ARTICLE AD BOX
ନୂଆଦିଲ୍ଲୀ: ବାଂଲାଦେଶରେ ଶେଖ୍ ହସିନାଙ୍କ କ୍ଷମତାଚ୍ୟୁତ ପରେ ଢାକା ଏବଂ ନୂଆଦିଲ୍ଲୀ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ମଧ୍ୟରେ ଚୀନ୍ ନିଜର କୂଟନୈତିକ ଏବଂ ଅର୍ଥନୈତିକ ଜାଲ ବିଛାଇବା ଆରମ୍ଭ କରିଛି। ନିବେଶ ବାହାନାରେ ଚୀନ୍ ଏବେ ବାଂଲାଦେଶକୁ ନିଜର ଅତ୍ୟାଧୁନିକ ‘ଜେ-୧୦ସିଇ’ ବହୁମୁଖୀ ଲଢ଼ୁଆ ବିମାନ ବିକ୍ରି କରିବାକୁ ଯାଉଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରାୟ ୨.୨ ବିଲିୟନ ଡଲାର (ପ୍ରାୟ ୧୮ ହଜାର କୋଟି ଟଙ୍କା)ର ଏହି ସରକାରୀ ଚୁକ୍ତି କେବଳ ଅସ୍ତ୍ରଶସ୍ତ୍ର କ୍ରୟ-ବିକ୍ରୟ ନୁହେଁ, ବରଂ ଦକ୍ଷିଣ ଏସିଆର ସାମରିକ ସନ୍ତୁଳନକୁ ବିଗାଡ଼ିବା ପାଇଁ ଚୀନ୍ର ଏକ ବଡ଼ ରଣନୈତିକ ଚାଲ୍ ଅଟେ। ଏହି ପ୍ୟାକେଜ୍ ଅଧୀନରେ ୨୪ଟି ଫାଇଟର ଜେଟ୍ ସହିତ ୨୦୩୫-୩୬ ପର୍ଯ୍ୟନ୍ତ ବାଂଲାଦେଶୀ ପାଇଲଟ୍ମାନଙ୍କ ପ୍ରଶିକ୍ଷଣ, ରକ୍ଷଣାବେକ୍ଷଣ ଏବଂ ଯାନ୍ତ୍ରିକ ସହାୟତା ସାମିଲ ରହିଛି। ପାକିସ୍ତାନ ପାଖରେ ପୂର୍ବରୁ ହିଁ ୨୦ରୁ ଅଧିକ ‘ଜେ-୧୦ସିଇ’ ବିମାନ ମହଜୁଦ ରହିଛି।
ଭାରତୀୟ ରଣନୀତିକାରଙ୍କ ମତରେ, ପ୍ରକୃତ ଆହ୍ୱାନ ବାଂଲାଦେଶର ସାମରିକ କ୍ଷମତାକୁ ନେଇ ନୁହେଁ, ବରଂ ଭାରତର ପୂର୍ବ ଏବଂ ପଶ୍ଚିମ ଉଭୟ ସୀମାରେ ଚୀନ୍ର ସାମରିକ ଇକୋସିଷ୍ଟମ ମଜବୁତ ହେବାକୁ ନେଇ ସୃଷ୍ଟି ହୋଇଛି। ପାକିସ୍ତାନ ପରି ବାଂଲାଦେଶ ମଧ୍ୟ ସମାନ ଚୀନ୍ ଯୁଦ୍ଧବିମାନ ବ୍ୟବହାର କଲେ ଭାରତକୁ ଦୁଇଟି ଯାକ ସୀମାରେ ଏକାଭଳି ଚୀନ ରାଡାର ସିଷ୍ଟମ, ଡାଟା-ଲିଙ୍କ୍ ପ୍ରୋଟୋକଲ୍ ଏବଂ ଇଲେକ୍ଟ୍ରୋନିକ ଯୁଦ୍ଧାସ୍ତ୍ର ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିବ। ବାଂଲାଦେଶୀ ପ୍ରତିନିଧି ଦଳର ବେଜିଂ ଗସ୍ତ ପରେ ଏହି ଚୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି ଏବଂ ଚଳିତ ମାସ ସୁଦ୍ଧା ଏଥିରେ ଚୂଡ଼ାନ୍ତ ସ୍ୱାକ୍ଷର ହେବା ସହ ୨୦୨୬ ଶେଷ କିମ୍ବା ୨୦୨୭ ଆରମ୍ଭରୁ ବିମାନ ଯୋଗାଣ ଆରମ୍ଭ ହେବା ଅନୁମାନ କରାଯାଉଛି।
ଭାରତ ପାଇଁ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଭାରତ-ବାଂଲାଦେଶ ସୀମାରୁ ମାତ୍ର ୧୨-୧୫ କିଲୋମିଟର ଦୂରରେ ଥିବା ବାଂଲାଦେଶର ଲାଲମୋନିରହାଟ ଏୟାରବେସ୍। ଏହି ଏୟାରବେସ୍ ଭାରତର ଅତି ସମ୍ବେଦନଶୀଳ ସିଲିଗୁଡ଼ି କରିଡର ବା ‘ଚିକେନ୍ ନେକ୍’ ନିକଟରେ ଅବସ୍ଥିତ। ଏହି ୨୦ରୁ ୪୦ କିଲୋମିଟର ଚଉଡ଼ା ସଂକୀର୍ଣ୍ଣ ଭୂଖଣ୍ଡ ହିଁ ଭାରତର ମୂଳ ଭାଗକୁ ଉତ୍ତର-ପୂର୍ବର ୮ଟି ରାଜ୍ୟ ସହ ଯୋଡ଼ିଥାଏ। ଏତେ ନିକଟରେ ଆଧୁନିକ ମଲ୍ଟିରୋଲ୍ ଫାଇଟର ଜେଟ୍ ମୁତୟନ ହେବା ଦ୍ୱାରା ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସୁରକ୍ଷା ଉପରେ ସିଧାସଳଖ ସାମରିକ ଚାପ ସୃଷ୍ଟି ହେବ। ଯଦିଓ ଫ୍ରାନ୍ସ ନିର୍ମିତ ଭାରତର ରାଫେଲ୍ ବିମାନ ଆଗରେ ଚୀନ୍ର ଏହି ପ ଜେଟ୍ ସମକକ୍ଷ ନୁହେଁ, ତଥାପି କମ୍ ମୂଲ୍ୟ କାରଣରୁ ଚୀନ୍ ଭାରତର ପଡ଼ୋଶୀ ଦେଶଗୁଡ଼ିକୁ ନିଜ ଆଡ଼କୁ ଆକର୍ଷିତ କରି ଭାରତକୁ ଘେରିବା ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରୁଛି।
Donald Trump: ଇରାନ ଯୁଦ୍ଧରେ ଟ୍ରମ୍ପଙ୍କୁ ବଡ଼ ଝଟକା: ଆମେରିକା ଲଢୁଆ ବିମାନକୁ ଅବତରଣ ପାଇଁ ଅନୁମତି ଦେଲାନି ଇଟାଲୀ

1 hour ago
1


