ARTICLE AD BOX
ଇମ୍ଫାଲ: ଜାତିଗତ ହିଂସାପ୍ରଭାବିତ ମଣିପୁରର କାଙ୍ଗପୋକପି ଜିଲ୍ଲାର ଚାୱାଙ୍ଗକିନିଙ୍ଗ ନାମକ ଏକ ନାଗା ଗାଁରେ ସନ୍ଦିଗ୍ଧ କୁକି ଉଗ୍ରବାଦୀମାନେ ମଙ୍ଗଳବାର ରାତିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଅତି କମ୍ରେ ୫ଟି ଘର ଓ ଜଣଙ୍କ ଦୋକାନ ଜାଳିଦିଆଯାଇ ଥିବାବେଳେ ଗୁଳିବିନିମୟ ମଧ୍ୟ ହୋଇଛି। ପୁଲିସ ଏହି ଘଟଣାରେ ମାମଲା ରୁଜୁ କରିଛି। ତେବେ ଆକ୍ରମଣର ଦାୟିତ୍ବ କୌଣସି ସଂଗଠନ ନେଇନାହିଁ।
ଗାଁର ବାସିନ୍ଦା ଡାନିଏଲ ଚାରେନାମାଇଙ୍କ କହିବା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୧୦ଟା ୩୦ରେ ଭାରୀ ଅସ୍ତ୍ରଶସ୍ତ୍ରଧାରୀ କୁକି ଉଗ୍ରବାଦୀମାନେ ଗାଁରେ ଆକ୍ରମଣ କରିଥିଲେ। ବୁଧବାର ସକାଳ ପ୍ରାୟ ୫ଟା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିଥିଲା। ପ୍ରାୟ ୧୦୦ ଜଣ ସଶସ୍ତ୍ର ବ୍ୟକ୍ତି ଆକ୍ରମଣରେ ସାମିଲ ଥିବା ଡାନିଏଲ ଅଭିଯୋଗ କରିଛନ୍ତି। ତାଙ୍କ ଦୋକାନ ସମେତ ଅତି କମ୍ରେ ୫ଟି ଘର ଜାଳିଦିଆଯାଇଥିଲା। କାଙ୍ଗପୋକପି ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୧୩ କିଲୋମିଟର ଦୂରରେ ଥିବା ଚାୱାଙ୍ଗକିନିଙ୍ଗ ଏକ ନାଗା ଲିଆଙ୍ଗମାଇ ଗାଁ। ନାଗା ଓ କୁକି ଗାଁ ମଧ୍ୟରେ ଥିବା ଏହି ଗାଁରେ ନେପାଳୀ, ମାଓ, ରୋଙ୍ଗମେଇ ଓ ପାଓମେଇ ସମ୍ପ୍ରଦାୟର ଲୋକ ମଧ୍ୟ ରହୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଆକ୍ରମଣ ସମୟରେ ସୁରକ୍ଷାବଳ ପହଞ୍ଚି ନ ଥିଲେ। ନିଆଁ ଲିଭାଇବା ପାଇଁ ସେମାନେ ବୁଧବାର ସକାଳେ ଗାଁରେ ପହଞ୍ଚିଥିଲେ। ଗାଁରେ ସୁରକ୍ଷାବଳର ଏକ ଶିବିର ସ୍ଥାପନ ପାଇଁ ଲୋକେ ଦାବି କରିଛନ୍ତି।
ଗାଁର ନାଗା ପ୍ରହରୀମାନେ ଆକ୍ରମଣର ପ୍ରତିରୋଧ କରିଥିବା ଜଣାପଡ଼ିଛି। ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଗତ ଫେବ୍ରୁଆରିରୁ ନାଗା-କୁକି ଉତ୍ତେଜନା ବଢ଼ିବା ପରଠାରୁ ଉଭୟ ସମ୍ପ୍ରଦାୟର ଅତି କମ୍ରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି। ରବିବାର ତାମେଙ୍ଗଲଙ୍ଗ ଜିଲ୍ଲାର ଖେଦାଗାରରେ ୪ଟି ପରିତ୍ୟକ୍ତ ନାଗା ଘର ଜାଳିଦିଆଯାଇଥିଲା। ଏହାର କିଛି ଘଣ୍ଟା ପୂର୍ବରୁ ପୃଥକ୍ ଆକ୍ରମଣରେ ୪ କୁକିଙ୍କ ମୃତ୍ୟୁ ହୋଇଥିଲା। ମେ ୨୦୨୩ରୁ ମଣିପୁରରେ ଚାଲିଥିବା ଜାତିଗତ ହିଂସାରେ ୩୦୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ୪୯ ଜଣ ନିଖୋଜ ହୋଇଥିବା ରିପୋର୍ଟରେ କୁହାଯାଇଛି।
ଲସ୍ ଏଞ୍ଜେଲ୍ସରେ ଏନ୍ବିସିର ନ୍ୟୁଜ୍ ହେଲିକପ୍ଟର ଦୁର୍ଘଟଣା, ୩ ମୃତ

1 day ago
1


