Literature: ଗଳ୍ପ ଲାଲା-ରୁବି: ଲେଖକ ନେତାଜୀ ଅଭିନନ୍ଦନଙ୍କ କଲମରୁ ନିଃସୃତ...

2 days ago 1
ARTICLE AD BOX

ଲାଲା-ରୁବି

ନେତାଜୀ ଅଭିନନ୍ଦନ

ଆମ ଘର ପାଖରେ ଗୋଟିଏ ପେଟ୍‌ ସପ୍‌ ଅଛି। ମୋ ଚାରିବର୍ଷର ପୁଅ ଓମ୍‌ ପାଇଁ ସେଇଟା ଦୋକାନ ନୁହେଁ, ଗୋଟିଏ ଛୋଟ ଚିଡ଼ିଆଖାନା। ସେଠି ଥରେ ପଶିଲେ ତାକୁ ବାହାର କରି ଆଣିବା କଷ୍ଟ। କାଚ ଆକ୍ୱାରିଅମ୍‌ ଭିତରେ ନାଲି, ନୀଳ, ହଳଦିଆ ମାଛ; କୋଣରେ ଠେକୁଆ; ଚକ ଭିତରେ ଦୌଡୁଥିବା ହ୍ୟାମ୍‌ଷ୍ଟର; କେବେ କେବେ ଦୁଇଟି କୁକୁରଛୁଆ; ଆଉ ଧାଡ଼ି ଧାଡ଼ି ପଞ୍ଜୁରିରେ ଅସଂଖ୍ୟ ଚଢ଼େଇଙ୍କ କିଚିରିମିଚିରି।

ଆହୁରି ପଢ଼ନ୍ତୁ- The Power of Silence: ଡିଜିଟାଲ ଯୁଗରେ ନୀରବତାର ମହତ୍ତ୍ୱ କେତେ ଜରୁରୀ?

ଓମ୍‌ ଘଣ୍ଟା ଘଣ୍ଟା ସେଠି ଠିଆହୁଏ। ମୋତେ କିନ୍ତୁ ଅଡୁଆ ଲାଗେ। ଭାବେ, ଦୋକାନୀଟା କ’ଣ ଭାବୁଥିବ- କିଛି କିଣୁନାହାନ୍ତି, ଅଥଚ ପ୍ରତିଦିନ ଆସି ଏସି ଦୋକାନରେ ଘଣ୍ଟାଏ ବସୁଛନ୍ତି!
ଦିନେ ସ୍ନେହା କହିଲା, “ଚାଲ, ହଳେ ଚଢ଼େଇ ନେଇଯିବା। ଓମ୍‌ କେତେ ଖୁସି ହେବ।”
ଚଢ଼େଇ ଦୁଇଟି ଖୁବ୍‌ ଛୋଟ। ହଳଦିଆ-ସବୁଜ ରଙ୍ଗ, ଚେପ୍‌ଟା ନାକ, ଚଞ୍ଚଳ ଆଖି। ମୁଁ ଜାଣି ନଥିଲି ସେମାନଙ୍କ ଜାତି କ’ଣ। 
ସ୍ନେହା କହିଲା, “ବଜ୍ଜିସ୍‌।”

ସେଇଦିନ ଚଢ଼େଇ ଦୁଇଟି ସହ ଗୋଟିଏ ଛୋଟ ପଞ୍ଜୁରି ଓ ଦାନା ପ୍ୟାକେଟ୍‌ ଘରକୁ ଆସିଲା। ଓମ୍‌ ସେମାନଙ୍କ ନାଁ ଦେଲା- ଲାଲା ଓ ରୁବି। କିଏ ସ୍ୱାମୀ, କିଏ ସ୍ତ୍ରୀ- ସେ ବିଷୟରେ ଆମର କୌଣସି ବୈଜ୍ଞାନିକ ନିଶ୍ଚିତତା ନଥିଲା। ତଥାପି ଘରେ ସର୍ବସମ୍ମତିକ୍ରମେ ଲାଲା ସ୍ୱାମୀ ହେଲା, ରୁବି ସ୍ତ୍ରୀ।

ଧୀରେ ଧୀରେ ସେମାନେ ଆମ ଘରର ଦୁଇଜଣ ସଦସ୍ୟ ହୋଇଗଲେ। ସକାଳ ହେଲେ ବାଲ୍‌କୋନିରୁ କିଚିରିମିଚିରି ଶୁଭୁଥିଲା। 
ଓମ୍‌ ଉଠି ପ୍ରଥମେ ସେମାନଙ୍କ ପାଖକୁ ଦୌଡ଼ୁଥିଲା। ହସୁଥିଲା, ନାଚୁଥିଲା, ସେମାନଙ୍କ ସହ କଥା ହେଉଥିଲା। ଲାଲା-ରୁବି କ’ଣ ବୁଝୁଥିଲେ କେଜାଣି, ଓମ୍‌ କିନ୍ତୁ ନିଶ୍ଚିତ ଥିଲା- ସେମାନେ ସବୁ ବୁଝନ୍ତି।
ଆଶ୍ଚର୍ଯ୍ୟର କଥା, ଲାଲା-ରୁବି ଆସିବା ପରେ ଆମ ବାଲ୍‌କୋନିକୁ ଅନ୍ୟ ଚଢ଼େଇମାନେ ବି ଆସିବା ଆରମ୍ଭ କଲେ। ସ୍ନେହା ସେମାନଙ୍କ ପାଇଁ ଦାନା ରଖିଲା, ମାଟିକୁଡୁଆରେ ପାଣି। ସକାଳେ ବାଲ୍‌କୋନିଟା ଗୋଟିଏ ଛୋଟ ପକ୍ଷୀସଭା ପରି ଲାଗୁଥିଲା। ସେମାନେ ଆସୁଥିଲେ, ଖାଉଥିଲେ, ଉଡ଼ିଯାଉଥିଲେ।

ଆହୁରି ପଢ଼ନ୍ତୁ- Odia Stars at Asian Games: ଏସୀୟ କ୍ରୀଡ଼ାରେ ଏଥର ଡଜନେ ଓଡ଼ିଆ: ସୁରେଶ ସ୍ବାଇଁଙ୍କ ଆଲେଖ୍ୟ...

ଲାଲା ଓ ରୁବି ଉଡ଼ିପାରୁ ନଥିଲେ। ସେମାନଙ୍କ ଆକାଶର ଚାରିପଟେ ଲୁହାର ତାର ଥିଲା। କଥାଟା ଧୀରେ ଧୀରେ ମୋତେ କଷ୍ଟ ଦେବାକୁ ଲାଗିଲା। ଦିନେ ସ୍ନେହାକୁ କହିଲି, “ଏମାନଙ୍କୁ ଉଡ଼େଇଦେବା କି?”
ସେ କିଛି ସମୟ ଚୁପ୍‌ ରହି କହିଲା, “ମୋର ବି ଇଚ୍ଛା ହେଉଛି। ଖାଲି ଓମ୍‌ ପାଇଁ ରଖିଛି।”
ସତକଥା। ଗୋଟିଏ ଶିଶୁର ଖୁସି ପାଇଁ ଦୁଇଟି ଜୀବଙ୍କ ସାରା ଆକାଶକୁ ଆମେ କ’ଣ ଏତିକି ଛୋଟ କରିଦେଇପାରିବା?

ଏହା ଭିତରେ ଲାଲା-ରୁବିଙ୍କ ସଂସାରରେ ଅଶାନ୍ତି ବଢ଼ିଗଲା। ଦୁଇଜଣ ପ୍ରବଳ ଝଗଡ଼ା କରୁଥିଲେ। ଜଣେ ଅନ୍ୟଜଣକୁ ଥଣ୍ଟରେ ମାରୁଥିଲା, ଘଉଡ଼ାଉଥିଲା, ପୁଣି କିଛି ସମୟ ପରେ ପାଖାପାଖି ବସି ରହୁଥିଲେ। ସେମାନଙ୍କୁ ଦେଖି ମୋତେ ବେଳେବେଳେ ହସ ଲାଗୁଥିଲା। ମଣିଷର ସଂସାର ଆଉ ଚଢ଼େଇର ସଂସାର ଭିତରେ ବୋଧହୁଏ ବିଶେଷ ଫରକ ନାହିଁ। ଯାହା ସହିତ ସବୁଠୁ ଅଧିକ ଝଗଡ଼ା, ଅନେକ ସମୟରେ ତା’ ବିନା ହିଁ ରହିହୁଏନି।

