ARTICLE AD BOX
ଭୁବନେଶ୍ୱର: ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ଡାକ୍ତରମାନେ ୩୨ ବର୍ଷୀୟା ସୁସ୍ମିତା ସେଠୀଙ୍କର ଏକ ବିରଳ ଓ ଅତ୍ୟନ୍ତ ଜଟିଳ ଓପନ୍-ହାର୍ଟ ସର୍ଜରୀ ସଫଳତାର ସହ କରିଛନ୍ତି। ରକ୍ତହୀନତା ଜନିତ ଆନୁବଂଶିକ ରୋଗ ସିକଲ୍ ସେଲ୍ ଆନେମିଆ (Sickle Cell Anemia) ଥିବା ସତ୍ତ୍ୱେ, ଡାକ୍ତରୀ ଟିମ୍ ତାଙ୍କର ଦୁଇଟି ଗମ୍ଭୀର ହୃଦ୍ରୋଗର ସଫଳ ଚିକିତ୍ସା କରି ତାଙ୍କୁ ନୂଆ ଜୀବନ ଦାନ କରିଛନ୍ତି। କାର୍ଡିଓଥୋରାସିକ୍ ଭାସ୍କୁଲାର ସର୍ଜରୀ (CTVS) ର ବରିଷ୍ଠ ପରାମର୍ଶଦାତା ଡାକ୍ତର ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବହୁମୁଖୀ ଡାକ୍ତରୀ ଦଳ ସଠିକ୍ ଯୋଜନା, ଅପରେସନ୍ ପୂର୍ବ ପ୍ରସ୍ତୁତି ଏବଂ ସମନ୍ୱିତ ଚିକିତ୍ସା ମାଧ୍ୟମରେ ଏହି ସଫଳତା ହାସଲ କରିଛନ୍ତି।
ମିସ୍ ସୁସ୍ମିତା ଗତ କିଛି ବର୍ଷ ଧରି ପ୍ରବଳ ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ସମୟ ସହିତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ବିଗିଡ଼ିଯାଇଥିଲା ଯେ ସେ ନିଜର ଦୈନନ୍ଦିନ କାମ କରିବାକୁ ବି କଷ୍ଟ ଅନୁଭବ କରୁଥିଲେ। ତାଙ୍କ ପାଦ ଓ ମୁହଁରେ ଫୁଲା ଆସିବା ସହ, ରାତିରେ ନିଶ୍ୱାସ ନେବାରେ କଷ୍ଟ ହେଉଥିଲା ଭଳି ଲାଗୁଥିଲା ଏବଂ ହୃଦ୍ରୋଗ ଯୋଗୁଁ ସେ କେତେକ ସମୟରେ ଅଚେତ ମଧ୍ୟ ହୋଇପଡ଼ୁଥିଲେ।
ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା
ମଣିପାଲ ହସ୍ପିଟାଲରେ ତାଙ୍କର ସମ୍ପୂର୍ଣ୍ଣ ହୃଦ୍ରୋଗ ପରୀକ୍ଷାରୁ ଜଣାପଡ଼ିଥିଲା ଯେ:
