ARTICLE AD BOX
ଜଗଦଲପୁର: ଛତିଶଗଡ଼ର ଚର୍ଚ୍ଚିତ ୨୦୧୩ ଝିରମ ଘାଟି ମାଓବାଦୀ ଆକ୍ରମଣ ମାମଲାରେ ବୁଧବାର ଜଗଦଲପୁରସ୍ଥିତ ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ ୧୦ ଜଣ ଦୋଷୀ ସାବ୍ୟସ୍ତ ମାଓବାଦୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଆପରାଧିକ ଷଡ଼ଯନ୍ତ୍ର (ଦଫା ୧୨୦ ବି) ଏବଂ ହତ୍ୟା (ଦଫା ୩୦୨) ପାଇଁ ବିଚାରପତି ଅଭୟ ସିଂହ ରାଜପୁତ ଏହି ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି।
ଫାଶୀ ଦଣ୍ଡାଦେଶ ପାଇଥିବା ୧୦ ଜଣ ମାଓବାଦୀ ହେଲେ- ପ୍ରମିଳା ମୋଡିୟାମ୍, ଚୈତୁ ଲେକାମ୍ ଓରଫ୍ ମୁନ୍ନା, ସୁମିତା ଓରଫ୍ ପୁନମ୍ ମୋଡିୟାମ୍, ମୁକ୍କା ମାଣ୍ଡଭି, କୋସା କାଭାସି ଓରଫ୍ କୋସାରାମ୍, ଆୟତା ମାର୍କାମ୍, ମାଡକାମୀ ଦେବା, ଜୋଗା ମାଡକାମୀ, ବଞ୍ଜାମୀ ସନ୍ନା ଓରଫ୍ ଚାମରୁ ଏବଂ ମହାଦେବ ନାଗ। ବିଚାରାଧୀନ ଅବସ୍ଥାରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଏନ୍ଆଇଏ ଚାର୍ଜସିଟ୍ରେ ଦର୍ଶାଯାଇଥିବା ଅନ୍ୟ ୨୮ ଜଣ ଅଭିଯୁକ୍ତ ଏବେ ବି ଫେରାର୍ ଅଛନ୍ତି।
୨୦୧୩ ମସିହା ମେ’ ୨୫ ତାରିଖରେ କଂଗ୍ରେସର ପରିବର୍ତ୍ତନ ରାଲି କନ୍ଭୟ ଉପରେ ୧୫୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଅତର୍କିତ ଗୁଳିଚାଳନା କରିଥିଲେ। ଏହି ଭୟାନକ ରକ୍ତପାତରେ ସଲୱା ଜୁଡୁମ୍ର ପ୍ରତିଷ୍ଠାତା ମହେନ୍ଦ୍ର କର୍ମା, ପ୍ରଦେଶ କଂଗ୍ରେସ ସଭାପତି ନନ୍ଦକୁମାର ପଟେଲ, ତାଙ୍କ ପୁଅ ଦିନେଶ ଏବଂ ପୂର୍ବତନ ବିଧାୟକ ଉଦୟ ମୁଦଲିୟାରଙ୍କ ସମେତ ୨୭ ଜଣ ପ୍ରାଣ ହରାଇଥିଲେ। ସେଥିମଧ୍ୟରେ ୧୦ ଜଣ ସୁରକ୍ଷାକର୍ମୀ ମଧ୍ୟ ସହିଦ ହୋଇଥିଲେ ଏବଂ ୩୮ ଜଣ ଗୁରୁତର ଆହତ ହୋଇଥିଲେ।
ଏନ୍ଆଇଏ ଚାର୍ଜସିଟ୍ ଅନୁଯାୟୀ, ଏହି ଆକ୍ରମଣ ମାଓବାଦୀଙ୍କ ଏକ ବଡ଼ ଅଭିଯାନର ଅଂଶ ଥିଲା, ଯାହାର ମୁଖ୍ୟ ଲକ୍ଷ୍ୟ ଥିଲେ ମହେନ୍ଦ୍ର କର୍ମା। ପ୍ରଥମେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ରାସ୍ତା ଅବରୋଧ କରାଯିବା ପରେ ପାହାଡ଼ ଉପରୁ ପ୍ରାୟ ଦୁଇ ଘଣ୍ଟା ଧରି ପ୍ରବଳ ଗୁଳି ଓ ଗ୍ରେନେଡ୍ ମାଡ଼ କରାଯାଇଥିଲା। ପ୍ରାୟ ୧୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଏହି ମାମଲାରେ ୨୯୪ଟି ଶୁଣାଣି ପରେ ସ୍ୱତନ୍ତ୍ର କୋର୍ଟ ଏହି ଐତିହାସିକ ରାୟ ଦେଇଛନ୍ତି।

1 day ago
4


