ARTICLE AD BOX
ନୂଆଦିଲ୍ଲୀ: ଜାତିଗତ ହିଂସା ଓ ବ୍ୟାପକ ବିସ୍ଥାପନ ମଧ୍ୟରେ ମଣିପୁର ହାଇକୋର୍ଟ ରାଜ୍ୟରେ ୨୦୨୭ ଜନଗଣନା ପ୍ରକ୍ରିୟାକୁ ୩୦ ଏପ୍ରିଲ, ୨୦୨୭ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ମୁଖ୍ୟ ବିଚାରପତି ଏମ୍. ସୁନ୍ଦରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଓ ଭାରତର ରେଜିଷ୍ଟ୍ରାର ଜେନେରାଲ ଓ ଜନଗଣନା କମିସନରଙ୍କୁ ଜନଗଣନା ପୂର୍ବରୁ ଉଠାଯାଇଥିବା ସମସ୍ତ ଆପତ୍ତି ଓ ଆବେଦନଗୁଡ଼ିକୁ ବିଚାର କରିବାକୁ ଏବଂ ୩୦ ଏପ୍ରିଲ, ୨୦୨୭ ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
କାଇଲେପାକ୍ ଛାତ୍ର ସଂଘ (କେଏସ୍ଏ), ଇଣ୍ଟରନ୍ୟାସନାଲ ପିସ୍ ଆଣ୍ଡ୍ ସୋସିଆଲ ଆଡଭାନ୍ସମେଣ୍ଟ୍ ଆସୋସିଏସନ୍ (ଆଇପିଏସ୍ଏ) ଏବଂ ଅନ୍ୟମାନଙ୍କ ପକ୍ଷରୁ ଦାୟର ଆବେଦନଗୁଡ଼ିକର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ହିଂସା ଯୋଗୁଁ ରାଜ୍ୟରେ ବିସ୍ଥାପନ ଓ ଜନସଂଖ୍ୟାଗତ ପରିବର୍ତ୍ତନ ବିଷୟରେ ଏହି ଆବେଦନଗୁଡ଼ିକ ଗମ୍ଭୀର ଚିନ୍ତା ପ୍ରକାଶ କରିଥିଲା। ହିଂସା ଯୋଗୁଁ ହଜାର ହଜାର ଘର ନଷ୍ଟ ହୋଇଯାଇଛି, ଲୋକମାନେ ନିଜ ଜନ୍ମଭୂମି ଛାଡି ରିଲିଫ୍ ଶିବିରରେ ରହିବାକୁ ବାଧ୍ୟ ହୋଇଛନ୍ତି, ଏବଂ ଅନେକ ରାସ୍ତା ଅବରୋଧ ହୋଇଛି। ଏପରି ପରିସ୍ଥିତିରେ ସଠିକ୍ ଜନଗଣନା କରିବା ସମ୍ଭବ ନୁହେଁ।
ବିଗିଡ଼ି ଯାଇଛି ଜନସଂଖ୍ୟା ସନ୍ତୁଳନ
ଆବେଦନଗୁଡ଼ିକରେ ଅଭିଯୋଗ କରାଯାଇଛି ଯେ ହିଂସା ପରେ ପାହାଡ଼ି ଅଞ୍ଚଳରେ ଅନେକ ଅନଧିକୃତ ଗାଁ ଗଢ଼ି ଉଠିଛି ଓ ବାହାର ଲୋକ ଓ ବାଂଲାଦେଶୀ ପ୍ରବାସୀମାନଙ୍କ ପ୍ରବେଶ ଦ୍ୱାରା ଜନସଂଖ୍ୟା ସନ୍ତୁଳନ ବିଗିଡ଼ି ଯାଇଛି। ହାଇକୋର୍ଟଙ୍କ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ, ଆବେଦନକାରୀ କିମ୍ବା ଅନ୍ୟ କୌଣସି ସଙ୍ଗଠନ କିମ୍ବା ବ୍ୟକ୍ତି ନଭେମ୍ବର ୨୫, ୨୦୨୬ ପର୍ଯ୍ୟନ୍ତ ଜନଗଣନା କମିସନରଙ୍କ ନିକଟରେ ନିଜର ଅତିରିକ୍ତ ଆପତ୍ତି ଓ ଆବେଦନ ରୁଜୁ କରିପାରିବ। ଜନଶୁଣାଣି କିମ୍ବା ସାର୍ବଜନୀନ ପରାମର୍ଶ ପରେ ରେଜିଷ୍ଟ୍ରାର ଜେନେରାଲ ୩୦ ଏପ୍ରିଲ ୨୦୨୭ ସୁଦ୍ଧା ଏକ ବିସ୍ତୃତ ନିର୍ଦ୍ଦେଶ ଜାରି କରିବେ।
Trinamool Congress: କାଳୀ ପୂଜାରେ ଭାବବିହ୍ୱଳ ହୋଇ କାନ୍ଦିଲେ ଟିଏମ୍ସି ସାଂସଦ
କେନ୍ଦ୍ର ସରକାର ଓ ରେଜିଷ୍ଟ୍ରାର ଜେନେରାଲଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଜନଗଣନା ପ୍ରକ୍ରିୟା ଆଗାମୀ ୪ ସପ୍ତାହ ପାଇଁ ସ୍ଥଗିତ ରହିବ, ଯାହା ଦ୍ଵାରା ଯଦି କୌଣସି ପକ୍ଷ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୁଅନ୍ତି, ତେବେ ସେ ପୁଣି ଥରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ। ମେ ୨୦୨୩ ଠାରୁ ଚାଲିଥିବା ହିଂସାତ୍ମକ ସଂଘର୍ଷ ପରେ ମଣିପୁରରେ ଜନସଂଖ୍ୟା ଓ ବିସ୍ଥାପନ ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ ରହିଛି। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ, କେନ୍ଦ୍ର ସରକାରଙ୍କୁ ଏବେ ୨୦୨୭ ଜନଗଣନା ଆରମ୍ଭ କରିବା ପୂର୍ବରୁ ମଣିପୁରର ଭୂମିଗତ ବାସ୍ତବତା, ଶରଣାର୍ଥୀଙ୍କ ସ୍ଥିତି ସ୍ପଷ୍ଟ କରିବାକୁ ପଡ଼ିବ।

3 days ago
3


