ARTICLE AD BOX
ହୃଦୟ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଆମ ଶରୀରରେ ରକ୍ତ ସଞ୍ଚାଳନ କରିବା ସହ ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ଓ ପୋଷକ ତତ୍ତ୍ୱ ଯୋଗାଇଥାଏ। ତେବେ ଆମର ଦୈନନ୍ଦିନ ଛୋଟ ଛୋଟ ଅଭ୍ୟାସ ହିଁ ଆମ ହୃଦୟର ସ୍ୱାସ୍ଥ୍ୟ ନିର୍ଦ୍ଧାରଣ କରିଥାଏ। ବିଶେଷ କରି ସକାଳର ସମୟ ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନେକ ସମୟରେ ଆମେ ଅଜାଣତରେ ସକାଳୁ ଏପରି କିଛି ଅଭ୍ୟାସ ଆପଣାଇଥାଉ, ଯାହା ଧୀରେ ଧୀରେ ଆମ ହୃଦୟକୁ ଦୁର୍ବଳ କରିଦିଏ।
ଆହୁରି ପଢ଼ନ୍ତୁ: ନିର୍ବାଚନ କମିସନଙ୍କ ଉପରେ ବର୍ଷିଲେ ଶଶି ଥରୁର
ଇଏଚ୍ସିସି ହସପିଟାଲର ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଅଜିତ୍ ବାନା ସକାଳର ୫ଟି ଏପରି ସାଧାରଣ ଅଭ୍ୟାସ ବିଷୟରେ ଚେତାବନୀ ଦେଇଛନ୍ତି, ଯାହାଠାରୁ ଦୂରେଇ ରହିବା ଜରୁରୀ:
୧. ସକାଳୁ ଉଠି ଚା’ ସହ ସିଗାରେଟ୍ ପିଇବା
ଅନେକ ଲୋକ ସକାଳୁ ଉଠି ଚା’ କିମ୍ବା କଫି ସହ ସିଗାରେଟ୍ ଟାଣିବାକୁ ପସନ୍ଦ କରନ୍ତି। ଧୂମପାନ ରକ୍ତବାହୀ ନଳୀକୁ କ୍ଷତିପହଞ୍ଚାଏ, ରକ୍ତ ନଳୀରେ ମଳ ଜମିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ ଓ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ବଢ଼ାଇଥାଏ। ଦିନକୁ ୫ଟିରୁ କମ୍ ସିଗାରେଟ୍ ପିଉଥିଲେ ମଧ୍ୟ ହୃଦ୍ରୋଗର ଲକ୍ଷଣ ଦେଖାଦେଇପାରେ। ତେଣୁ ସକାଳୁ ଧୂମପାନ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ।
୨. ଲୁଣିଆ ଓ ପ୍ରୋସେସ୍ଡ ଜଳଖିଆ ଖାଇବା
ସକାଳ ଜଳଖିଆରେ ପ୍ୟାକେଟ୍ ଖାଦ୍ୟ, ପ୍ରୋସେସ୍ଡ ମାଂସ, ଇନ୍ଷ୍ଟାଣ୍ଟ ନୁଡୁଲ୍ସ କିମ୍ବା ଅତ୍ୟଧିକ ଲୁଣିଆ ସ୍ନାକ୍ସ ଖାଇବା ହୃଦୟ ପାଇଁ ଆଦୌ ଭଲ ନୁହେଁ। ଏହିସବୁ ଖାଦ୍ୟରେ ଅତ୍ୟଧିକ ପରିମାଣର ସୋଡିୟମ୍ (ଲୁଣ) ଥାଏ, ଯାହା ରକ୍ତଚାପ ବଢ଼ାଇଥାଏ। ଏହାସହ ଏଥିରେ ଥିବା ସାଚୁରେଟେଡ୍ ଫ୍ୟାଟ୍ ହୃଦ୍ରୋଗର ଆଶଙ୍କା ବଢ଼ାଏ। ଜଳଖିଆରେ ଗଜା ବୁଟ-ମୁଗ, ଓଟ୍ସ, ତାଜା ଫଳ, ପନିପରିବା ଏବଂ ପ୍ରୋଟିନ୍ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ।