- ଆଟ୍ରିଆଲ୍ ସେପ୍ଟାଲ୍ ଡିଫେକ୍ଟ (ASD): ତାଙ୍କ ହୃଦୟରେ ଜନ୍ମଗତ ଭାବେ ଏକ ଛିଦ୍ର (ଗାତ) ଥିଲା
- ମାଇଟ୍ରାଲ୍ ଭାଲ୍ଭ ଲିକ୍ (Mitral Valve Leakage): ତାଙ୍କର ମାଇଟ୍ରାଲ୍ ଭାଲ୍ଭ୍ ଅତ୍ୟଧିକ ଲିକ୍ କରୁଥିଲା।
ଏହି ଦୁଇଟି କାରଣରୁ ତାଙ୍କ ହୃଦୟ ଏବଂ ଫୁସଫୁସ ଉପରେ ପ୍ରବଳ ଚାପ ପଡ଼ୁଥିଲା ଏବଂ ହାର୍ଟ ଫେଲ୍ୟୁଅର୍ର ଲକ୍ଷଣ ଦେଖାଦେଉଥିଲା। ତେଣୁ ଓପନ୍-ହାର୍ଟ ସର୍ଜରୀ କରି ହୃଦୟର ଛିଦ୍ରକୁ ବନ୍ଦ କରିବା ଏବଂ ନଷ୍ଟ ହୋଇଯାଇଥିବା ମାଇଟ୍ରାଲ୍ ଭାଲ୍ଭକୁ ବଦଳାଇବା (Replacement) ଜରୁରୀ ଥିଲା ସର୍ଜରୀ ପୂର୍ବରୁ ଜଣାପଡ଼ିଥିଲା ଯେ ରୋଗୀ ସିକଲ୍ ସେଲ୍ ଆନେମିଆ ରୋଗରେ ପୀଡ଼ିତ। ଏହି ରୋଗରେ ଲାଲ୍ ରକ୍ତ କଣିକାଗୁଡ଼ିକ ଧନୁଷାକାର ହେବା ପରିବର୍ତ୍ତେ ବଙ୍କା (କାତି ପରି) ହୋଇଯାଏ। ଏହି କୋଷଗୁଡ଼ିକ ଅତ୍ୟନ୍ତ ଅସ୍ୱାଭାବିକ ଆକାର ହୋଇଥିବାରୁ ମାନସିକ/ଶାରୀରିକ ଚାପ କିମ୍ବା ବଡ଼ ସର୍ଜରୀ ସମୟରେ ସହଜରେ ଭାଙ୍ଗିଯାଆନ୍ତି, ଯାହା ଜୀବନପ୍ରତି ବିପଦ ସୃଷ୍ଟି କରିଥାଏ।
ଓପନ୍-ହାର୍ଟ ସର୍ଜରୀ ସମୟରେ ହାର୍ଟ-ଲଙ୍ଗ ମେସିନ୍ (Heart-Lung Machine) ର ବ୍ୟବହାର ଆବଶ୍ୟକ ହୋଇଥାଏ, ଯାହା ଅପରେସନ୍ ସମୟରେ କୃତ୍ରିମ ଭାବେ ହୃଦୟ ଓ ଫୁସଫୁସର କାମ କରେ। ସିକଲ୍ ସେଲ୍ ରୋଗୀଙ୍କ କ୍ଷେତ୍ରରେ ଏହି ମେସିନ୍ର ନଳୀ ଓ ପମ୍ପ୍ ଦେଇ ରକ୍ତ ପ୍ରବାହିତ ହେବା ସମୟରେ ଅସ୍ୱାଭାବିକ ଲାଲ୍ ରକ୍ତ କଣିକାଗୁଡ଼ିକ ଶୀଘ୍ର ନଷ୍ଟ (Hemolysis) ହୋଇଯିବାର ବଡ଼ ଆଶଙ୍କା ଥାଏ।
RCB Auction: ଆର୍ସିବିକୁ କିଣିବାକୁ କ୍ରେତାଙ୍କ ଧାଡ଼ି; ବିଡର ତାଲିକାରେ ମଣିପାଲ ହସ୍ପିଟାଲ, ୱିପ୍ରୋ...
