Iran US War: ଆମେରିକା ଭୟଙ୍କର ଆକ୍ରମଣ ଜାରି: ଇରାନରେ ୭ ମୃତ

2 weeks ago 9
ARTICLE AD BOX

ତେହେରାନ: ଲଗାତାର ଷଷ୍ଠ ଦିନ ପାଇଁ ଆମେରିକା ଓ ଇରାନ ପରସ୍ପର ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି। ଆମେରିକା ଗୁରୁବାର ରାତିରେ ଇରାନର ପାଞ୍ଚଟି ସେତୁ, ଗୋଟିଏ ରେଳ ଷ୍ଟେସନ ଓ ବିମାନବନ୍ଦର ଉପରେ ତୀବ୍ର ଆକ୍ରମଣ କରିଛି ଯେଉଁଥିରେ ତେହେରାନର ୭ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି। ହର୍ମୁଜ୍ ପ୍ରଣାଳୀରେ ତେହେରାନର କବ୍ଜା ହ୍ରାସ କରିବା ପାଇଁ ଚାପ ପକାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଆମେରିକା ସେନାବାହିନୀ ପକ୍ଷରୁ ଏହି ତୀବ୍ର ଆକ୍ରମଣ ଜାରି ରହିଛି। ଜବାବରେ ଇରାନ ମଧ୍ୟପ୍ରାଚ୍ୟରେ ଆମେରିକାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ଉପରେ ଜୋରଦାର ଆକ୍ରମଣ କରିଛି। ନୂତନ କ୍ଷେପଣାସ୍ତ୍ରରେ ଆକ୍ରମଣ କରିବା ସହିତ ଆହୁରି ଜୋରଦାର ଆକ୍ରମଣ କରିବ ବୋଲି ଚେତାବନୀ ଦେଇଛି। ତେହେରାନ ପଡ଼ୋଶୀ ଦେଶଗୁଡ଼ିକରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ନିକ୍ଷେପ କରିଛି। ତେହେରାନ ଟାର୍ଗେଟରେ ଜୋର୍ଡାନରେ ନିକଟରେ ସମ୍ପ୍ରସାରିତ ଏକ ବାୟୁସେନା ଘାଟି ମଧ୍ୟ ସାମିଲ ରହିଛି।

Nitish Kaushal: ଆମେରିକାରେ ଗ୍ୟାଙ୍ଗଷ୍ଟର ନିତୀଶ କୌଶଳ ଗିରଫ

ଇରାନର ଘନ ଘନ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁ କତର ଏହାର ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଛି। ଇରାନର ଡ୍ରୋନ୍‌ ଆକ୍ରମଣରେ କତରରେ ଜଣେ ଶିଶୁ ଆହତ ହୋଇଛି। ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ କତର ପାକିସ୍ତାନ ସହିତ ମିଶି ମଧ୍ୟସ୍ଥତା କରୁଛି। କିନ୍ତୁ ହର୍ମୁଜ ପ୍ରଣାଳୀକୁ ନିୟନ୍ତ୍ରଣରେ ରଖିବା ପରେ ଆମେରିକା ସହିତ ଶାନ୍ତି ଆଲୋଚନା ବିଫଳ ହୋଇଛି। ଇରାନରେ ବିଭିନ୍ନ ସେତୁ ଉପରେ ଆମେରିକାର ଆକ୍ରମଣ ପରେ ତେହେରାନ ବାହାରିନ୍‌, କୁଏତ୍‌ ଉପରେ ଆକ୍ରମଣ କରିଛି। ଇରାନରେ ଦକ୍ଷିଣ ଉପକୂଳବର୍ତ୍ତୀ ସହର ଓ ଦ୍ୱୀପପୁଞ୍ଜଗୁଡ଼ିକ ଆମେରିକା ଆକ୍ରମଣର ଶିକାର ହୋଇଛନ୍ତି। ଆହଭାଜ, କ୍ୱେଶମ୍, ବୁଶେହର, ଦାସ୍ତି, ବୋସ୍ତାନ, ସିରିକ୍ ଓ ବନ୍ଦର-ଏ ଲେଙ୍ଗେହରେ ବିସ୍ଫୋରଣ ଘଟିଥିବା ରିପୋର୍ଟ ହୋଇଛି। ପୂର୍ବ ରାତି ଅପେକ୍ଷା ଗତକାଲି ରାତିରେ ହୋଇଥିବା‌ ଆକ୍ରମଣ ଭିତ୍ତିଭୂମିକୁ ଅଧିକ କ୍ଷତି ପହଞ୍ଚାଇଛି। ବନ୍ଦର-ଏ-ଖାମିରରେ ତିନୋଟି ସେତୁ କ୍ଷତିଗ୍ରସ୍ତ ହୋଇଥିବାବେ‌ଳେ ବନ୍ଦର ଆବାସ, ତାପେହ ଆଲ୍ଲାହ ଆକବର ଓ ଅନ୍ୟ ସ୍ଥାନ ଉପରେ ଆମେରିକା ଜୋରଦାର ଆକ୍ରମଣ କରିଛି।