୩. ଚା' କିମ୍ବା କଫିରେ ଅତ୍ୟଧିକ ଚିନି ମିଶାଇବା
ସକାଳର ଚା’ କିମ୍ବା କଫିକୁ ଅଧିକ ମିଠା କରି ପିଇବାର ଅଭ୍ୟାସ ଶରୀର ପାଇଁ କ୍ଷତିକାରକ। ଚିନିଯୁକ୍ତ ପାନୀୟ ଶରୀରରେ କ୍ୟାଲୋରୀ ଓ ଓଜନ ବୃଦ୍ଧି କରେ। ଏହାଦ୍ୱାରା ମେଟାବୋଲିଜିମ୍ ପ୍ରଭାବିତ ହୁଏ, ଯାହା ଦୀର୍ଘମିଆଦୀ ଭାବେ ହୃଦୟ ଉପରେ ଚାପ ପକାଏ। ଚା’ କିମ୍ବା କଫିରେ ଚିନିର ପରିମାଣ ଧୀରେ ଧୀରେ କମାନ୍ତୁ ଓ ସକାଳୁ ସାଧାରଣ ପାଣି ପିଇବାକୁ ନିଜର ମୁଖ୍ୟ ଅଭ୍ୟାସ କରନ୍ତୁ।
୪. ସକାଳୁ ଉଠି ସିଧା ଚେୟାରରେ ବସି ରହିବା
ନିଦରୁ ଉଠିବା ପରେ କୌଣସି ଶାରୀରିକ ପରିଶ୍ରମ ନକରି ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି ରହିବା ହୃଦୟ ପାଇଁ ବିପଜ୍ଜନକ।
କ୍ଷତି: ଶାରୀରିକ ନିଷ୍କ୍ରିୟତା ହୃଦ୍ରୋଗର ଅନ୍ୟତମ ମୁଖ୍ୟ କାରଣ।
ସଠିକ୍ ଅଭ୍ୟାସ: ସକାଳୁ ଜିମ୍ ଯିବା ସବୁବେଳେ ସମ୍ଭବ ନହେଲେ ମଧ୍ୟ ଅତିକମ୍ରେ ୧୫-୨୦ ମିନିଟ୍ ଚାଲନ୍ତୁ, ହାଲୁକା ଷ୍ଟ୍ରେଚିଂ କରନ୍ତୁ କିମ୍ବା ଯୋଗ କରନ୍ତୁ। ଶରୀରକୁ ସକ୍ରିୟ ରଖିବା ଦ୍ୱାରା ରକ୍ତଚାପ ଓ କୋଲେଷ୍ଟ୍ରୋଲ୍ ନିୟନ୍ତ୍ରଣରେ ରହେ।
୫. ଔଷଧ ଖାଇବାରେ ଅବହେଳା କରିବା
ବ୍ୟସ୍ତତା କାରଣରୁ ଅନେକ ଲୋକ ସକାଳେ ଡାକ୍ତର ଦେଇଥିବା ଉଚ୍ଚ ରକ୍ତଚାପ କିମ୍ବା ହୃଦ୍ରୋଗ ଔଷଧ ଖାଇବାକୁ ଭୁଲିଯାନ୍ତି କିମ୍ବା ନିଜ ମନମୁତାବକ ସମୟ ବଦଳାନ୍ତି। ନିୟମିତ ଔଷଧ ନଖାଇବା ଦ୍ୱାରା ରକ୍ତଚାପ ଅନିୟନ୍ତ୍ରିତ ହୋଇଯାଏ, ଯାହା ହୃଦଘାତର ଆଶଙ୍କା ବଢ଼ାଇଦିଏ।
ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଜେଇଇ ବିନା ଆଇଆଇଟି-ଆଇଆଇଆଇଟିରେ ହୋଇପାରୁଛି ନାମଲେଖା!
ଅଧିକ ପଢ଼ନ୍ତୁ:

3 days ago
5


