ARTICLE AD BOX
ଅସିତ ମହାନ୍ତି
କଟକର ରେଭେନ୍ସା କଲେଜ (ଏବେ ୟୁନିଭର୍ସିଟି) ଓଡ଼ିଶାରେ ଆଧୁନିକ ଶିକ୍ଷାର ପ୍ରଥମ ମନ୍ଦିର। ଓଡ଼ିଶାର ପ୍ରାକ୍ତନ କମିସନର ଟମାସ୍ ଏରିକ୍ ରେଭେନ୍ସାଙ୍କ ନାମାନୁସାରେ ଏହା ନାମିତ। ସେ କମିସନର ଥିବାବେଳେ ଓଡ଼ିଶାରେ ଘଟିଥିଲା ପ୍ରଳୟଙ୍କରୀ ନ’ଅଙ୍କ ଦୁର୍ଭିକ୍ଷ। ସେଥିରେ ପ୍ରବଳ ଲୋକକ୍ଷୟ ହୋଇଥିଲା। ସେଥିପାଇଁ ତାଙ୍କର ଅପାରଗତାକୁ ଦାୟୀ କରି, ତାଙ୍କ ନାମରେ ନାମିତ ଏହି ଶିକ୍ଷାମନ୍ଦିରର ନାମ ପରିବର୍ତ୍ତନ କରିବାକୁ ଯେଉଁ ଦାବି କେତେକଙ୍କ ପକ୍ଷରୁ ଉଠୁଥିଲା, ତାହା ଏବେ ମଉଳି ଯାଇଛି। କିନ୍ତୁ ସେହି ଦାବି ମରିଯାଇ ନାହିଁ। ତେବେ, ସେହି ଦାବିର ଯେ ସେପରି କିଛି ଯଥାର୍ଥତା ନାହିଁ, ସେ ସଂପର୍କରେ ଗୋଟିଏ ବହି ଆମକୁ ସ୍ପଷ୍ଟ ପ୍ରମାଣ ଦିଏ। ସେ ବହିଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେଲେ ମଧ୍ୟ ପ୍ରାୟ ଅନାଲୋଚିତ ହୋଇ ରହିଛି।
Vedanta aluminium: ଷଷ୍ଠ ସିଏଲଆଇ ଏକ୍ସପୋରେ ବେଦାନ୍ତ
ବହିଟି ହେଉଛି- ‘ଆଧୁନିକ ଶିକ୍ଷା ଓ ଓଡ଼ିଶା’। ତାହାର ଲେଖକ ମହେଶ ଚନ୍ଦ୍ର ମହାପାତ୍ର। ସେ ଜନ୍ମ ହୋଇଥିଲେ ୧୯୧୩ ମସିହା ଏପ୍ରିଲ ମାସ ୫ ତାରିଖରେ, ମୟୂରଭଞ୍ଜ ଜିଲା ଅନ୍ତର୍ଗତ ବାରିପଦା ସହରର ଲାଲବଜାରରେ। ତାଙ୍କର ପିତା ଭାଗୀରଥି ମହାପାତ୍ର ଥିଲେ ତତ୍କାଳୀନ ମୟୂରଭଞ୍ଜ ଷ୍ଟେଟ୍ର ଡେପୁଟି କଲେକ୍ଟର। ତାଙ୍କର ପିତାମହ ଗୋବିନ୍ଦଚନ୍ଦ୍ର ମହାପାତ୍ର ଥିଲେ ଜଣେ ବିଦଗ୍ଧ ସଂସ୍କୃତ ପଣ୍ଡିତ ତଥା ତତ୍କାଳୀନ ମୟୂରଭଞ୍ଜ ଷ୍ଟେଟ୍ର ଦେବାନ୍। ତାଙ୍କର ଜ୍ୟେଷ୍ଠଭ୍ରାତା ବିଶ୍ବମ୍ଭର ବିଦ୍ୟାଭୂଷଣ ଥିଲେ ଜଣେ ଓଡ଼ିଆ ଜାତୀୟତାବାଦୀ ଏବଂ ସେ ଓଡ଼ିଆ ଭାଷାର ପ୍ରଚାରପ୍ରସାର କ୍ଷେତ୍ରରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ।
