ARTICLE AD BOX
ନୂଆଦିଲ୍ଲୀ : ପରୀକ୍ଷାରେ ଅନିୟମିତତା ଓ ଯୁବପିଢ଼ିଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରୁଥିବା କକ୍ରୋଚ୍ ଜନତା ପାର୍ଟି (ସିଜେପି) ଆସନ୍ତା ସେପ୍ଟେମ୍ବରରୁ ଦେଶବ୍ୟାପୀ ‘କ୍ୟା ବୋଲତି ପବ୍ଲିକ୍‘ ନାମରେ ଏକ ଜନସମ୍ପର୍କ ଅଭିଯାନ ଆରମ୍ଭ କରିବ । ଦଳର ପ୍ରତିଷ୍ଠାତା ଅଭିଜିତ୍ ଦୀପ୍କେ କହିଛନ୍ତି, ବର୍ତ୍ତମାନ ସିଜେପି ନିର୍ବାଚନୀ ରାଜନୀତିକୁ ନ ଯାଇ ସାଧାରଣ ଲୋକଙ୍କ ପ୍ରସଙ୍ଗରେ ସରକାର ଉପରେ ଜନଚାପ ସୃଷ୍ଟି କରୁଥିବା ଏକ ସଂଗଠନ ଭାବେ କାର୍ଯ୍ୟ କରିବ ।
ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ସିଜେପିର ଦୁଇଦିନିଆ କୋର୍ କମିଟି ବୈଠକ ପରେ ଦୀପ୍କେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ‘କ୍ୟା ବୋଲତି ପବ୍ଲିକ୍‘ ଅଭିଯାନ ଜରିଆରେ ଦେଶର ବିଭିନ୍ନ ସ୍ଥାନକୁ ଯାଇ ସାଧାରଣ ଲୋକଙ୍କ ମତାମତ, ସମସ୍ୟା ଓ ଆଶା-ଆକାଂକ୍ଷା ସଂଗ୍ରହ କରାଯିବ । ସେହି ଆଧାରରେ ସଂଗଠନ ତାହାର ପରବର୍ତ୍ତୀ କାର୍ଯ୍ୟକ୍ରମ ଓ ଜନଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରିବ ।
Sri Lankan Navy: ବିପନ୍ନ ଭାରତୀୟ ଜାହାଜକୁ ଉଦ୍ଧାର କଲା ଶ୍ରୀଲଙ୍କା ନୌସେନା, ୧୧ ନାବିକ ସୁରକ୍ଷିତ
ଦୀପ୍କେ କହିଛନ୍ତି, ସିଜେପିର ପ୍ରମୁଖ ଲକ୍ଷ୍ୟ ରହିବ ଶିକ୍ଷା ବ୍ୟବସ୍ଥାର ସଂସ୍କାର, ପରୀକ୍ଷାରେ ସ୍ବଚ୍ଛତା, ବେକାରି ସମସ୍ୟା, ଘରୋଇ ସ୍କୁଲର ଅତ୍ୟଧିକ ଫି, ସରକାରୀ ସ୍କୁଲର ମାନରେ ଉନ୍ନତି ଓ ସାଧାରଣ ଲୋକଙ୍କର ସରକାରୀ ଅନୁଷ୍ଠାନ ଉପରେ ବିଶ୍ୱାସ ପୁନଃସ୍ଥାପନ ଭଳି ପ୍ରସଙ୍ଗ । ଯୁବପିଢ଼ି ଓ ସାଧାରଣ ନାଗରିକଙ୍କୁ ସଂଗଠନ ସହ ଯୋଡ଼ିବା ପାଇଁ ଦେଶବ୍ୟାପୀ ସଦସ୍ୟତା ଅଭିଯାନ ମଧ୍ୟ ଚାଲିବ ।
ସମ୍ପ୍ରତି ଜାତୀୟ ସ୍ତରରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ଶିକ୍ଷା ବ୍ୟବସ୍ଥାର ବିଭିନ୍ନ ତ୍ରୁଟିକୁ ନେଇ ସିଜେପି ଚର୍ଚ୍ଚାକୁ ଆସିଥିଲା । ଏହାପରେ ସଂଗଠନର ଭବିଷ୍ୟତ ରଣନୀତି ନେଇ ଅନେକ କଳ୍ପନାଜଳ୍ପନା ହେଉଥିଲା । ତେବେ ଦୀପ୍କେ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ପାଇଁ ସିଜେପି କୌଣସି ନିର୍ବାଚନ ଲଢ଼ିବ ନାହିଁ । ବରଂ ସାଧାରଣ ଲୋକଙ୍କ ସ୍ବରକୁ ସରକାରଙ୍କ ପାଖରେ ପହଞ୍ଚାଇବା ଓ ଜନସ୍ବାର୍ଥ ପ୍ରସଙ୍ଗରେ ଚାପ ସୃଷ୍ଟି କରିବା ଉପରେ ସଂଗଠନ ଗୁରୁତ୍ୱ ଦେବ ।

1 hour ago
2