ଦିନେ ଅଫିସରୁ ଫେରି ଦେଖିଲି ପଞ୍ଜୁରିଟା ଖାଲି। ଭିତରେ ଦାନା ଅଛି। ପାଣି ଅଛି। ଦୋଳିଟା ବି ହାଲୁକା ପବନରେ ଦୋହଲୁଛି। କେବଳ ଲାଲା-ରୁବି ନାହାନ୍ତି। ସ୍ନେହାର ମୁହଁ ଥମ୍‌ଥମ୍‌।
“ଆଜି ଉଡ଼େଇଦେଲି।”
“ହଠାତ୍‌?”
“ଭାରି ଝଗଡ଼ା କରୁଥିଲେ। ମୋ ମୁଡ୍‌ ବି ଠିକ୍‌ ନଥିଲା। ପଞ୍ଜୁରି ଖୋଲିଦେଲି।”

ଆହୁରି ପଢ଼ନ୍ତୁ- Period Pain: ପିରିୟଡ୍‌ ସମୟରେ ଅଧିକ ଯନ୍ତ୍ରଣା ହେଉଛି କି? ଏଣ୍ଡୋମେଟ୍ରିଓସିସ୍‌ର ଲକ୍ଷଣ ହୋଇପାରେ...

ସେ କହିଲା, ‘‘ଦୁଆର ଖୋଲିବା ମାତ୍ରେ ଲାଲା ଆଖି ପିଛୁଳାକେ ଉଡ଼ିଗଲା। ଏତେ ଦିନର ବନ୍ଦୀ ଜୀବନ ପଛରେ ଛାଡ଼ି ସିଧା ଆକାଶକୁ। କିନ୍ତୁ ରୁବି ଯାଇନଥିଲା। ଘର ଭିତରେ କିଛି ଚକ୍କର କାଟିଲା। ତା’ପରେ ଚେୟାର ଉପରେ ବସିଲା। ବହୁ ସମୟ ସ୍ନେହାକୁ ଚାହିଁଲା। ଥରେ ଖୋଲା ପଞ୍ଜୁରିକୁ ଚାହିଁଲା। ଯେମିତି ତା’ର ଛୋଟ ମୁଣ୍ଡ ଭିତରେ ଗୋଟିଏ ଅସମ୍ଭବ ଦ୍ୱନ୍ଦ୍ୱ ଚାଲିଥିଲା- ପରିଚିତ ପଞ୍ଜୁରି ନା ଅପରିଚିତ ଆକାଶ? ଶେଷରେ ରୁବି ବି ଉଡ଼ିଗଲା।’’

ସେଦିନ ସନ୍ଧ୍ୟାରେ ମୁଁ ବାଲ୍‌କୋନିରେ ଅନେକ ସମୟ ଠିଆହୋଇ ରହିଲି। ଅନ୍ୟ ଚଢ଼େଇମାନେ ଆସିଲେ। ଦାନା ଖାଇଲେ। 
ପାଣି ପିଇଲେ। 
କିଚିରିମିଚିରି କଲେ। 
ତଥାପି ବାଲ୍‌କୋନିଟା ଅସହ୍ୟ ଖାଲି ଲାଗୁଥିଲା।

ସେ ରାତିରେ କାହିଁକି କେଜାଣି ମୋତେ କାନ୍ଦ ମାଡ଼ିଲା। ନିଜକୁ ବୁଝେଇଲି- ଏଇଟା ତ ଆମେ ଚାହୁଥିଲୁ। ସେମାନେ ମୁକ୍ତ ହେଲେ। ଆକାଶ ପାଇଲେ। ଏଥିରେ ଦୁଃଖ କ’ଣ? କିନ୍ତୁ ମଣିଷ ବୋଧହୁଏ ଏମିତି। ଯାହାକୁ ମୁକ୍ତ କରିଦିଏ, ତାକୁ ହିଁ ପୁଣି ଫେରିଆସିବାକୁ ଅପେକ୍ଷା କରେ।
ମୋତେ ଲାଗୁଥିଲା, ଆମ ପରିବାରରୁ ଦୁଇଜଣ ସବୁଦିନ ପାଇଁ ଚାଲିଯାଇଛନ୍ତି।