ଅସ୍ଥାୟୀ ବିଦ୍ୟୁତ୍ ବିଚ୍ଛିନ୍ନ

ଇରାନର ସରକାରୀ ଟେଲିଭିଜନ ରିପୋର୍ଟ ଅନୁଯାୟୀ, ହୋର୍ମଜଗାନ୍ ପ୍ରଦେଶରେ ରାସ୍ତା ଓ ରେଳ ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ଅତି କମରେ ସାତ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଇରାନସର୍‌ରେ ଏକ ବିମାନବନ୍ଦର ଉପରେ ଆକ୍ରମଣ କରାଯାଇଥିଲା ଫଳରେ ବ୍ୟାପକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି ଓ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଛି। ଅଲ୍ ଜାଜିରା ରିପୋର୍ଟ ଅନୁଯାୟୀ, କିଶ୍ ଦ୍ୱୀପରେ ଆକାଶମାର୍ଗରୁ ଆକ୍ରମଣ ପରେ କେତେକ ଅଞ୍ଚଳରେ ଅସ୍ଥାୟୀ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଥିଲା। ଆମେରିକାର ସେ‌ଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି ଯେ, ଆମେରିକାର ଲଢ଼ୁଆ ବିମାନ, ଡ୍ରୋନ୍‌ ଓ ଯୁଦ୍ଧ ଜାହାଜ ଇରାନର ବିଭିନ୍ନ ସାମରିକ ପ୍ରତିଷ୍ଠାନ, ଉପକୂଳ ସର୍ଭେଲାନ୍ସ ଓ ବାୟୁ ପ୍ରତିରକ୍ଷାସ୍ଥଳ, ସାମରିକ ଲଜି‌ଷ୍ଟିକ୍‌ ଭିତ୍ତିଭୂମି ଓ ସାମରିକ କ୍ଷମତାକୁ ଟାର୍ଗେଟ କରିଛି। ମଧ୍ୟପ୍ରାଚ୍ୟରେ ୫୦,୦୦୦ରୁ ଅଧିକ ଆମେରିକୀୟ ସେନା କାର୍ଯ୍ୟ କରୁଛନ୍ତି। ସଦ୍ୟ ଆକ୍ରମଣ ଗତମାସ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ଭଙ୍ଗ କରିଛି। ହର୍ମୁଜ ପ୍ରଣାଳୀକୁ ନିୟନ୍ତ୍ରଣରେ ରଖିବାକୁ ଦୁଇ ଦେଶ ମଧ୍ୟରେ ତୀବ୍ର ସଂଘର୍ଷ ଚାଲିଥିବାବେଳେ ଇତିମଧ୍ୟରେ ଆମେରିକା ଆକ୍ରମଣରେ ଇରାନରେ ୪୦ ଜଣରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି ଓ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ଇରାନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଫେବ୍ରୁଆରି ୨୮ ଆକ୍ରମଣ ପରେ ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଇଥିଲା। ଅନ୍ୟପକ୍ଷରେ ଇରାନ ଆମେରିକା ସହଯୋଗୀ ଦେଶମାନଙ୍କ ଉପରେ ଆକ୍ରମଣ କରିବା ସହିତ ନିଜର ସହଯୋଗୀ ୟେମେନ ହୁତି ବିଦ୍ରୋହୀଙ୍କୁ ଲୋହିତ ସାଗର ତୈଳ ମାର୍ଗ ବନ୍ଦ କରିବାକୁ ପ୍ରସ୍ତୁତ ରହିବାକୁ କହିଥିବା ରଏଟର୍ସ ବିଭିନ୍ନ ସୂତ୍ରରୁ ପ୍ରକାଶ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.