ARTICLE AD BOX
ନୂଆଦିଲ୍ଲୀ: ଭାରତର ଅର୍ଥନୀତି ଆଗକୁ ବଢ଼ୁଛି। ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତର ଅର୍ଥନୀତି ଆମେରିକାକୁ ଟପିଯିବା ସହ ବିଶ୍ବର ଦ୍ବିତୀୟ ବୃହତ୍ ଅର୍ଥନୀତି ହେବ ବୋଲି ଆମେରିକାର ଜଣାଶୁଣା ଅର୍ଥନୀତିଜ୍ଞ ତଥା କଲମ୍ବିଆ ବିଶ୍ବବିଦ୍ୟାଳୟର ପ୍ରଫେସର ଜେଫ୍ରି ସାକ୍ସ କହିଛନ୍ତି। କେବଳ ସେତିକି ନୁହେଁ ବିଶ୍ବ ଅର୍ଥନୀତିର କେନ୍ଦ୍ର ପୁଣି ଥରେ ଏସିଆକୁ ଆସିବ ବୋଲି ସେ ମତ ଦେଇଛନ୍ତି।
ଭାରତ ଓ ଚୀନ ମଧ୍ୟରେ ଦୃଢ଼ ସମ୍ପର୍କ ସ୍ଥାପନ ପାଇଁ ଅନେକ ଦିନ ହେଲା ଯୁକ୍ତି ବାଢ଼ି ଆସୁଥିବା ସାକ୍ସ କହିଛନ୍ତି ଯେ ଏସିଆର ଏହି ଦୁଇ ଅର୍ଥନୀତି ୨୫ ବର୍ଷରୁ କମ୍ ସମୟ ମଧ୍ୟରେ ବିଶ୍ବର ଦୁଇଟି ବୃହତ୍ ଅର୍ଥନୀତିରେ ପରିଣତ ହେବେ ଏବଂ ଆମେରିକା ଅର୍ଥନୀତି ତୃତୀୟ ସ୍ଥାନକୁ ଖସିଯିବ। ଏପରିକି ଚଳିତ ଶତାବ୍ଦୀରେ ଭାରତ ବିଶ୍ବର ସବୁଠୁ ବଡ଼ ଅର୍ଥନୀତିରେ ମଧ୍ୟ ପରିଣତ ହେବ ବୋଲି ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି।
ଆହୁରି ପଢନ୍ତୁ: Afg vs Ind T20I: ଆଫଗାନିସ୍ତାନ ବିପକ୍ଷରେ ଭାରତର ସହଜ ବିଜୟ, ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ
ଭାରତ ଅନ୍ୟ ପ୍ରମୁଖ ଅର୍ଥନୀତି ତୁଳନାରେ ଅଧିକ ବେଗରେ ଆଗକୁ ବଢ଼ୁଛି। ଚୀନ ସହିତ ଅଧିକ ଅର୍ଥନୈତିକ ଓ ପ୍ରଯୁକ୍ତିଗତ ସମ୍ପର୍କ ସ୍ଥାପନ ଜରିଆରେ ଭାରତ ଏହାର ଅଭିବୃଦ୍ଧି ହାରକୁ ଆହୁରି ଅଧିକ ତ୍ବରାନ୍ବିତ କରିପାରିବ। ଚୀନ ତୁଳନାରେ ଭାରତର ଜନସାଂଖ୍ୟିକ ଲାଭ ସଂପର୍କରେ ମଧ୍ୟ ସେ ଅବତାରଣା କରିଛନ୍ତି। ଭାରତର ଜନସଂଖ୍ୟା ୧୫୦ କୋଟି ପାଖାପାଖି ଥିବାବେଳେ ଚୀନର ଜନସଂଖ୍ୟା ପ୍ରାୟ ୧୪୦ କୋଟି ପାଖାପାଖି ରହିଛି। ଚୀନର ଲୋକସଂଖ୍ୟା କମୁଥିବାବେଳେ ଭାରତର ଲୋକସଂଖ୍ୟା ବଢ଼ୁଛି।
ଆହୁରି ପଢନ୍ତୁ: Gateball dispute: ଆଇଜିୟୁ ନାମ, ଲୋଗୋ ବ୍ୟବହାର ଉପରେ ନିଷେଧ୍ୟାଜ୍ଞା
ଭାରତ ଓ ଚୀନର ସମ୍ପର୍କକୁ ସେ ବିଶ୍ବରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ସଂପର୍କ ଆଖ୍ୟା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ବିଶ୍ବ ପାଇଁ ସୁଦୂରପ୍ରସାରୀ ପ୍ରଭାବ ରଖିଛି। ସୀମା ବିବାଦ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଖରାପ କରିଥିବା ବିଷୟକୁ ସେ ସ୍ବୀକାର କରିଛନ୍ତି। କିନ୍ତୁ ସେ ଏହା ମଧ୍ୟ ଯୁକ୍ତି ରଖିଛନ୍ତି ଚୀନ ଓ ଭାରତ ପରସ୍ପର ପାଇଁ ଲୋଡ଼ା। ସମ୍ପର୍କ ଭଲ ହେଲେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗିତା ବଢ଼ିବ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ ହେଲେ ଚୀନ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ସମ୍ପର୍କକୁ ନେଇ ନୂଆଦିଲ୍ଲୀର ଯେଉଁ ଚିନ୍ତା ରହିଛି ତାହା କମିବ। ତାଙ୍କ ମତରେ ୪ଟି ସୁପର ପାୱାର ହେଉଛନ୍ତି ଆମେରିକା, ରୁଷ୍, ଭାରତ ଓ ଚୀନ ଏବଂ ସେମାନଙ୍କୁ ପରସ୍ପର ସହିତ ମିଶିବାକୁ ହେବ। ଦୀର୍ଘ ୨୦୦୦ ବର୍ଷ ଧରି ଏସିଆ ବିଶ୍ବ ଅର୍ଥନୀତିର କେନ୍ଦ୍ର ଭାବେ ରହିଥିଲା, ଅଷ୍ଟାଦଶ ଶତାବ୍ଦୀ ପରେ କିଛି ସମୟ ପାଇଁ ଏହା ପଳାଇଥିଲାବେଳେ ତାହା ପୁଣି ଏସିଆକୁ ଫେରିଛି ବୋଲି ସାକ୍ସ କହିଛନ୍ତି।

4 days ago
4