ପରଦିନ ସକାଳେ ମୁଁ ବାଲ୍‌କୋନି ପାଖରେ ପ୍ରାଣାୟାମ କରୁଥିଲି। ହଠାତ୍‌ ଶୁଣିଲି- କିଚିରି... ମିଚିରି...
ଛାତି ଭିତରଟା କ’ଣ ହୋଇଗଲା। ଲାଲା! ରୁବି!
ଉଠି ଚାରିଆଡ଼କୁ ଦେଖିଲି। ଗଛରେ, ତାରରେ, ପାଖ ଛାତରେ। କେଉଁଠି ଦିଶିଲେନି। କିନ୍ତୁ ସ୍ୱରଟା ସେମାନଙ୍କ ପରି।
କିଛି ସମୟ ପରେ ସ୍ନେହା ଦୌଡ଼ିଆସି କହିଲା, “ଶୁଣୁଛ? ଏ ତ ତାଙ୍କ ସ୍ୱର!”
ସେ ଖାଲି ପଞ୍ଜୁରିଟା ବାଲ୍‌କୋନିରେ ରଖି ତା’ର ଦୁଆରଟା ଖୋଲିଦେଲା।

ଆହୁରି ପଢ଼ନ୍ତୁ- Success Story Divya Dwivedi: ଆସିଥିଲା ଅନେକ କଠିନ ପରିସ୍ଥିତି କିନ୍ତୁ ଭାଙ୍ଗି ନଥିଲା ଦିବ୍ୟାଙ୍କ ସ୍ବପ୍ନ

ଦିନସାରା ଦୁଆର ଖୋଲାରହିଲା।
ଲାଲା ଫେରିଲା ନାହିଁ। ରୁବି ବି ନୁହେଁ।
ଆଜି ବି ପଞ୍ଜୁରିଟା ଅଛି। କିନ୍ତୁ ତା’ର ଦୁଆର ଆଉ ବନ୍ଦ କରାଯାଏ ନାହିଁ।
କେବେ କେବେ ସକାଳେ ଦୂରରୁ ଦୁଇଟି ଚଢ଼େଇର କିଚିରିମିଚିରି ଶୁଭେ। ଓମ୍‌ ଦୌଡ଼ିଆସି କହେ, “ବାପା, ଲାଲା-ରୁବି ଆସିଛନ୍ତି!”
ମୁଁ ଖୋଜେ ନାହିଁ। କାରଣ ଏବେ ମୋତେ ଲାଗେ, ସେମାନେ ଫେରିବା ଦରକାର ବି ନାହିଁ।

ଜୀବନରେ ସମସ୍ତେ କ’ଣ ଘରକୁ ଫେରନ୍ତି? କେହି କେହି ଆମ ଜୀବନକୁ ଆସନ୍ତି, ଅଳ୍ପଦିନ ଆମ ସହିତ ରହନ୍ତି, ଆମ ଘରକୁ ନିଜ ସ୍ୱରରେ ଭରିଦିଅନ୍ତି। ଆମ ସହ କଳି କରନ୍ତି, ଭଲପାଆନ୍ତି, ଆମ ଅଭ୍ୟାସର ଅଂଶ ହୋଇଯାଆନ୍ତି। ତା’ପରେ ଦିନେ ଦୁଆରଟିଏ ଖୋଲିଯାଏ। ସେମାନେ ଚାଲିଯାଆନ୍ତି।
ପଞ୍ଜୁରି ଖାଲି ହୋଇଯାଏ। କିନ୍ତୁ ଆଶ୍ଚର୍ଯ୍ୟ- ଘରଟା ଖାଲି ହୁଏନାହିଁ।

କେଉଁଠି ନା କେଉଁଠି, ଆମ ଭିତରେ, ସେମାନଙ୍କ କିଚିରିମିଚିରି ଚାଲିଥାଏ।
ଆଉ ଆମେ- ଖୋଲା ପଞ୍ଜୁରିର ଦୁଆର ପାଖରେ ଠିଆହୋଇ ଶିଖୁଥାଉ, ଭଲପାଇବାର ଅର୍ଥ ସବୁବେଳେ ପାଖରେ ରଖିବା ନୁହେଁ। କେବେ କେବେ ଭଲପାଇବାର ଅର୍ଥ ଦୁଆରଟି ଖୋଲିଦେବା।

ମୋ:୮୮୯୫୩୦୧୭୩୭

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.