Jagannath Behera : ୧୦୧ ବର୍ଷରେ ପାଲା ସମ୍ରାଟ ପଣ୍ଡିତ ଜଗନ୍ନାଥ ବେହେରାଙ୍କ ପରଲୋକ, ଓଡ଼ିଶାର ଲୋକକଳାର ଜୀବନ୍ତ ଇତିହାସର ଅବସାନ

14 hours ago 1
ARTICLE AD BOX

ଏରସମା: ଓଡ଼ିଶାର ପ୍ରାଚୀନ ଲୋକକଳା ‘ପାଲା’ର ବିଶିଷ୍ଟ ସାଧକ, ପାଲା ସମ୍ରାଟ ତଥା ଶତାୟୁ ବରେଣ୍ୟ କଳାକାର ପଣ୍ଡିତ ଜଗନ୍ନାଥ ବେହେରାଙ୍କ ୧୦୧ ବର୍ଷରେ ପରଲୋକ ଘଟିଛି। ସେ ଜଗତସିଂହପୁରଜିଲ୍ଲା ଏରସମା ବ୍ଲକର କଟିଜଙ୍ଗା ଗ୍ରାମର ବାସିନ୍ଦା ଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିବାବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ପାଲା ଜଗତ, ସାଂସ୍କୃତିକ ମହଲ ଏବଂ ଅସଂଖ୍ୟ ଅନୁରାଗୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି । ୧୯୨୦ ଦଶକରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ଜଗନ୍ନାଥ ବେହେରା କିଶୋର ବୟସରୁ ପାଲା କଳା ସହ ଜଡ଼ିତ ହୋଇଥିଲେ। ଗୁରୁ ହରେକୃଷ୍ଣ ନାଥ, ଭଗବାନ ସିଂହ ଓ ହରେକୃଷ୍ଣ ସ୍ୱାଇଁଙ୍କ ନିକଟରୁ ସେ ପାଲାର ତାଲିମ ଗ୍ରହଣ କରିଥିଲେ। ଔପଚାରିକ ଶିକ୍ଷା ସୀମିତ ଥିଲେ ମଧ୍ୟ ଓଡ଼ିଆ, ସଂସ୍କୃତ, ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ସାହିତ୍ୟରେ ଗଭୀର ପାଣ୍ଡିତ୍ୟ ଅର୍ଜନ କରି ପାଲା ପରିବେଷଣକୁ ଏକ ନୂଆ ଉଚ୍ଚତାକୁ ନେଇଥିଲେ।
ରାମାୟଣ, ମହାଭାରତ, ଶ୍ରୀମଦ୍ ଭାଗବତ, ଚଣ୍ଡୀପୁରାଣ ସମେତ ବିଭିନ୍ନ ପୌରାଣିକ କାହାଣୀକୁ ସେ ଗୀତ, କବିତା, ତର୍କ, ଭାବାଭିନୟ ଓ ହାସ୍ୟରସର ଅନନ୍ୟ ସମନ୍ୱୟରେ ପରିବେଷଣ କରି ଦଶନ୍ଧି ଦଶନ୍ଧି ଧରି ହଜାର ହଜାର ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ତାଙ୍କର ଗଭୀର କଣ୍ଠସ୍ୱର, ଶାସ୍ତ୍ରଜ୍ଞାନ ଓ ସରଳ ଉପସ୍ଥାପନା ତାଙ୍କୁ ଓଡ଼ିଶାର ପାଲା ଜଗତରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା।

ଅଧିକ ପଢନ୍ତୁ:  Missing Body Recovered ୪୨ ଘଣ୍ଟା ପରେ ମିଳିଲା ଉଦନ୍ତି ନଦୀରେ ନିଖୋଜ ଯୁବକଙ୍କ ଶବ


ସେ କେବଳ ଜଣେ ପାଲାଗାୟକ ନୁହେଁ, ଜଣେ ରଚନାକାର, ସଂଗଠକ ଓ ଶିକ୍ଷକ ମଧ୍ୟ ଥିଲେ। ଦୁଇଟି ପୁସ୍ତକ ରଚନା ସହ ଅନେକ କବିତା ଲେଖିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ, ଅଲ୍ ଓଡ଼ିଶା ପାଲା ଗାୟକ ପରିଷଦର ସଭାପତି ଏବଂ ଜୋଗୀ ମହାପୁରୁଷ ସଂସ୍କୃତ ବିଦ୍ୟାଳୟର ସଭାପତି ଭାବେ ମଧ୍ୟ ସେ ଦାୟିତ୍ୱ ନିର୍ବାହ କରିଥିଲେ। ଲୋକକଳା କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ସେ ୨୦୦୬ରେ ‘ଗାୟକ ଗୁରୁ’ ଉପାଧି, ୨୦୦୭ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୦୯ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସହ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଭଳି ବହୁ ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କ ନିକଟରୁ ଶିକ୍ଷା ନେଇଥିବା ଅନେକ ଶିଷ୍ୟ ଆଜି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପାଲା ପରିବେଷଣ କରି ଗୁରୁଙ୍କ ଆଦର୍ଶ ଓ ଐତିହ୍ୟକୁ ବହନ କରୁଛନ୍ତି। ତାଙ୍କ ବିୟୋଗରେ ଏରସମା ଅଞ୍ଚଳ ଜଣେ ମହାନ କଳାସାଧକଙ୍କୁ ହରାଇଥିବାବେଳେ ଓଡ଼ିଶାର ପାଲା ପରମ୍ପରା ଜଣେ ଜୀବନ୍ତ ଇତିହାସକୁ ହରାଇଛି । ପଣ୍ଡିତ ଜଗନ୍ନାଥ ବେହେରାଙ୍କ ଅମର ସାଧନା, ସୃଜନଶୀଳତା ଓ ପାଲା କଳା ପ୍ରତି ତାଙ୍କର ଅବଦାନ ଚିରଦିନ ପାଇଁ ଓଡ଼ିଶାର ସାଂସ୍କୃତିକ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.