ARTICLE AD BOX
ସବୁ ବିଧି ବିଧାନକୁ ଦଳିମକଚି ଦେଇଛି ଇସ୍କନ୍। ସମସ୍ତ ବିରୋଧ, ତାଗିଦ୍ ଓ ଶାସ୍ତ୍ରୀୟ ପ୍ରମାଣ ସତ୍ତ୍ବେ ନିଜ ଜିଦ୍ରେ ଅଟଳ ରହିଛି। ଗଜପତି ମହାରାଜଙ୍କ ଚିଠିକୁ ବି ପ୍ରତ୍ୟାଖ୍ୟାନ କରିଛି। ଏ ମାମଲାରେ ଆଉ କଥାବାର୍ତ୍ତା ନାହିଁ ବୋଲି ଶୁଣାଇ ଦେଇଛନ୍ତି ଇସ୍କନ୍ ଗଭର୍ଣ୍ଣିଂ ବଡି କମିସନ୍ର ଚେୟାରମ୍ୟାନ୍। ଆଧ୍ୟାତ୍ମିକ ସଂସ୍ଥାନ ହୋଇ ମଧ୍ୟ ଏତେ ଅହଙ୍କାର ଓ ଜିଦ୍ଖୋର ମନୋଭାବ ଜଗନ୍ନାଥପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଇସ୍କନ୍ର ଏହି ମନମାନିକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା।
ପ୍ରସ୍ତୁତି: ସତ୍ୟନାରାୟଣ ରାଉତରାୟ, ବିବୁଧ ମହାନ୍ତି
ପୁରୀ: ବିଶ୍ୱ ସନାତନ ଧର୍ମ ସେବା ସଂସ୍ଥାନ ଓ ଶ୍ରୀ ଖଟୁ ଶ୍ୟାମ ମଣ୍ଡଳ ଦ୍ୱାରା ରାଜସ୍ଥାନର ସିକର ଜିଲ୍ଲାରେ ଆସନ୍ତାକାଲି (ଜୁଲାଇ ୧୦ରେ) ଅଦିନିଆ ରଥଯାତ୍ରା ପାଳନ ହେବା ନେଇ ସାମାଜିକ ଗଣମାଧ୍ୟମ ଓ ଖବରକାଗଜରେ ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇଛି। ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ-ମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ା ରାଜସ୍ଥାନର ସିକର ଜିଲ୍ଲାପାଳ ଆଶିଷ ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଏହି ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି। ମୂଳପୀଠ ଶ୍ରୀକ୍ଷେତ୍ର ପୁରୀରେ ଯେଉଁଦିନ ରଥଯାତ୍ରା ଅନୁଷ୍ଠିତ ହେବ, ସେହି ତିଥିରେ ହିଁ ରଥଯାତ୍ରା ପାଳନ କରିବା ପାଇଁ ସିକର ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି।
GDP: ଆଇଏମ୍ଏଫ୍ ପରେ ଏଡିବି କମାଇଲା ଅଭିବୃଦ୍ଧି ଆକଳନ
ରାଜସ୍ଥାନର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ପତ୍ର ପଠାଯାଇଛି। ଶାସ୍ତ୍ରୀୟ ବିଧି ପରମ୍ପରା ଅନୁସାରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୁଏ। ତଦନୁଯାୟୀ ଚଳିତ ବର୍ଷ ମୂଳପୀଠ ଶ୍ରୀଜଗନ୍ନାଥ ଧାମ ପୁରୀରେ ତଥା ସାରା ବିଶ୍ୱରେ ଜୁଲାଇ ୧୬ ତାରିଖରେ ହିଁ ରଥଯାତ୍ରା ପାଳନ ହେବ। ଏହା ଭିନ୍ନ ଅନ୍ୟ କୌଣସି ତିଥିରେ ଅଦିନିଆ ରଥଯାତ୍ରା କରିବା ଦ୍ୱାରା ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ହେଉଛି। ନିୟମ ବାହାରେ ଏଭଳି ରଥଯାତ୍ରା ଆୟୋଜନ କରିବା ଦ୍ବାରା ଶ୍ରୀଜଗନ୍ନାଥ ସଂସ୍କୃତି ଓ ଶାସ୍ତ୍ରୀୟ ପରମ୍ପରାର ମର୍ଯ୍ୟାଦା କ୍ଷୁଣ୍ଣ ହେବା ସହ ଅପପ୍ରସାର ହେଉଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ମଧ୍ୟ ଏହି ଘଟଣା ଉପରେ ଗଭୀର ଉଦ୍ବେଗ ପ୍ରକାଶ କରି ଅଦିନିଆ ରଥଯାତ୍ରାକୁ ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ, ପୁରୀ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ମନ୍ଦିର ପରିଚାଳନା କମିଟି ଦ୍ୱାରା ଗୃହୀତ ସଂକଳ୍ପ ଅନୁସାରେ ପୂର୍ବରୁ ମଧ୍ୟ ଅନେକବାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଦିନିଆ ରଥଯାତ୍ରାକୁ ବିରୋଧ କରାଯାଇଛି। ଆଗକୁ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଳ ଶାସ୍ତ୍ରୀୟ ପରମ୍ପରାର ସୁରକ୍ଷା ପାଇଁ ପ୍ରଶାସନ ସଦା ତତ୍ପର ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ବିଦେଶରେ ଅ-ତିଥି ରଥଯାତ୍ରା କରିବାକୁ ଅଟଳ ରହିଥିଲା ଇସ୍କନ୍
ଇସ୍କନ୍ ବାରମ୍ବାର ଅ-ତିଥିରେ ରଥଯାତ୍ରା ଆୟୋଜନ କରିବା ଯୋଗୁଁ ଗଜପତି ମହାରାଜ ଦିବ୍ୟସିଂହ ଦେବ ସ୍ବର ଉଠାଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏଥିରେ ହସ୍ତକ୍ଷେପ କରିବା ସହ ଚିଠି କରିଥିଲା। ୨୦୨୪ ମସିହା ଡିସେମ୍ବରରେ ତତ୍କାଳୀନ ଜିବିସି ଅଧ୍ୟକ୍ଷ ଗୁରୁପ୍ରସାଦ ସ୍ବାମୀ ମହାରାଜ ଉଭୟ ପକ୍ଷର ବିଦ୍ବାନଙ୍କୁ ନେଇ ଏକ ଆଲୋଚନାର ପ୍ରସ୍ତାବ ରଖିଥିଲେ। ଏହି ଆଧାରରେ ଭୁବନେଶ୍ବରରେ ୨୦୨୫ ମାର୍ଚ୍ଚ ୨୦ ତାରିଖରେ ବୈଠକ ଆୟୋଜନ କରାଗଲା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ବିଦ୍ବାନ ମଣ୍ଡଳୀ ଶାସ୍ତ୍ରୀୟ ପ୍ରମାଣ ଓ ପ୍ରାଚୀନ ବିଧି ପରମ୍ପରାର ରେକର୍ଡ ସହ ନିଜର ମତ ରଖିଲେ। ଇସ୍କନ ବିଦ୍ବାନମାନେ ମଧ୍ୟ ନିଜର ଯୁକ୍ତି ରଖିଥିଲେ। ଦେଶ, କାଳ, ପାତ୍ର ଭିତ୍ତିରେ ବିଦେଶରେ ନିର୍ଦ୍ଦିଷ୍ଟ ତିଥିରେ ରଥଯାତ୍ରା ଆୟୋଜନ ସମ୍ଭବ ନୁହେଁ ବୋଲି କହିଲେ। ଶାସ୍ତ୍ରରେ ସ୍ବୟଂ ମହାପ୍ରଭୁ ମହର୍ଷି ବେଦବ୍ୟାସଙ୍କ ମାଧ୍ୟମରେ ନିଜର ରଥଯାତ୍ରା ଆୟୋଜନର ନିର୍ଦ୍ଦିଷ୍ଟ ତିଥି ନିରୂପଣ କରିଥିବା କଥା ଯୁକ୍ତିରେ ଦର୍ଶାଯିବା ସତ୍ତ୍ବେ ଏଥିରେ ଇସ୍କନ୍ ବିଦ୍ବାନମାନେ ସହମତି ପ୍ରକାଶ କଲେ ନାହିଁ। ଇସ୍କନ ବିଦ୍ବାନଙ୍କ ମତାମତକୁ ଶ୍ରୀମନ୍ଦିର ପ୍ରଶାସନ ନିୟୋଜିତ ବିଦ୍ବାନମାନେ ଖଣ୍ଡନ କଲେ। ବୈଠକ ପରେ ଏକ ଚିଠା ପ୍ରସ୍ତୁତ କରାଗଲା। ସମସ୍ତ ଶାସ୍ତ୍ରୀୟ ନିର୍ଦ୍ଦେଶନାମା, ମହାପ୍ରଭୁଙ୍କ ରଥଯାତ୍ରାର ପ୍ରାଚୀନତା, ପୁରାଣ ଶାସ୍ତ୍ରର ବର୍ଣ୍ଣନା ସବୁକୁ ଚିଠାରେ ସଂଯୋଗ କରି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅନୁମୋଦନ ପାଇଁ ପଠାଗଲା। ତତ୍କାଳୀନ ଜିବିସି ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସ ପ୍ରଭୁଙ୍କୁ ସେପ୍ଟେମ୍ବର ୬ ତାରିଖରେ ସମସ୍ତ ରେକର୍ଡ ସହ ଚିଠି କରାଗଲା। ଅକ୍ଟୋବର ୧୯ ତାରିଖରେ ସେ ଚିଠି ଲେଖି ଅବଗତ କଲେ ଯେ କେବଳ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ସମଗ୍ର ବିଶ୍ବର ସମସ୍ତ ଇସ୍କନ ମନ୍ଦିର ସ୍ନାନଯାତ୍ରା ଆୟୋଜନ କରିବେ। ଭାରତ ଭିତରେ ସମସ୍ତ ଇସ୍କନ୍ ମନ୍ଦିର ମୂଳପୀଠର ପାଳନ ମୁତାବକ ରଥଯାତ୍ରା ଆୟୋଜନ କରିବ। ମାତ୍ର ଦେଶ ବାହାରେ ଇସ୍କନ୍ ନିର୍ଦ୍ଧାରିତ ତିଥି ଓ ନଅଦିନ ମଧ୍ୟରେ ରଥଯାତ୍ରା ଆୟୋଜନ କରିବା ସମ୍ଭବ ନୁହେଁ, ବରଂ ବିଗତ ବର୍ଷମାନଙ୍କରେ ଯେପରି ଭିନ୍ନ ଭିନ୍ନ ତାରିଖରେ ରଥଯାତ୍ରା ପାଳନ କରୁଥିଲେ ସେମାନେ ସେହିପରି ନିଜର ରଥଯାତ୍ରା ଉତ୍ସବ ଆୟୋଜନ ଜାରି ରଖିବେ।
Neglect: ରଗଡ଼ା ପନାସିଆରେ ପାନୀୟଜଳ ସଂକଟ: ୨ ନଳକୂଅ ଉପରେ ନିର୍ଭର ୧୨୦ ପରିବାର
ଇସ୍କନ୍ର ଯୁକ୍ତି, ଶ୍ରୀଜଗନ୍ନାଥ ସଂସ୍କୃତି ବିଦ୍ବାନଙ୍କ ଖଣ୍ଡନ
ଦେଶ-କାଳ-ପାତ୍ର ଭିତ୍ତିରେ ରଥଯାତ୍ରା ପାଳନ କରିବାକୁ ପଡ଼ିବ ବୋଲି ଇସ୍କନ୍ ଯୁକ୍ତି ଦର୍ଶାଇ ଆସିଛି। ବିରୋଧ ସତ୍ତ୍ବେ ମଧ୍ୟ ବିଦେଶରେ ଏହି ନିୟମକୁ ଅନୁସରଣ କରିଆସୁଛନ୍ତି ଇସ୍କନ କର୍ତ୍ତୃପକ୍ଷ। ଇସ୍କନ ରଖିଥିବା କେତେକ ଯୁକ୍ତିର ଜବାବ ରଖି ଖଣ୍ଡନ କରିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ବିଦ୍ବାନ।
ଇସ୍କନ୍ ଯୁକ୍ତି ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକା, ଦକ୍ଷିଣ ଆଫ୍ରିକା ଆଦି ଦେଶମାନଙ୍କରେ ଜାନୁଆରିରେ ଗ୍ରୀଷ୍ମ ସମୟ ଚାଲିଥିବାରୁ ସେଇ ସମୟରେ ହିଁ ରଥଯାତ୍ରା ଆୟୋଜନ କରାଯାଉଛି। ଶାସ୍ତ୍ର ସମ୍ମତ ଜୁନ-ଜୁଲାଇ ମାସ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତ ପଡ଼ିଥିବାରୁ ଏହି ସମୟରେ ସେଠାରେ ରଥଯାତ୍ରା ଆୟୋଜନ କଷ୍ଟଦାୟକ।