ଏହିପରି ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ନେଇଥିବା ମହେଶ ଚନ୍ଦ୍ର ମହାପାତ୍ର ସ୍ବାଭାବିକ ଭାବରେ ଥିଲେ ଜଣେ ଓଡ଼ିଆ ଭାଷା-ସାହିତ୍ୟପ୍ରେମୀ ଏବଂ ଓଡ଼ିଆ ଜାତୀୟତାର ଉପାସକ। ସେ ମଧ୍ୟ ଥିଲେ ଅତ୍ୟନ୍ତ ସ୍ବାଧୀନଚେତା। ବାରିପଦା ହାଇସ୍କୁଲର ଛାତ୍ର ଥିବାବେଳେ, ସେ ସ୍କୁଲ ଛାଡ଼ି ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ବିଦେଶୀ ବସ୍ତ୍ର ବର୍ଜନ, ଖଦି ବସ୍ତ୍ରର ପ୍ରଚାର ଓ ସତ୍ୟାଗ୍ରହ ଆନ୍ଦୋଳନରେ ସେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଏ କ୍ଷେତ୍ରରେ ପରିବାରର ପ୍ରତିବାଦକୁ ସେ ଭ୍ରୂକ୍ଷେପ କରି ନଥିଲେ।
ପରେ, କଟକରେ ଅବସ୍ଥାନ କାଳରେ ଶ୍ରୀ ମହାପାତ୍ର ଐତିହାସିକ ପରମାନନ୍ଦ ଆଚାର୍ଯ୍ୟ, ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓ ଗବେଷକ ସୁଧାକର ପଟ୍ଟନାୟକ ପ୍ରମୁଖଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ବହୁ ଐତିହାସିକ ତଥ୍ୟ ଉନ୍ମୋଚନରେ ବ୍ରତୀ ହୋଇଥିଲେ। ‘ଆଧୁନିକ ଶିକ୍ଷା ଓ ଓଡ଼ିଶା’ ତାହାର ଏକ ନିଦର୍ଶନ।
କଟକରେ ଅବସ୍ଥାନ କାଳରେ ଶ୍ରୀ ମହାପାତ୍ର ବହୁ ବିଶିଷ୍ଟ ସାହିତ୍ୟିକ ଓ ସଂପାଦକଙ୍କ ସଂସ୍ପର୍ଶରେ ମଧ୍ୟ ଆସିଥିଲେ। ସେମାନଙ୍କ ମଧ୍ୟରେ ପଣ୍ଡିତ ନୀଳକଂଠ ଦାସ, ‘ସମାଜ’ ସଂପାଦକ ରାଧାନାଥ ରଥ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ମାୟାଧର ମାନସିଂହ, ଅନ୍ନଦା ଶଙ୍କର ରାୟ ଓ ଗୋଦାବରୀଶ ମହାପାତ୍ର ଆଦିଙ୍କ ନାମ ଉଲ୍ଲେଖନୀୟ। ସେ ମଧ୍ୟ ଥିଲେ ଆକାଶବାଣୀ, କଟକର ଜଣେ ସ୍ବନାମଧନ୍ୟ ନାଟ୍ୟକାର। ‘ସବ୍ୟସାଚୀ’, ‘କ୍ଷୁଧା’ ଓ ‘ଦୁଇପୁରୁଷ’ ତାଙ୍କ ରଚିତ ତିନିଟି ନାଟକ। ସେହିପରି, ‘ରାଣୀ ଶାସନର ମାନି’, ‘ଦେବା ନ ଜାନନ୍ତି’, ‘ସୃଜନର ଛନ୍ଦ’, ‘ମହାନଗରୀରର ମାୟା’ ଓ ‘ଶ୍ରୀରାଧାର ଅଭିସାର’ ଆଦି ଉପନ୍ୟାସର ମଧ୍ୟ ସେ ରଚୟିତା। ‘ଷଟ୍ପଦୀ’ ଓ ‘ଦୁଇ କନ୍ୟାର କାହାଣୀ’ ଆଦି ତାଙ୍କର ଗଳ୍ପପୁସ୍ତକ। ଅନୁବାଦ କ୍ଷେତ୍ରରେ ମଧ୍ୟ ତାଙ୍କର ରହିଛି ‘ରାମାୟଣ’ର ଗଦ୍ୟରୂପ। ‘ଧୂର୍ଜଟୀ’ ଛଦ୍ମନାମରେ ସେ ଗଳ୍ପ ଓ ଉପନ୍ୟାସ ଲେଖିଥିଲେ ଏବଂ ଆଧୁନିକ ଚେତନାଧର୍ମୀ ମାସିକ ସାହିତ୍ୟ ପତ୍ରିକା ‘ଚନ୍ଦ୍ରିକା’ର ସଂପାଦନା ମଧ୍ୟ କରିଥିଲେ।
କିନ୍ତୁ ଏକମାତ୍ର ପ୍ରବନ୍ଧ ବା ଆଲୋଚନା ପୁସ୍ତକ ହେଲେ ମଧ୍ୟ, ‘ଆଧୁନିକ ଶିକ୍ଷା ଓ ଓଡ଼ିଶା’ ତାଙ୍କର ସାହିତ୍ୟକୃତିଗୁଡ଼ିକ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଦାବି କରେ। ଏହି ପୁସ୍ତକର ପ୍ରକାଶକ- କଟକର ‘ଗ୍ରନ୍ଥ ମନ୍ଦିର’ ଏବଂ ପ୍ରଥମ ପ୍ରକାଶକାଳ ୧୯୭୭। ୧୯୯୫ ନଭେମ୍ବରରେ ତାହାର ପରିମାର୍ଜିତ ନୂତନ ସଂସ୍କରଣ ପ୍ରକାଶ ପାଇଥିଲା। ପରେ ୨୦୦୯ରେ ତାହା ପୁନର୍ମୁଦ୍ରିତ ମଧ୍ୟ ହୋଇଛି।
ପୁସ୍ତକଟି ଦୁଇଭାଗରେ ରଚିତ। ‘ସୂଚନା’ ଶୀର୍ଷକ ତାହାର ପ୍ରଥମ ସଂସ୍କରଣର ମୁଖବନ୍ଧରେ ଶ୍ରୀ ମହାପାତ୍ର ଲେଖିଛନ୍ତି- “ପ୍ରଥମ ଭାଗରେ ଭାରତରେ ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀର ଶାସନରେ ଯେଉଁ ଶିକ୍ଷା ବ୍ୟବସ୍ଥା କ୍ରମେ କ୍ରମେ ପ୍ରଚଳନ କରାଯାଇଥିଲା, ତା’ର ବିବରଣ ଓ ଇଂରେଜ ସରକାରଙ୍କ ପ୍ରତ୍ୟକ୍ଷ ଶାସନ ଫଳରେ ଶିକ୍ଷାକ୍ଷେତ୍ରରେ ସରକାରୀ ତତ୍ପରତାର ବିବରଣ ଦିଆଯାଇଛି। ଦ୍ବିତୀୟ ଭାଗରେ ଇଂରେଜମାନଙ୍କ ଦ୍ବାରା ଓଡ଼ିଶା ଅଧିକାର (ଖ୍ରୀ. ୧୮୦୩)ଠାରୁ ବିଂଶ ଶତାବ୍ଦୀର ଆରମ୍ଭ (ଖ୍ରୀ. ୧୯୦୩) ପର୍ଯ୍ୟନ୍ତ କମ୍ପାନୀ ଅମଳ ତଥା ସରକାରୀ ଶାସନରେ ଓଡ଼ିଶା ଡିଭିଜନ୍ର ଶିକ୍ଷାବ୍ୟବସ୍ଥାର ଚିତ୍ର ଦିଆଯାଇଛି। ତା’ଛଡ଼ା, ଓଡ଼ିଶାର ଗଡ଼ଜାତମାନଙ୍କରେ ସେ ସମୟରେ ଆଧୁନିକ ଶିକ୍ଷା ପ୍ରଚଳନ ଦିଗରେ ଯେଉଁ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା, ତା’ର ବିବରଣ, ନାରୀଶିକ୍ଷା, ସାଂପ୍ରଦାୟିକ ଶିକ୍ଷା ଓ ଉପାନ୍ତ ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଯଥାସାଧ୍ୟ ଆଲୋଚନା କରାଯାଇଛି। ଶେଷ ଅଧ୍ୟାୟଟିରେ, ଊନବିଂଶ ଶତାବ୍ଦୀରେ ଓଡ଼ିଶାର ଶାସନକେନ୍ଦ୍ର କଟକର ସାମାଜିକ ଜୀବନ ଉପରେ ଆଲୋଚନା କରାଯାଇଛି।”
ଏଣୁ ବହୁ ଦୃଷ୍ଟିରୁ ଏହି ପୁସ୍ତକଟି ଗୁରୁତ୍ବପୂର୍ଣ୍ଣ। ଶ୍ରୀ ମହାପାତ୍ର ତାଙ୍କ ମୁଖବନ୍ଧରେ ସୂଚିତ କରିଛନ୍ତି- ଏହି ଗ୍ରନ୍ଥରଚନା ପାଇଁ ଯେଉଁସବୁ ସରକାରୀ ରିପୋର୍ଟ ବ୍ୟବହାର କରାଯାଇଛି, ପ୍ରାୟ ସେ ସବୁ ତାଙ୍କର ଜାମାତା ତଥା ଅଧ୍ୟାପକ ବେଦୁଲା ଭୀମଶଙ୍କର ଶାସ୍ତ୍ରୀଙ୍କ ସହାୟତାରେ ତାଙ୍କୁ ମିଳିଛି ଏବଂ ଓଡ଼ିଶା ଷ୍ଟେଟ୍ ଗେଜେଟିୟରର ସଂପାଦକ ଦୁର୍ଗାଚରଣ କୁଅଁର ଓ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ପରିଚାଳକ ମହେଶ ପ୍ରସାଦ ଦାଶ ଏ କ୍ଷେତ୍ରରେ ତାଙ୍କୁ ସହାୟତା କରିଛନ୍ତି।
ଏ ଦୃଷ୍ଟିରୁ ପୁସ୍ତକଟି ପ୍ରାମାଣିକ। ସଂପ୍ରତି, ନ’ଅଙ୍କ ଦୁର୍ଭିକ୍ଷ ଜନିତ ଲୋକକ୍ଷୟ ଆଳରେ ଓଡ଼ିଶାର ତତ୍କାଳୀନ କମିସନର ଟି. ଇ. ରେଭେନ୍ସାଙ୍କୁ ନିନ୍ଦିତ କରାଯିବା ସହିତ, ତାଙ୍କ ନାମରେ ନାମିତ ରେଭେନ୍ସା କଲେଜର ନାମ ପରିବର୍ତ୍ତନ କରିବା ନିମନ୍ତେ ଯେଉଁ ସ୍ବର ଉଠୁଛି, ସେ ଦୃଷ୍ଟିରୁ ଏହି ପୁସ୍ତକର ସଂପୃକ୍ତ ଆଲୋଚନା ଗୁଡ଼ିକ ପ୍ରାସଙ୍ଗିକ।
ଏ ସଂପର୍କରେ ସବିଶେଷ ଆଲୋଚନାର ଅବକାଶ ଏହି ସୀମିତ ପରିସରରେ ନାହିଁ। ତେବେ ତାହାର ସଂକ୍ଷିପ୍ତ ଉପସ୍ଥାପନା ଏ ପ୍ରସଙ୍ଗରେ କରାଯାଇ ପାରିବ।