ଅପରେସନ୍ ପୂର୍ବରୁ ସ୍ୱତନ୍ତ୍ର ପଦକ୍ଷେପ
ପରୀକ୍ଷାରୁ ଜଣାପଡ଼ିଥିଲା ଯେ ସୁସ୍ମିତାଙ୍କ ଶରୀରରେ ପ୍ରାୟ ୬୯% ସିକଲ୍ ରକ୍ତ କୋଷ ଥିଲା। ସର୍ଜରୀକୁ ନିରାପଦ କରିବା ପାଇଁ ଏହାକୁ ୨୫% ରୁ ୩୦% କୁ କମାଇବା ଆବଶ୍ୟକ ଥିଲା।
- ସର୍ଜରୀର ଦୁଇ ଦିନ ପୂର୍ବରୁ, ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ଡାକ୍ତର ଦେବୀ ପ୍ରସାଦ ଆଚାର୍ଯ୍ୟ ରୋଗୀଙ୍କର ‘ଏକ୍ସଚେଞ୍ଜ ଟ୍ରାନ୍ସଫ୍ୟୁଜନ୍’ (Exchange Transfusion) କରିଥିଲେ
- ଏହି ପ୍ରକ୍ରିୟାରେ ରୋଗୀଙ୍କ ଶରୀରରୁ ଖରାପ ସିକଲ୍ ରକ୍ତ କୋଷଗୁଡ଼ିକୁ ବାହାର କରି ସେଠାରେ ସୁସ୍ଥ ଦାତାଙ୍କ ରକ୍ତ ଭରା ଯାଇଥିଲା, ଯାହା ଦ୍ୱାରା ଅପରେସନ୍ ସମୟରେ ବିପଦ ଅନେକାଂଶରେ କମିଯାଇଥିଲା
ମଣିପାଲ ହସ୍ପିଟାଲ ଭୁବନେଶ୍ୱରର CTVS ବରିଷ୍ଠ ପରାମର୍ଶଦାତା ଡାକ୍ତର ଜିତେନ୍ଦ୍ର ନାଥ ପଟ୍ଟନାୟକ କହିଛନ୍ତି, ଏହା ଆମ ପାଇଁ ଅତ୍ୟନ୍ତ ଜଟିଳ ସର୍ଜରିଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା। କାରଣ ରୋଗୀଙ୍କର ଗୁରୁତର ହୃଦ୍ରୋଗ ସହିତ ସିକଲ୍ ସେଲ୍ ଆନେମିଆ ଥିଲା, ଯାହା ବିପଦକୁ ଅନେକ ଗୁଣ ବଢ଼ାଇ ଦେଇଥିଲା। ସଠିକ୍ ଯୋଜନା, ସର୍ଜରୀ ପୂର୍ବରୁ ଏକ୍ସଚେଞ୍ଜ ଟ୍ରାନ୍ସଫ୍ୟୁଜନ୍ ଏବଂ ସମସ୍ତ ବିଭାଗର ମିଳିତ ଚିକିତ୍ସା ଯୋଗୁଁ ଆମେ ସୁରକ୍ଷିତ ଭାବେ ଏହି ଅପରେସନ୍ କରି ରୋଗୀଙ୍କୁ ନୂଆ ଜୀବନ ଦେବାରେ ସଫଳ ହେଲୁ। ଆନେସ୍ଥେସିଓଲୋଜିଷ୍ଟ୍, ପରଫ୍ୟୁଜନିଷ୍ଟ୍, ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଶେଷଜ୍ଞ ମିଳିତ ଉଦ୍ୟମରେ ସର୍ଜରୀ ସଫଳତାର ସହ ସମ୍ପନ୍ନ ହୋଇଥିଲା। ହୃଦୟର ଛିଦ୍ରକୁ ପ୍ୟାଚ୍ ଦ୍ୱାରା ବନ୍ଦ କରାଯାଇଥିଲା ଏବଂ ନଷ୍ଟ ହୋଇଯାଇଥିବା ମାଇଟ୍ରାଲ୍ ଭାଲ୍ଭକୁ ବଦଳାଯାଇଥିଲା।
ଅପରେସନ୍ ପରେ ମହିଳା ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ତାଙ୍କର ହୃଦ୍ରୋଗ ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯାଇଥିବା ବେଳେ, ଆଗାମୀ ଦିନରେ ସିକଲ୍ ସେଲ୍ ସମସ୍ୟାର ନିୟନ୍ତ୍ରଣ ପାଇଁ ତାଙ୍କୁ ହେମାଟୋଲୋଜି (ରକ୍ତ ରୋଗ ବିଶେଷଜ୍ଞ) ଟିମ୍ ନିକଟକୁ ପଠାଯାଇଛି।

43 minutes ago
2


