିଲାଗଡ଼ ଓ ସୁନ୍ଦରଗଡ଼ରେ ୧୮, ସମ୍ବଲପୁର, ମାଲକାନଗିରି, ସୋନପୁର, ବାରିପଦା ଓ ବାଲେଶ୍ବରରେ ୧୮.୨, ଭୁବନେଶ୍ବରରେ ୧୮.୯ ଡିଗ୍ରି ରେକର୍ଡ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମଧରଣର କୁହୁଡ଼ି ପଡ଼ିବାରୁ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ୧୦ରୁ ୧୨ ତାରିଖ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସଂଖ୍ୟାତ୍ମକ ପାଣିପାଗ ପୂର୍ବାନୁମାନ ମଡେଲ ଅନୁଯାୟୀ ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବ। ଆଗାମୀ ୪୮ରୁ ୭୨ ଘଣ୍ଟା ମଧ୍ୟରେ ରାତିର ତାପମାତ୍ରାରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ ଏବଂ ପରବର୍ତ୍ତୀ ସମୟରେ ସମସ୍ତ ଜିଲ୍ଲାରେ ସ୍ଥିର ରହିବ। ଏଥିପାଇଁ ଅଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ରାତିର ତାପମାତ୍ରା ୧୨ରୁ ୧୬ ଡିଗ୍ରିକୁ ଖସିଆସିବ, ଯେତେବେଳେ କି ଉପକୂଳବର୍ତ୍ତୀ ଅଞ୍ଚଳରେ ୧୭ରୁ ୨୦ ଡିଗ୍ରି ମଧ୍ୟରେ ନିୟନ୍ତ୍ରିତ ରହିବ। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପରିଲକ୍ଷିତ ହେବ। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରିକୁ ଖସିବା ସହ କୋରାପୁଟର ସିମିଳିଗୁଡ଼ା, ଝାରସୁଗୁଡ଼ା ଓ କେନ୍ଦୁଝରରେ ମଧ୍ୟ ଖସିବ। ରାତିର ତାପମାତ୍ରାରେ ଏହି ହ୍ରାସ ମୁଖ୍ୟତଃ ତିନୋଟି ଭୌତିକ ବାୟୁମଣ୍ଡଳୀୟ ପ୍ରକ୍ରିୟା ଦ୍ୱାରା ନିୟନ୍ତ୍ରିତ ହେଉଛି। ସେଗୁଡ଼ିକ ହେଲା ଭୂ-ପୃଷ୍ଠର ନିକଟବର୍ତ୍ତୀ ଉତ୍ତର-ପୂର୍ବ ବାୟୁପ୍ରବାହ ଛୋଟନାଗପୁର ମାଳଭୂମିରୁ ଉତ୍ତର ଓ ଦକ୍ଷିଣ-ଅଭ୍ୟନ୍ତରୀଣ ଉପତ୍ୟକାଗୁଡ଼ିକୁ ଶୁଷ୍କ ତଥା ଥଣ୍ଡା ସ୍ଥଳବାୟୁ ପ୍ରବାହିତ କରାଉଛି। ବାୟୁମଣ୍ଡଳରେ କମ୍ ଜଳୀୟବାଷ୍ପ ଓ ପ୍ରତି-ଘୂର୍ଣ୍ଣିବଳୟ ପ୍ରଭାବ ହେତୁ ମେଘମୁକ୍ତ ଆକାଶ ଯୋଗୁଁ ରାତିରେ ଭୂ-ପୃଷ୍ଠରୁ ଉତ୍ତାପ ଦ୍ରୁତ ଗତିରେ ବାହାରିଯାଉଛି, ଯାହା ତାପମାତ୍ରା ହ୍ରାସକୁ ତ୍ୱରାନ୍ୱିତ କରୁଛି। ଏଥିସହ ରାତିରେ ପାହାଡ଼ିଆ ଗଡ଼ାଣରୁ ଥଣ୍ଡା ଓ ଭାରୀ ବାୟୁ ତଳକୁ ଖସି ଉପତ୍ୟକାଗୁଡ଼ିକରେ ଜମା ହୋଇ ସ୍ଥାନୀୟ ତାପମାତ୍ରାକୁ ଆହୁରି କମାଇଦିଏ। ତେବେ ଉପକୂଳବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ଜଳୀୟବାଷ୍ପର ପ୍ରବାହ ଏହିପରି ଅଧିକ ତାପମାତ୍ରା ହ୍ରାସକୁ ରୋକିଥାଏ ବୋଲି ସେ କହିଛନ୍ତି।

3 days ago
1


