Keonjhar: କେନ୍ଦୁଝରରେ ନିଆରା ପରମ୍ପରା: ଶିଆଳିଲତାର ଦଉଡ଼ିରେ ଟଣାହେବ ନନ୍ଦିଘୋଷ

2 weeks ago 11
ARTICLE AD BOX

କେନ୍ଦୁଝର: ଶ୍ରୀକ୍ଷେତ୍ର ପୁରୀଠାରୁ ଆରମ୍ଭ କରି ଦେଶର ବିଭିନ୍ନ ପ୍ରାନ୍ତରରେ ଆୟୋଜିତ ହେଉଥିବା ରଥଯାତ୍ରାରେ କତା ଦଉଡ଼ି ବ୍ୟବହାର ଏକ ସାଧାରଣ ପରମ୍ପରା। କିନ୍ତୁ କେନ୍ଦୁଝରର ପରମ୍ପରା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଜଙ୍ଗଲରୁ ସଂଗୃହୀତ ଶିଆଳିଲତାରେ ନିର୍ମିତ ଦଉଡ଼ିରେ ଟଣା ହେଉଛି। ଶିଆଳିଲତାର ଏହି ଦଉଡ଼ି କେବଳ ରଥ ଟାଣିବାର ଏକ ଉପକରଣ ନୁହେଁ, ଏହାସହ ଜଡ଼ିତ ରହିଛି ପୁରାଣ, ଆଦିବାସୀ ସଂସ୍କୃତି, ରାଜ ପରମ୍ପରା ଏବଂ ମହାପ୍ରଭୁଙ୍କ ପ୍ରତି ଅତୁଟ ଭକ୍ତିର ଇତିହାସ। ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଜଙ୍ଗଲରେ ଶିଆଳି ଲତାରେ ଖେଳୁଥିବାବେଳେ ଜରା ଶବରଙ୍କ ତୀରରେ ବିଦ୍ଧ ହୋଇ ଲୀଳା ସମାପ୍ତ କରିଥିଲେ। ସେହି ସ୍ମୃତିକୁ ଚିରସ୍ମରଣୀୟ ରଖିବା ପାଇଁ କେନ୍ଦୁଝରର ତତ୍କାଳୀନ ରାଜା ରଥଯାତ୍ରାରେ ମହାପ୍ରଭୁଙ୍କ ରଥକୁ ଶ୍ରୀକୃଷ୍ଣଙ୍କ ପ୍ରିୟ ଶିଆଳି ଲତାରେ ପ୍ରସ୍ତୁତ ଦଉଡ଼ିରେ ଟାଣିବାର ପରମ୍ପରା ଆରମ୍ଭ କରିଥିଲେ। ସେହି ସମୟରୁ ଭୂୟାଁ ଓ ଜୁଆଙ୍ଗ ଆଦିବାସୀ ସମ୍ପ୍ରଦାୟଙ୍କୁ ଏହି ଦାୟିତ୍ୱ ଅର୍ପଣ କରାଯାଇଥିଲା। ରାଜତନ୍ତ୍ର ସମୟରେ ରଥ ଟାଣିବା ପାଇଁ ପାଞ୍ଚଟି ଦଉଡ଼ି ପ୍ରସ୍ତୁତ ହେଉଥିଲା। ସେଥିରୁ ତିନିଟି ଭୂୟାଁ ପିଢ଼ର ପ୍ରଜାମାନେ ଓ ଦୁଇଟି ଜୁଆଙ୍ଗ ପିଢ଼ର ଲୋକେ ଯୋଗାଉଥିଲେ। ଗଣତନ୍ତ୍ର ଶାସନ ଆସିବା ପରେ କିଛିବର୍ଷ ଧରି ଏହି ପରମ୍ପରା ବନ୍ଦ ରହିଥିଲା। ସ୍ଥାନୀୟ ଲୋକଙ୍କ ପ୍ରୟାସ ଓ ଜନଜାତି ସମ୍ପ୍ରଦାୟଙ୍କ ନିଷ୍ଠା ଯୋଗୁଁ ପୁଣିଥରେ ଶିଆଳି ଦଉଡ଼ିର ପରମ୍ପରା ଆରମ୍ଭ ହୋଇଥିଲା। ବର୍ତ୍ତମାନ ତିନିଟି ଦଉଡ଼ିରେ କେନ୍ଦୁଝରର ନନ୍ଦିଘୋଷ ରଥ ଟଣାଯାଉଛି।

Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କଲେ ବିଧାୟକ

ଚାରିଗାଁ ଭୂୟାଁ ପିଢ଼ର ସର୍ଦ୍ଦାର କୁଞ୍ଜ ଦେହୁରୀଙ୍କ ନେତୃତ୍ୱରେ ଭୂୟାଁ ସମ୍ପ୍ରଦାୟର ଲୋକେ ଅକ୍ଷୟ ତୃତୀୟା ପରଠାରୁ ଜଙ୍ଗଲକୁ ଯାଇ ଉପଯୁକ୍ତ ଶିଆଳି ଲତା ସଂଗ୍ରହ କରନ୍ତି। ଏହି ସମୟରେ ବିଭିନ୍ନ ନୀତିନିୟମ ପାଳନ କରାଯାଏ। ଶିଆଳି ଲତାକୁ ଶୁଖାଯାଇ ଦଉଡ଼ି ପ୍ରସ୍ତୁତ କରାଯାଏ। ରଥଦାଣ୍ଡରେ ଦଉଡ଼ି ପହଞ୍ଚିବା ପରେ ଏହାକୁ ଦେବତାଙ୍କ ସମାନ ମର୍ଯ୍ୟାଦା ଦିଆଯାଏ। ବିଧିବଦ୍ଧ ମନ୍ତ୍ରୋଚ୍ଚାରଣ ମାଧ୍ୟମରେ ତିନୋଟି ଦଉଡ଼ିର ନାମକରଣ ଅନନ୍ତ, ବାସୁକୀ ଓ ମହାପଦ୍ମ କରାଯାଏ। ପୂଜାର୍ଚ୍ଚନା ପରେ ଏହି ଦଉଡ଼ିଗୁଡ଼ିକୁ ରଥରେ ସଂଯୋଗ କରାଯାଏ। ହଜାର ହଜାର ଭକ୍ତଙ୍କ ହାତରେ ମହାପ୍ରଭୁଙ୍କ ରଥ ଗଡ଼ିଥାଏ। ଆଦିବାସୀ ସମ୍ପ୍ରଦାୟ ପାଇଁ ଏହା କେବଳ ଏକ ପରମ୍ପରା ନୁହେଁ, ସେମାନଙ୍କ ଆଧ୍ୟାତ୍ମିକ ପରିଚୟର ଏକ ଅଂଶ। ଏ ସମ୍ପର୍କରେ ଗବେଷକ ନିରଞ୍ଜନ ବାରିକ କହିଛନ୍ତି, ଶିଆଳି ଲତାରେ ପ୍ରସ୍ତୁତ ଦଉଡ଼ିରେ ରଥ ଟାଣିବାର ପରମ୍ପରା କେନ୍ଦୁଝରର ସାଂସ୍କୃତିକ ସ୍ୱତନ୍ତ୍ରତାର ପ୍ରତୀକ। ଏହା କେବଳ ଧାର୍ମିକ ବିଶ୍ୱାସର କଥା ନୁହେଁ, ବରଂ ରାଜପରମ୍ପରା, ଆଦିବାସୀ ସଂସ୍କୃତି ଓ ଜଗନ୍ନାଥ ପରମ୍ପରାର ଏକ ଅପୂର୍ବ ସମନ୍ୱୟ। ଏଥର ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶିଆଳି ଲତାର ଦଉଡ଼ି ରଥଦାଣ୍ଡରେ ପହଞ୍ଚି ସାରିଛି। ନାମକରଣ ଓ ପୂଜା ପରେ ଏହା ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ସଂଯୋଗ ହେବ। ଶତାବ୍ଦୀ ପୁରୁଣା ପରମ୍ପରାକୁ ସାଥୀ କରି ଶିଆଳିଲତାର ଦଉଡ଼ିରେ ଟଣାହେବ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ।

Horoscope 2026 July 16: ଜାଣନ୍ତୁ ଆଜିର ରାଶିଫଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.