Maharashtra politics: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ: ଏନ୍‌ସିପି ୨ ଗୋଷ୍ଠୀର ମିଶ୍ରଣ ଚର୍ଚ୍ଚା ଜୋର୍‌

3 days ago 1
ARTICLE AD BOX

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ବଡ଼ ପରିବର୍ତ୍ତନର ଆଭାସ ମିଳିଛି। ୧୯୯୯ରେ ଶରଦ ପାୱାରଙ୍କ ଦ୍ୱାରା ଗଠିତ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି)ର ଦୁଇ ଗୋଷ୍ଠୀ ପୁଣି ଏକାଠି ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଲଗାତାର ବୈଠକ, ଶରଦ ପାୱାରଙ୍କ ସହ ପ୍ରଫୁଲ୍ଲ ପଟେଲଙ୍କ ସାକ୍ଷାତ୍ ଏବଂ ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାରଙ୍କ‌ ବୈଠକ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ମହାରାଷ୍ଟ୍ରର ମନ୍ତ୍ରୀ ତଥା ଶିବସେନା ନେତା ସଞ୍ଜୟ ଶିରସାଟ ରବିବାର କହିଛନ୍ତି ଯେ ଏନ୍‌ସିପି ଓ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି (ଏସ୍‌ପି) ମଧ୍ୟରେ ମିଶ୍ରଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ପରି ମନେ ହେଉଛି। ଖୁବ୍‌ଶୀଘ୍ର ବିଭିନ୍ନ ନେତାଙ୍କ ଭୂମିକା ମଧ୍ୟ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ତେବେ ଏହି ଦାବି ଉପରେ ଦୁଇ ଗୋଷ୍ଠୀ ପକ୍ଷରୁ ଔପଚାରିକ ଭାବେ କିଛି କୁହାଯାଇନାହିଁ।

ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କ ବଡ଼ପୁଅ ଏବଂ ରାଜ୍ୟସଭା ସାଂସଦ ପାର୍ଥ ପାୱାର ତାଙ୍କ ଜେଜେ ତଥା ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାରଙ୍କୁ ୨ ଦିନ ମଧ୍ୟରେ ୨ ଥର ଭେଟିଲେଣି।  ରବିବାର ପାର୍ଥ ୨ ଘଣ୍ଟା ଧରି ଶରଦ ପାୱାରଙ୍କ ସହ କଥାବାର୍ତ୍ତା କରିଥିଲେ। ଶନିବାର ମଧ୍ୟ ପାର୍ଥ ଏବଂ ଶରଦ ପାୱାରଙ୍କ ମଧ୍ୟରେ ପାଖାପାଖି ୨ ଘଣ୍ଟାର ବୈଠକ ହୋଇଥିଲା। ଏହା ପରେ ଶରଦ ପାୱାର ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ଏକ ପୃଥକ୍‌ ବୈଠକ କରିଥିଲେ।  ଏହି ବୈଠକ ପାଖାପାଖି ୩ ଘଣ୍ଟା ଧରି ଚାଲିଥିଲା ଏବଂ ଏଥିରେ ଜୟନ୍ତ ପାଟିଲ, ଶଶିକାନ୍ତ ସିନ୍ଦେ, ଅମଲ କୋହ୍ଲେ, ଅନୀଲ ଦେଶମୁଖ ଏବଂ ଜିତେନ୍ଦ୍ର ଅୱହଦ ଯୋଗ ଦେଇଥିଲେ।  ତେ‌ବେ ଏହି ବୈଠକ ପରେ ୨ ଜଣ ନେତା କହିଛନ୍ତି ଯେ ମିଶ୍ରଣ ନେଇ କୌଣସି ଆଲୋଚନା ହୋଇନାହିଁ। ସେମାନେ କେବଳ ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ବୁଝିବା ପାଇଁ ଯାଇଥିଲେ। ଅନ୍ୟପକ୍ଷରେ ପ୍ରଫୁଲ୍ଲ ପଟେଲ ମଙ୍ଗଳବାର ପୁଣି ଶରଦ ପାୱାରଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଥିବାବେଳେ ଏନ୍‌ସିପି (ଏସ୍‌ପି) ବିଧାୟକ ରୋହିତ ପାୱାର ମିଶ୍ରଣ ନେଇ କୌଣସି ଆଲୋଚନା ହୋଇନଥିବା କହିଛନ୍ତି।

୨ ଦିନ ମଧ୍ୟରେ ଶରଦ ପାୱାରଙ୍କୁ ୨ ଥର ଭେଟିଛନ୍ତି ପାର୍ଥ 
୨ ଘଣ୍ଟାର ଆଲୋଚନା 

୨୦୧୯ ନଭେମ୍ବର ୨୩ରେ ଏନ୍‌ସିପିରେ ପ୍ରଥମ ବଡ଼ ବିଦ୍ରୋହ ଦେଖାଦେଇଥିଲା। ଅଜିତ ପାୱାର ବିଜେପି ସହ ହାତ ମିଳାଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୨୨ ଜୁନ୍‌ରେ ଶିବସେନାରେ ବିଦ୍ରୋହ ପରେ ସରକାର ଭାଙ୍ଗିଯାଇଥିଲା। ୨୦୨୩ ଜୁଲାଇ ୨ରେ ଏନ୍‌ସିପିରେ ଦ୍ୱିତୀୟ ଥର ପାଇଁ ଔପଚାରିକ ବିଭାଜନ ହୋଇଥିଲା। ପ୍ରାୟ ୪୦ ଜଣ ବିଧାୟକଙ୍କ ସମର୍ଥନରେ ଅଜିତ ପାୱାର ଶରଦ ପାୱାରଙ୍କଠାରୁ ଅଲଗା ହୋଇ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାୟୁତି ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଫଳରେ ଦଳ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିଲା। ୨୦୨୪ ଫେବ୍ରୁଆରିରେ ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଗୋଷ୍ଠୀକୁ ପ୍ରକୃତ ଏନ୍‌ସିପି ଭାବେ ମାନ୍ୟତା ଦେବା ସହ ଦଳର ନାମ ଓ ନିର୍ବାଚନୀ ଚିହ୍ନ ଆବଣ୍ଟନ କରିଥିଲେ। ୨୦୨୬ ଜାନୁଆରି ୨୮ରେ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ପରେ ଦଳରେ ନେତୃତ୍ୱ ସଙ୍କଟ ଦେଖାଦେଇଥିଲା। ପରେ ତାଙ୍କ ପତ୍ନୀ ସୁନେତ୍ରା ପାୱାର ଦଳର ଅଧ୍ୟକ୍ଷା ହେବା ସହ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ଏବେ ଅଜିତ ପାୱାରଙ୍କ ଅବର୍ତ୍ତମାନରେ ଦୁଇ ଏନ୍‌ସିପି ଗୋଷ୍ଠୀ ମଧ୍ୟରେ ପୁଣି ଏକତା ସ୍ଥାପନ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.