ARTICLE AD BOX
‘କାର୍ତ୍ତିକ ମହାତ୍ମ୍ୟ’ରେ ବର୍ଣ୍ଣିତ କାହାଣୀମାନ ଅତ୍ୟନ୍ତ ରୋଚକ। ଏହାର ପ୍ରଥମ ଓ ଦ୍ବିତୀୟ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ଦେବଶର୍ମା ଓ ଚନ୍ଦ୍ରହୋତ୍ର ମୋକ୍ଷ ଏବଂ ସତ୍ୟଭାମାଙ୍କ ପୂର୍ବଜନ୍ମ ବୃତ୍ତାନ୍ତ। ମୁନିଗଣଙ୍କ ପ୍ରଶ୍ନରେ ସୂତମୁନି ଏହି କାହାଣୀ କହିଛନ୍ତି। ତାଙ୍କ ଅନୁସାରେ, ବ୍ୟାସଦେବ ଏହି କାହାଣୀ ବର୍ଣ୍ଣନା କରିଥିଲେ। ଏକଦା ଶ୍ରୀକୃଷ୍ଣ ପ୍ରିୟପତ୍ନୀ ସତ୍ୟଭାମାଙ୍କୁ ଗରୁଡ଼ ପିଠିରେ ବସାଇ, ଚତୁର୍ଦ୍ଦଶ ପୁର ଓ ସପ୍ତଦ୍ବୀପା ପୃଥିବୀ ଭ୍ରମଣ କରାଇ ସାରି, ଦ୍ବାରକାପୁରକୁ ଫେରିଲେ। ସେଥିରେ ଆନନ୍ଦିତ ହୋଇ, ଅତ୍ୟନ୍ତ ଅନୁରାଗ ସହିତ ସତ୍ୟଭାମା ଶ୍ରୀକୃଷ୍ଣଙ୍କୁ ପଚାରିଲେ- ମୋର କେଉଁ କର୍ମରୁ ମୁଁ ତୁମ୍ଭଙ୍କୁ ପତି ରୂପେ ପାଇଲି, ଅନୁଗ୍ରହ କରି ଏହା ମୋତେ କୁହ। ତାହାର ଉତ୍ତରରେ ଶ୍ରୀକୃଷ୍ଣ ତାଙ୍କୁ ଗୁଣବତୀଙ୍କ କଥା କହିଥିଲେ।
ତାହା ଅନୁସାରେ, ସତ୍ୟଯୁଗର ଶେଷରେ, ମାୟାପୁରରେ ଅତ୍ରେୟ ବଂଶରେ ଜାତ ହୋଇଥିଲେ ଦେବଶର୍ମା ନାମରେ ଜଣେ ବ୍ରାହ୍ମଣ। ତାଙ୍କର କନ୍ୟା ଗୁଣବତୀ। ଦେବଶର୍ମା ତାଙ୍କୁ ଚନ୍ଦ୍ରହୋତ୍ର ନାମକ ଜଣେ ଅରକ୍ଷିତ ବ୍ରାହ୍ମଣପୁତ୍ରଙ୍କ ସହ ବିବାହ କରାଇଥିଲେ। ଦିନେ ଦେବଶର୍ମା ଓ ଚନ୍ଦ୍ରହୋତ୍ର ହୋମକାଠ ସଂଗ୍ରହ ପାଇଁ ବନକୁ ଯାଇଥିବାବେଳେ ଏକ ରାକ୍ଷସ ଆସି ଦୁହିଁଙ୍କୁ ବଧ କଲା। ସେମାନେ ଥିଲେ ସୂର୍ଯ୍ୟଦେବଙ୍କର ଉପାସକ। ତେଣୁ ବିଷ୍ଣୁଦୂତମାନେ ଆସି ଦୁହିଁଙ୍କୁ ବିମାନରେ ବସାଇ ବୈକୁଣ୍ଠପୁରକୁ ଘେନିଗଲେ। କାରଣ, ବର୍ଷାଜଳ ଯେପରି ବିଭିନ୍ନ ଧାରାରେ ଆସି ସାଗରରେ ମିଶିଯାଏ, ସେହିପରି, ସୌର, ଶୈବ, ଶାକ୍ତ, ଗାଣପତ୍ୟ ଓ ବୈଷ୍ଣବ- ସମସ୍ତେ ବୈକୁଣ୍ଠପୁର ପ୍ରାପ୍ତ ହୋଇଥାନ୍ତି।