ଶ୍ରୀମନ୍ଦିର ପ୍ରଶାସନର ଜବାବ: ତତ୍କାଳୀନ ପରିବେଶର ସ୍ଥିତିର ଦ୍ବାହି ଦେଇ ଶାସ୍ତ୍ର ନିର୍ଦ୍ଦେଶିତ ମତାଧାରକୁ ଅବମାନନା କରି ଅ-ତିଥିରେ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ଯୁକ୍ତିଯୁକ୍ତ ନୁହେଁ। ପୁରୀରେ ରଥଯାତ୍ରା ଆୟୋଜନ ସମୟରେ ପ୍ରବଳ ଖରା କିମ୍ବା ବର୍ଷା ହୋଇଥାଏ। ନଚେତ ପ୍ରବଳ ଗୁଳୁଗୁଳି ହୋଇଥାଏ। କିନ୍ତୁ ଋତୁ ଭିତ୍ତିକ ପ୍ରଭାବ ଯୋଗୁଁ କେବେ ରଥଯାତ୍ରାକୁ ଅନୁକୂଳ ଋତୁରେ ଆୟୋଜନ କରାଯାଏ ନାହିଁ। ଇସ୍କନ ମଧ୍ୟ ଦକ୍ଷିଣ ଗୋଲାର୍ଦ୍ଧରେ ଅନେକ ସ୍ଥାନରେ ଶୀତଦିନେ ରଥଯାତ୍ରା ଆୟୋଜନ କରିଆସୁଛି। ତେଣୁ ପରିବେଶ ଗତ ପ୍ରଭାବକୁ ଗୁରୁତ୍ବ ଦେଇ ଶାସ୍ତ୍ରକୁ ଜଳାଞ୍ଜଳି ଦେବା ଆଦୌ ଗ୍ରହଣୀୟ ନୁହେଁ।
ଇସ୍କନ୍ ଯୁକ୍ତି କିଛି ଦେଶରେ ରଥଯାତ୍ରା କେବଳ ରବିବାର ଦିନ ଆୟୋଜନ କରିବା ହିଁ ସମ୍ଭବ। ଯଦି ରବିବାର କୌଣସି ଉତ୍ସବ ଥାଏ, ତେବେ ରଥଯାତ୍ରା ପରବର୍ତ୍ତୀ ରବିବାରକୁ ଘୁଞ୍ଚାଯାଏ। ତେଣୁ ତିଥିକୁ ଗୁରୁତ୍ବ ଦେବା ସମ୍ଭବ ନୁହେଁ।
ଶ୍ରୀମନ୍ଦିର ପ୍ରଶାସନର ଜବାବ: ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରୁ ଆରମ୍ଭ ହେଉଥିବା ରଥଯାତ୍ରା ହେଉଛି ନବଦିନ ବ୍ୟାପୀ ଯାତ୍ରା। ଏହି ୯ ଦିନ ମଧ୍ୟରେ ଗୋଟିଏ ରବିବାର ନିଶ୍ଚିତ ପଡ଼େ। ପଡ଼ୁଥିବା ରବିବାର ରଥଯାତ୍ରା ଆୟୋଜନ କରିପାରିବେ।
ଇସ୍କନ୍ ଯୁକ୍ତି ଏକା ସମୟରେ ଭିନ୍ନଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ ଯୋଗୁଁ ଆଖପାଖ ଅଞ୍ଚଳର ଲୋକେ ଅନ୍ୟ ଜାଗାକୁ ଯାଇପାରନ୍ତି ନାହିଁ। ଅନ୍ୟ ଦିନରେ ରଥଯାତ୍ରା ହେଲେ ପ୍ରତିଯୋଗିତା ମୂଳକ ମନୋଭାବ ରହେ ନାହିଁ।
ଶ୍ରୀମନ୍ଦିର ପ୍ରଶାସନର ଜବାବ: ଆଖପାଖର ଭକ୍ତମାନେ ସାମିଲ ହେବା ଉଦ୍ଦେଶ୍ୟ ନେଇ ରଥଯାତ୍ରା ଆୟୋଜନ ହୋଇ ନଥାଏ। ବରଂ ମହାପ୍ରଭୁ ସ୍ବୟଂ ନିଜର ରଥଚଳା କେବେ ହେବ ସେନେଇ ନିର୍ଦ୍ଦେଶ ଦେଇଥିବାରୁ, ମହାପ୍ରଭୁଙ୍କ ନିର୍ଦ୍ଦେଶ ପରିପାଳନ ପ୍ରଥମ ପ୍ରାଧାନ୍ୟ। ଏହି ସମୟରେ ଭାରତ ବର୍ଷରେ ବହୁ ସ୍ଥାନରେ ରଥଯାତ୍ରା ଆୟୋଜନ ହୁଏ। ଏହାର ଅର୍ଥ ନୁହେଁ ଭିନ୍ନଭିନ୍ନ ସ୍ଥାନରେ ଆୟୋଜନ ଦ୍ବାରା ଗୁରୁତ୍ବ ହ୍ରାସ ପାଇବ।

3 weeks ago
11