ପୁସ୍ତକର ଷଷ୍ଠ ଓ ସପ୍ତମ ଅଧ୍ୟାୟରେ ଶ୍ରୀ ମହାପାତ୍ର ଏହାର ବିସ୍ତୃତ ଆଲୋଚନା କରିଛନ୍ତି। ‘ନ’ଅଙ୍କ ଦୁର୍ଭିକ୍ଷ’ ପ୍ରସଙ୍ଗରେ ସେ ଲେଖିଛନ୍ତି- “ଦୁର୍ଭିକ୍ଷର କାରଣ ଅନୁସନ୍ଧାନ ପାଇଁ କମିଶନ ବସିଲା। କମିଶନ କହିଲେ, ଯଥା ସମୟରେ ଉପଯୁକ୍ତ ପଦକ୍ଷେପ ନେଇ ନ ଥିବା ହେତୁ ଦୁର୍ଭିକ୍ଷ ହେଲା। ବଙ୍ଗଳାର ଛୋଟଲାଟ ସିସିଲ ବିଡ଼ନ୍ ଓ ତାଙ୍କ କାଉନସିଲକୁ ଏଥିପାଇଁ ଦାୟୀ କରାଗଲା। କମିଶନ ରେଭିନିଉ ବୋର୍ଡ ଉପରେ ଦୋଷ ଲଦିଲେ। ୧୮୬୭ରେ ରେଭିନିଉ ବୋର୍ଡ ଅଧଡଜନ କ୍ଷମାପ୍ରାର୍ଥନା କରି ଏକ କବୁଲନାମା ପ୍ରକାଶ କଲେ ଯେ ଠିକ୍ ସମୟରେ କାମରେ ହାତ ନ ଦେବା ଫଳରେ... ଏହି ଦୁର୍ଦୈବ ଘଟିଛି। ...ସେମାନେ ମାନିଲେ ଯେ ଆଉ କିଛି ହେଉ ନ ହେଉ, ଜାନୁଆରୀ ୧ ତାରିଖ (୧୮୬୬)ରେ ରେଭେନ୍ଶ ଯେଉଁ ଟେଲିଗ୍ରାମ ପଠାଇଥିଲେ, ତା’ରି ଉପରେ ଯଦି ତତ୍କ୍ଷଣାତ୍ କାର୍ଯ୍ୟ କରାଯାଇଥାନ୍ତା, ତାହାହେଲେ ଅନେକ ଜୀବନ ରକ୍ଷା କରାଯାଇ ପାରିଥାନ୍ତା।”
Elephant attack: ଘର ଭାଙ୍ଗିଲା, ଗାଈକୁ ଆକ୍ରମଣ କଲା ହାତୀ
ମାତ୍ର ଏହା ସତ୍ତ୍ବେ, ନ’ଅଙ୍କ ଦୁର୍ଭିକ୍ଷର ପ୍ରାଣହାନି ପାଇଁ ରେଭେନ୍ସାଙ୍କୁ ହିଁ ଦାୟୀ କରି, ସେ ହତ୍ୟାକାରୀ, ତେଣୁ ତାଙ୍କର ନାମକୁ ଓଡ଼ିଶାର ଏହି ଆଧୁନିକ ଶିକ୍ଷାମନ୍ଦିରର ନାମରୁ ବାଦ୍ ଦିଆଯାଉ ବୋଲି ସ୍ବର ଉଠୁଛି। ଏହି ଦୁର୍ଭିକ୍ଷ ପରର ଆଧୁନିକ ଶିକ୍ଷାର ବିସ୍ତାର ଏବଂ ଓଡ଼ିଆ ଭାଷାର ସୁରକ୍ଷା ନିମନ୍ତେ ସେ କରିଥିବା ଗଠନମୂଳକ କାମଗୁଡ଼ିକୁ ଏ ପ୍ରସଙ୍ଗରେ ବିଚାରକୁ ନିଆଯାଉ ନାହିଁ।
‘ଆଧୁନିକ ଶିକ୍ଷା ଓ ଓଡ଼ିଶା’ରେ ପ୍ରାମାଣିକତା ଭିତ୍ତିରେ ଆଲୋଚନା କରି, ଏ ପ୍ରସଙ୍ଗରେ ଶ୍ରୀ ମହାପାତ୍ର ଦେଇଥିବା କେତେକ ମତ-ମନ୍ତବ୍ୟ ଏ କ୍ଷେତ୍ରରେ ପ୍ରଣିଧାନଯୋଗ୍ୟ। ସେ କହିଛନ୍ତି- “ଶିକ୍ଷା ବିଭାଗର ଇଂରେଜ କର୍ମଚାରୀଙ୍କ ଓଡ଼ିଆଭାଷା ପ୍ରତି ବିଦ୍ବେଷ ତଥା ବଙ୍ଗଳାଭାଷା ପ୍ରତି ପକ୍ଷପାତିତା, ବିଭାଗ ପ୍ରତିଷ୍ଠା ହେବାର ପ୍ରଥମ ଅବସ୍ଥାରୁ ପରିସ୍ଫୁଟ ହୋଇ ଉଠିଥିଲା। କମିଶନାର ରେଭେନ୍ଶଙ୍କୁ ଓଡ଼ିଶାରୁ ବଙ୍ଗଳା ଭାଷାର ଉଚ୍ଛେଦ କରିବାକୁ ଗୋଟିଏ ଯୁଗ ଲାଗିଥିଲା ଏବଂ ସେ ଆଂଶିକ ଭାବେ ସଫଳ ହୋଇଥିଲେ।” “ବଙ୍ଗପ୍ରଦେଶର ଶିକ୍ଷାବିଭାଗ ଓଡ଼ିଆ ଭାଷାକୁ ଉଠାଇ ଦେବାକୁ ବ୍ୟବସ୍ଥା କରିସାରିଥିଲେ। ...