ARTICLE AD BOX
ଚେନ୍ନାଇ: ମାଡ୍ରାସ ଓ କଲିକାତା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ସି.ଏସ୍. କର୍ଣ୍ଣନଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।
୧୯୫୫ ମସିହା ଜୁନ୍ ୧୨ରେ ତାମିଲନାଡୁର କୁଡ୍ଡାଲୋର ଜିଲ୍ଲା ଅନ୍ତର୍ଗତ କର୍ଣ୍ଣାଥମ୍ ଗ୍ରାମରେ ଜଷ୍ଟିସ୍ କର୍ଣ୍ଣନଙ୍କ ଜନ୍ମ ହୋଇଥିଲା। ତାଙ୍କର ପ୍ରଥମ ନାମ କରୁଣାନିଧି ଥିଲା। ୧୯୮୩ରେ ମାଡ୍ରାସ ଲ’ କଲେଜରୁ ଆଇନ ଶିକ୍ଷା ଶେଷ କରିବା ପରେ ସେ ଓକିଲାତି ଆରମ୍ଭ କରିଥିଲେ। ପରେ ପତ୍ନୀ ସରସ୍ୱତୀଙ୍କ ଇଚ୍ଛା ଅନୁଯାୟୀ ୧୯୯୧ରେ ନିଜ ନାମ ପରିବର୍ତ୍ତନ କରି କର୍ଣ୍ଣନ ରଖିଥିଲେ। ଦୀର୍ଘ ବର୍ଷ ଓକିଲାତି କରିବା ପରେ ୨୦୦୯ ମାର୍ଚ୍ଚରେ ସେ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ନିଯୁକ୍ତ ହୋଇଥିଲେ। ୨୦୧୧ ମାର୍ଚ୍ଚରେ ସ୍ଥାୟୀ ବିଚାରପତି ହୋଇଥିଲେ। ୨୦୧୬ ମାର୍ଚ୍ଚରେ ତାଙ୍କୁ କଲିକାତା ହାଇକୋର୍ଟକୁ ବଦଳି କରାଯାଇଥିଲା। ୨୦୧୭ ଜୁନ୍ ୨୧ରେ ସେ ଅବସର ଗ୍ରହଣ କରିଥିଲେ।
ତେବେ ବିଚାରପତି ଥିବା ସମୟରେ ସୁପ୍ରିମ୍କୋର୍ଟ ସହ ତାଙ୍କର ବିବାଦ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ସେ ସୁପ୍ରିମ୍କୋର୍ଟ ଓ ବିଭିନ୍ନ ହାଇକୋର୍ଟର ବିଚାରପତିଙ୍କ ବିରୋଧରେ ଦୁର୍ନୀତି ଓ ଜାତିଗତ ପାତରଅନ୍ତର ଅଭିଯୋଗ ଆଣିଥିଲେ। ୨୦୧୭ରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍ ଜେ.ଏସ୍. ଖେହରଙ୍କ ନେତୃତ୍ୱରେ ସୁପ୍ରିମ୍କୋର୍ଟର ସାତଜଣିଆ ଖଣ୍ଡପୀଠ ତାଙ୍କ ବିରୋଧରେ କୋର୍ଟ ଅବମାନନା ମାମଲାର ବିଚାର କରିଥିଲେ। ଏହି ଖଣ୍ଡପୀଠ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଛଅ ମାସ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ଭାରତରେ କାର୍ଯ୍ୟରତ ଅବସ୍ଥାରେ ଜେଲ୍ ଦଣ୍ଡ ପାଇଥିବା ପ୍ରଥମ ହାଇକୋର୍ଟ ବିଚାରପତି ଭାବେ ସେ ଇତିହାସରେ ସ୍ଥାନ ପାଇଥିଲେ।
ସୁପ୍ରିମ୍କୋର୍ଟର ନିର୍ଦ୍ଦେଶ ପରେ ତାଙ୍କୁ ଗିରଫ କରିବା ପାଇଁ ପୁଲିସ ଖୋଜିଥିଲା। ଏକ ମାସରୁ ଅଧିକ ସମୟ ଧରି ସେ ଗିରଫଦାରି ଏଡ଼ାଇବା ପରେ ୨୦୧୭ ଜୁନ୍ରେ କୋଏମ୍ବାଟୁରରୁ ଗିରଫ ହୋଇଥିଲେ। ଛଅ ମାସର ଦଣ୍ଡ ଭୋଗିବା ପରେ ସେହି ବର୍ଷ ଡିସେମ୍ବରରେ ମୁକ୍ତ ହୋଇଥିଲେ। ୨୦୨୦ରେ ବିଚାରପତି ଓ ସେମାନଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଓ ଧମକ ଦେବା ସମ୍ପର୍କିତ ଭିଡିଓ ପ୍ରସାରିତ ହେବା ପରେ ତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଥିଲା। ତାଙ୍କ ମୃତ୍ୟୁ ସହ ଭାରତୀୟ ନ୍ୟାୟିକ ଇତିହାସର ଏକ ବିବାଦୀୟ ଅଧ୍ୟାୟର ଅବସାନ ଘଟିଛି।

1 hour ago
4