ଏଣେ ଗୁଣବତୀ ପିତା ଓ ପତି ନିହତ ହେବା ଶୁଣି ଅନେକ ରୋଦନ କଲେ। ପରେ ଶୋକ ସମ୍ଭାଳି, ସେମାନଙ୍କର ପ୍ରେତକୃତ୍ୟ ଶେଷ କରି ଲକ୍ଷ୍ମୀପତି ବିଷ୍ଣୁଙ୍କର ଶରଣ ନେଲେ। ବିଷ୍ଣୁଙ୍କର ପ୍ରିୟବ୍ରତ କାର୍ତ୍ତିକବ୍ରତ କଲେ। ଆଶ୍ବିନ ଶୁକ୍ଳ ଏକାଦଶୀ ଦିନ ସଂକଳ୍ପ କରି, ପୂର୍ଣ୍ଣମୀ ପର୍ଯ୍ୟନ୍ତ ବିଧି ଅନୁସାରେ ନିଷ୍ଠାର ସହ ଏହି ବ୍ରତ ପାଳନ କଲେ। ପ୍ରାତଃ ସ୍ନାନ କରି ତୁଳସୀ ବୃକ୍ଷ ପୂଜା କରିବା ସହିତ ହବିଷ୍ୟାନ୍ନ ଭୋଜନ କରୁଥିଲେ। ସନ୍ଧ୍ୟାରେ ତୁଳସୀ ବୃକ୍ଷ ମୂଳରେ ଦୀପ ଜାଳୁଥିଲେ। ଏହିପରି ସାରା ମାସ ସକାଳୁ ଶୀତଳ ଜଳରେ ସ୍ନାନ କରିବା ଫଳରେ ଗୁଣବତୀଙ୍କୁ ଜ୍ବର ହେଲା। ଜ୍ବର ଦିନକୁ ଦିନ ବଢ଼ି ସନ୍ନିପାତ ଘୋଟିଲା ଏବଂ ସେ ପଞ୍ଚତ୍ବ ଲାଭ କଲେ। ଯେହେତୁ ସେ ବିଷ୍ଣୁବ୍ରତ କରୁଥିଲେ, ବିଷ୍ଣୁଦୂତମାନେ ତାଙ୍କୁ ସୁବର୍ଣ୍ଣ ରଥରେ ବସାଇ, ମଙ୍ଗଳଧ୍ବନି କରି ବୈକୁଣ୍ଠପୁରକୁ ଘେନିଗଲେ। ସେଠାରେ ସେ ବିଷ୍ଣୁଙ୍କର ଦର୍ଶନ ଲାଭ କରି ଲକ୍ଷ୍ମୀଙ୍କ ସହିତ ତାଙ୍କର ସଖୀ ହୋଇ ରହିଲେ।
ଏହି କାହାଣୀ କହି, ପରିଶେଷରେ ଶ୍ରୀକୃଷ୍ଣ କହିଲେ- ହେ ସତ୍ୟଭାମା! ତୁମ୍ଭେ ପୂର୍ବଜନ୍ମରେ ଗୁଣବତୀ ଥିଲ। ଏ ଜନ୍ମରେ ସତ୍ୟଭାମା ରୂପେ ଜନ୍ମ ନେଇ ପୂର୍ବ କର୍ମଫଳରୁ ମୋତେ ପତି ରୂପେ ପାଇଛ। ତୁମ୍ଭେ ପୂର୍ବଜନ୍ମରେ ଯେଉଁ ତୁଳସୀ ବୃକ୍ଷକୁ ପୂଜନ କରୁଥିଲ, ତାହା କଳ୍ପଦ୍ରୁମ ହୋଇଛି। ସେହିପରି, ତୁମ୍ଭର ପତି ଚନ୍ଦ୍ରହୋତ୍ର ଏ ଜନ୍ମରେ ଭକ୍ତ ଅକ୍ରୂର ହୋଇଛନ୍ତି। ତୁମ୍ଭର ପୂର୍ବଜନ୍ମର ପିତା ଦେବଶର୍ମା ଏ ଜନ୍ମରେ ମଧ୍ୟ ତୁମ୍ଭର ପିତା ଶକ୍ରାଜିତ ହୋଇଛନ୍ତି। ଏସବୁ ମୋର ପ୍ରିୟ କାର୍ତ୍ତିକବ୍ରତ ପାଳନର ସୁଫଳ।

38 minutes ago
1


