ARTICLE AD BOX
ଲକ୍ଷ୍ମୌ: ଉତ୍ତରପ୍ରଦେଶର ଚିତ୍ରକୂଟରେ ବନ୍ୟା ମଧ୍ୟରେ ଆସ୍ଥା ଓ ସମର୍ପଣର ଏକ ହୃଦୟସ୍ପର୍ଶୀ ଘଟଣା ଘଟିଛି। ମନ୍ଦାକିନୀ ନଦୀର ଜଳସ୍ତର ବଢ଼ିବା ଯୋଗୁଁ ଅନେକ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳ ପାଣିରେ ବୁଡ଼ିଯାଇଛି। ପ୍ରଶାସନ ଲୋକଙ୍କୁ କ୍ରମାଗତ ଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି। କିନ୍ତୁ ଜଣେ ପୂଜକ ଜଳମଗ୍ନ ମନ୍ଦିର ଛାଡ଼ିବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି। ତାଙ୍କ କହିବା କଥା, ସଙ୍କଟ ସମୟରେ ସେ ଭଗବାନଙ୍କୁ ଏକୁଟିଆ ଛାଡ଼ି କୁଆଡ଼େ ଯିବେ ନାହିଁ।
ବନ୍ୟା ମଧ୍ୟରେ ମନ୍ଦିରରେ ଅଟଳ ରହିଲେ ପୂଜକ
ଚିତ୍ରକୂଟରେ ଲଗାତାର ବର୍ଷା ଯୋଗୁଁ ମନ୍ଦାକିନୀ ନଦୀ ଫୁଲି ଉଠିଛି। ନଦୀର ଜଳସ୍ତର ବଢ଼ିବାରୁ ଅନେକ ମନ୍ଦିରରେ ପାଣି ପଶିଯାଇଛି। ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ପହଞ୍ଚିଥିବା ଜିଲ୍ଲାପାଳ ପୁଲକିତ ଗର୍ଗ ଓ ପୁଲିସ ଅଧିକାରୀମାନେ ଜଳମଗ୍ନ ମନ୍ଦିରରେ ଥିବା ପୂଜକଙ୍କୁ ବାହାରକୁ ଆସିବାକୁ ଅନୁରୋଧ କରିଥିଲେ। ପୂଜକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଧିକାରୀମାନେ ତାଙ୍କୁ ମନ୍ଦିର ଛାଡ଼ିବାକୁ ବୁଝାଇଥିଲେ। ହେଲେ ପୂଜକ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ସେ କହିଥିଲେ, ପରିସ୍ଥିତି ଯେତେ କଷ୍ଟକର ହେଲେ ବି ସେ ନିଜ ଭଗବାନଙ୍କୁ ଛାଡ଼ି କୁଆଡ଼େ ଯିବେ ନାହିଁ। ଯାହା ହେବ ଦେଖାଯିବ। ଜୀବନ ମରଣ ସେ ଉପରବାଲା ହାତରେ ଲେଖା।
ବନ୍ୟାର ଗମ୍ଭୀର ପରିସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଛି। ଜିଲ୍ଲାପାଳ ପୁଲକିତ ଗର୍ଗ ଓ ପୁଲିସ ଅଧୀକ୍ଷକ ଅରୁଣ କୁମାର ସିଂହ ପ୍ରଭାବିତ ଅଞ୍ଚଳଗୁଡ଼ିକର ଲଗାତାର ସମୀକ୍ଷା କରୁଛନ୍ତି।ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଅଭିଯାନ ଚାଲିଛି। ନଦୀକୂଳ ଓ ଜଳମଗ୍ନ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ନିୟମିତ ଭାବେ ସୂଚନା ଦିଆଯାଉଛି। ସାର୍ବଜନୀନ ଘୋଷଣା ମାଧ୍ୟମରେ ମଧ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଅନୁରୋଧ କରାଯାଉଛି।

2 weeks ago
7