ସେତେବେଳେ ଏ ପ୍ରଦେଶର ଶାସନମୁଖ୍ୟ ଭାବରେ ରେଭେନ୍ଶ ନ ଥିଲେ ହୁଏତ ଓଡ଼ିଆ ଭାଷା ଉଠିଯାଇଥାନ୍ତା।” “ଦୁର୍ଭିକ୍ଷର ଧ୍ବଂସସ୍ତୂପରୁ ଓଡ଼ିଆ ଲାଭ କଲା ଆତ୍ମ-ପ୍ରତ୍ୟୟ। ଦୁର୍ଭିକ୍ଷ ପରେ ଶିକ୍ଷା, ସଂସ୍କୃତି, ଶାସନ ସବୁକ୍ଷେତ୍ରରେ ଓଡ଼ିଆମାନେ ନିଜକୁ ପ୍ରତିଷ୍ଠିତ କରିବାକୁ ଲୋଡ଼ିଲେ। ...ଏହି ନବଜାଗରଣରେ, ସେହି ଚରମ ଦୁର୍ଦ୍ଦିନରେ ଓଡ଼ିଆମାନଙ୍କୁ ଅକୁଣ୍ଠ ସାହାଯ୍ୟ କରିଥିଲେ କମିଶନର ରେଭେନ୍ଶ।”
ଏହିପରି ଅନେକ କଥା ଏହି ପ୍ରାୟ ୨୦୦ ପୃଷ୍ଠାର ପୁସ୍ତକରେ ଅଛି। ‘କଟକ ହାଇସ୍କୁଲ ଓ ରେଭେନ୍ଶ କଲେଜ’ ପ୍ରସଙ୍ଗରେ ବଙ୍ଗ ସରକାରଙ୍କ ସେକ୍ରେଟେରୀଙ୍କୁ ରେଭେନ୍ସା ଲେଖିଥିବା ପତ୍ରର ପ୍ରାସଙ୍ଗିକ ଉଦ୍ଧୃତି ମଧ୍ୟ ସେ ଦେଇଛନ୍ତି। ସେଥିରେ ରେଭେନ୍ସା ଲେଖିଛନ୍ତି- “କଟକରେ ଗୋଟିଏ କଲେଜ ପ୍ରତିଷ୍ଠା କରିବା ମୋର ବ୍ୟକ୍ତିଗତ ଇଚ୍ଛା ତ ପୂରଣ କରିବ, ତା’ଛଡ଼ା ଓଡ଼ିଶାରେ ଉଚ୍ଚ ଶିକ୍ଷାଦାନ କ୍ଷେତ୍ରରେ ଏହା ଏକ ଅଭୂତପୂର୍ବ ଘଟଣା ହେବ।”
ପରିଶେଷରେ, ତାଙ୍କର ଆନ୍ତରିକ ଉଦ୍ୟମ ଫଳରେ କଟକରେ ପ୍ରଥମ କଲେଜ ପ୍ରତିଷ୍ଠା ହୋଇପାରିଥିଲା। ତାହାର ତାରିଖ ଥିଲା ୧୮୭୬ ମସିହା, ଫେବ୍ରୁଆରି ମାସ ୨୩ ତାରିଖ। ପରେ, ୧୮୭୯ରେ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜ ତାହାର ନାମ ରଖିଥିଲେ ‘ରେଭେନ୍ସା କଲେଜ’। ସେତେବେଳକୁ କିନ୍ତୁ ରେଭେନ୍ସା ଆଉ ଓଡ଼ିଶାରେ ନ ଥିଲେ। ତାହାର କିଛିମାସ ପୂର୍ବରୁ ସେ ଓଡ଼ିଶାରୁ ବିଦାୟ ନେଇ ସାରିଥିଲେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦ ୩୪୮୦୪

1 week ago
7


